ନୂଆଦିଲ୍ଲୀ,୧୩/୦୭; ଭାରତୀୟ ପୁରୁଷ କ୍ରିକେଟ୍ ଦଳ ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ସିରିଜ ହାରିଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପ୍ରଥମେ ଆୟର୍ଲାଣ୍ଡ ଏବଂ ଦ୍ୱିତୀୟରେ ଇଂଲଣ୍ଡଠାରୁ ଟି-ଟ୍ୱେଣ୍ଟି ସିରିଜ ହାରିଛି । ଭାରତର ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ ବିଭାଗରେ ତ୍ରୁଟି ରହିଥିବା କ୍ରିକେଟ୍ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏହାରି ଭିତରେ ଟିମ୍ ଇଣ୍ଡିଆର ଫିଲ୍ଡିଂକୁ ନେଇ ବଡ଼ ଖବର ଆସୁଛି । ବିଶେଷ କରି କ୍ୟାଚକୁ ନେଇ । ୨୦୨୬ ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ଫିଲ୍ଡିଂ ଚିନ୍ତାର ବିଷୟ ପାଲଟିଛି । ଖରାପ ବୋଲିଂ ବ୍ୟାଟିଂ ସହିତ ଫଲ୍ଡିଂ ବଡ଼ ଦୁର୍ବଳତା ଭାବେ ଉଭା ହୋଇଛି । ଭାରତୀୟ ଦଳ କ୍ୟାଚ୍ ଧରିବାରେ କ୍ରମାଗତ ଭାବରେ ପଛରେ ରହିଛି । ଭାରତ ଏପର୍ଯ୍ୟନ୍ତ ୨୪ଟି କ୍ୟାଚ୍ ଛାଡ଼ିଛି ଏବଂ ଏହାର କ୍ୟାଚ୍ କ୍ଷମତା ମାତ୍ର ୭୨.୧% । ଖରାପ ଫିଲ୍ଡି. ମଧ୍ୟରେ ବିସିସିଆଇ ଫିଲ୍ଡିଂ କୋଚ୍ ଟି. ଦିଲୀପଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରେ ।

ପରିସ୍ଥିତି ଏପରି ହୋଇଛି ଯେ, ଗତ କିଛି ମ୍ୟାଚରେ ସହଜ କ୍ୟାଚ୍ ଛାଡିବା ଦଳର ପରାଜୟର ଏକ ପ୍ରମୁଖ କାରଣ ହୋଇଛି । ଟି-ଟ୍ୱେଣ୍ଟି ବିଶ୍ୱକପ ପରଠାରୁ, ଭାରତୀୟ ଫିଲ୍ଡରମାନେ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ୨୪ଟି କ୍ୟାଚ୍ ଛାଡିଛନ୍ତି । ସେଥିରୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସମୟରେ ମାତ୍ର ୭ଟି ଇଂନିସରେ ୧୧ଟି କ୍ୟାଚ୍ ଛାଡିଥିଲେ । ଏହାର ଅର୍ଥ ଚଳିତ ବିଶ୍ୱକପ ପରଠାରୁ ଭାରତୀୟ ପ୍ଲେୟାର ୧୧ଟି କ୍ୟାଚ୍ ଛାଡିଛନ୍ତି । ଏହା ଦଳର କ୍ୟାଚ୍ ଦକ୍ଷତାକୁ ମାତ୍ର ୭୨.୧ ପ୍ରତିଶତ ରଖିଛି । ଯାହା ଶୀର୍ଷ ଦଳ ତୁଳନାରେ ବହୁତ ଖରାପ ବୋଲି ବିବେଚନା କରାଯାଉଛି । ଇଂଲଣ୍ଡ ଗସ୍ତ ସମୟରେ ଖରାପ ଫିଲ୍ଡିଂର ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା ।

ଭାରତୀୟ ଖେଳାଳିମାନେ ଅନେକ ସହଜ ସୁଯୋଗ ହାତଛଡ଼ା କରିଥିଲେ, ଯାହାର ଲାଭ ଉଠାଇଥିଲେ ଇଂଲିସ୍ ବ୍ୟାଟର । ଏହି କ୍ୟାଚ୍ ଗୁଡ଼ିକ ଛାଡ଼ି ବିପକ୍ଷ ଦଳକୁ ବଡ଼ ଭାଗୀଦାରି ଗଠନ କରିବାରେ ସହାୟତା କରିଥିଲେ । ଫଳରେ ଭାରତ ସିରିଜରେ ପରାଜୟର ସମ୍ମୁଖୀନ ହୋଇଥିଲା । କ୍ରିକେଟରେ ପ୍ରାୟତଃ କୁହାଯାଏ ଯେ, କ୍ୟାଚ୍ ମ୍ୟାଚ୍ ଜିତାଇଥାଏ । କିନ୍ତୁ ଟିମ୍ ଇଣ୍ଡିଆ ଏହି କ୍ଷେତ୍ରରେ ଲଗାତାର ବିଫଳ ହୋଇଛି । ବୋଲର ପ୍ରୟାସ କରି ସୁଯୋଗ ସୃଷ୍ଟି କରନ୍ତି କିନ୍ତୁ ଫିଲ୍ଡର ହାତଛଡା କରନ୍ତି । ଫଳରେ ରଣନୀତି ବିଫଳ ହୋଇଥାଏ । ଯଦି କ୍ୟାଚ୍ ଛାଡିବା ଧାରା ଏହିପରି ଜାରି ରୁହେ ତେବେ ଦୃଢ ବ୍ୟାଟିଂ, ବୋଲିଂ ସତ୍ତ୍ୱେ ବଡ଼ ମ୍ୟାଚରେ ଭାରୀ ମୂଲ୍ୟ ଦେବାକୁ ପଡିପାରେ ।

