ଭୁବନେଶ୍ୱର,୨୯/୧୧: ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ କରିବାକୁ ରାଜ୍ୟ ସରକାର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରୁଛନ୍ତି । ବିଜେପି ସଭ୍ୟ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏ ଲିଖିତ ଉତ୍ତର ରଖିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଉତ୍ତରରେ  ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଗତ ୨୪ ବର୍ଷରେ ରାଜ୍ୟ  ଯୋଜନା ବୋର୍ଡ ବୈଠକ ମାତ୍ର ୨ ଥର ବସିଛି ।  ୨୦୦୩ ମସିହା ମେ ମାସରେ ଥରେ ଏବଂ ୨୦୦୭  ଅକ୍ଟୋବରରେ ଥରେ ଏ ବୈଠକ ବସିଥିଲା ।  ଯୋଜନା ବୋର୍ଡକୁ ପୁନର୍ଗଠନ ଦିଗରେ ସରକାର  ବିଚାର କରୁଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।  

ଉଲ୍ଲେଖଯୋଗ୍ୟ, ରାଜ୍ୟକୁ ବିକାଶରେ  ଆଗକୁ ନେବା ସହ ନୂଆ ଯୋଜନା ପ୍ରଣୟନ  କରିବାରେ ରାଜ୍ୟ ଯୋଜନା ବୋର୍ଡର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ମାତ୍ର ଗତ କିଛି ବର୍ଷ  ହେବ ଏହା ଏକରକମ ଅଚଳ ଅବସ୍ଥାରେ  ରହିଛି । ନା ଏହାର ଉପାଧ୍ୟକ୍ଷ ନିଯୁକ୍ତ  ହେଉଛନ୍ତି, ନା ସଦସ୍ୟ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ  ଥିବା ଏହି ବୋର୍ଡର ବୈଠକ ମଧ୍ୟ ବସୁନାହିଁ । ସମୟକ୍ରମେ ଗୁରୁତ୍ୱ ହରାଇ ଅଚଳ ଏହି  ବୋର୍ଡକୁ ଅଧିକ କ୍ରିୟାଶୀଳ ଓ ଦକ୍ଷ କରିବାକୁ  ପୁନର୍ଗଠନ ନେଇ ସରକାର ବିଚାର ବିମର୍ଶ କରୁଛନ୍ତି।