ଏହା ବି ପଢନ୍ତୁ...W IND VS ENG Test: ଲର୍ଡ୍ସରେ ୟସ୍ତିକାଙ୍କ ଐତିହାସିକ ଶତକ, ବିଜୟଠୁ ୪ ୱିକେଟ୍ ଦୂରରେ ଭାରତ    

ଖରାପ ଫିଲ୍ଡିଂକୁ ଦୃଷ୍ଟିରେ ରଖି, ପରିବର୍ତ୍ତନର ଆବଶ୍ୟକତା ଏବେ ସ୍ପଷ୍ଟ । ପ୍ରଥମେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଫିଲ୍ଡିଂ କୋଚ୍ ଟି. ଦିଲୀପଙ୍କ ଭବିଷ୍ୟତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରେ । ତାଙ୍କ କାର୍ଯ୍ୟକାଳ ଅନେକ ଥର ବୃଦ୍ଧି ହୋଇଛି । ଦଳ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଭଲ ଫଳାଫଳ ପାଇଥିଲା କିନ୍ତୁ ୨୦୨୬ରେ ଭାରତୀୟ ଦଳର କ୍ୟାଚିଂ କ୍ରମାଗତ ଭାବରେ ଦୁର୍ବଳ ହୋଇଛି । ଏପରି ପରିସ୍ଥିତିରେ, ବୋର୍ଡ ଜଣେ ନୂତନ ଫିଲ୍ଡିଂ ପ୍ରଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ବିଚାର କରିପାରିବ, ଯିଏ ନୂତନ ରଣନୀତି ଏବଂ ଉତ୍ତମ ତାଲିମ ମାଧ୍ୟମରେ ଦଳର କ୍ୟାଚିଂ ଦକ୍ଷତାକୁ ଉନ୍ନତ କରିପାରିବ । ତଥାପି ଖାଲି ପ୍ରଶିକ୍ଷକ ପରିବର୍ତ୍ତନ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇନପାରେ । ଖେଳାଳିମାନେ ମଧ୍ୟ ପ୍ରକୃତ ଦାୟିତ୍ୱ ବହନ କରିବାକୁ ପଡିବ ।

ଅଭ୍ୟାସ ସମୟରେ ଖେଳାଳିମାନଙ୍କୁ କ୍ୟାଚ୍ ଏବଂ ଫିଲ୍ଡିଂରେ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ କାରଣ ବଡ଼ ମ୍ୟାଚ୍ରେ ଗୋଟିଏ କ୍ୟାଚ୍ ମଧ୍ୟ ମ୍ୟାଚ୍ର ଫଳାଫଳକୁ ବଦଳାଇ ଦେଇପାରେ । ଯଦି ଭାରତ ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ପ୍ରମୁଖ ସିରିଜରେ ନିରନ୍ତର ସଫଳତା ବଜାୟ ରଖିବାକୁ ଚାହେଁ ତେବେ ବ୍ୟାଟିଂ ବୋଲିଂ ସହିତ ଫିଲ୍ଡିଂ ସବୁଠାରୁ ଶକ୍ତି ହେବା ଉଚିତ୍ । କ୍ୟାଚିଂରେ ଉନ୍ନତି ଆଣିବା ଟିମ୍ ଇଣ୍ଡିଆର ବିକଳ୍ପ ନୁହେଁ ବରଂ ଆବଶକ୍ୟତା ।

ଭାରତ ଛାଡିଥିବା କ୍ୟାଚ୍

୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ-୧୩ଟି

ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି-୩ଟି

ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି-୩ଟି

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି-୧ଟି

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି-୧ଟି

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-ଟ୍ୱେଣ୍ଟି-୩ଟି

ମୋଟ୍ ୨୪ଟି କ୍ୟାଚ୍ ଛାଡିଛି ଭାରତ ।