ଭୁବନେଶ୍ବର,୧୫/୦୧: ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ଆଗେଇବ । ରାଜ୍ୟ ପାଇବ ନୂଆ ପରିଚୟ । ରାଜ୍ୟ ଫାର୍ମା ହବ୍‌ ପାଲଟିବ । ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ‘ଓଡ଼ିଶା ଫାର୍ମା ନୀତି-୨୦୨୫’ ପ୍ରଣୟନ କରିବେ । ଫାର୍ମା କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିବା ସଂସ୍ଥାକୁ ଆକର୍ଷିତ ପାଇଁ ଓଡ଼ିଶା ଫାର୍ମାସ୍ୟୁଟିକାଲ ବିକାଶ ସେଲ୍‌(ଓପିଡିସି) ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସେଲ୍‌ କାର୍ଯ୍ୟ କରିବ । ସେହିପରି ଓଡ଼ିଶାରେ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା(ସିଡିଏସ୍‌ସିଓ)ର ସବ୍‌ ଜୋନାଲ କାର୍ଯ୍ୟାଳୟ ଖୋଲିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । 

 ସୂଚନା ଅନୁଯାୟୀ, ଖୁବଶୀଘ୍ର ଓପିଡିସି ପକ୍ଷରୁ ଓଡ଼ିଶା ଫାର୍ମା ନୀତି ୨୦୨୫ ପ୍ରଣୟନ କରାଯିବ । ଏଥିରେ ଓଡ଼ିଶାରେ ଫାର୍ମା କ୍ଷେତ୍ରରେ ନିବେଶ, ଗବେଷଣା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଖୋର୍ଦ୍ଧା ଓ ବାଲେଶ୍ୱରରେ ବିଶ୍ୱସ୍ତରୀୟ ଫାର୍ମା ଏସ୍‌ଇଜେଡ୍‌ ଗଠନ କରାଯିବ । ଏହା ଜରିଆରେ ଫାର୍ମା କ୍ଷେତ୍ରରେ ୫୦ହଜାର କୋଟିର ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଫଳରେ ରାଜ୍ୟରେ ୨୦୩୬ ସୁଦ୍ଧା ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଓଡ଼ିଶାରେ ବାର୍ଷିକ ୩୫୦ କୋଟିର ଔଷଧ ବ୍ୟବସାୟ ହେଉଛି । ରାଜ୍ୟରେ ଔଷଧ ବ୍ୟବସାୟର ଏକ ବଡ଼ ବଜାର ରହିଛି । ଓଡ଼ିଶାରେ ୨୨ଟି ଘରୋଇ ଔଷଧ ପ୍ରସ୍ତୁତିକାରୀ ଉଦ୍ୟୋଗ ରହିଛି । ସେମାନେ ସାଲାଇନ୍‌, ଓଆର୍‌ଏସ୍‌, ଗଜ୍‌ କପଡ଼ା, ବ୍ୟାଣ୍ଡେଜ୍‌ ଓ ଫିନାଇଲ୍‌ ଆଦି ପ୍ରସ୍ତୁତ କରୁଛନ୍ତି । 

ତେବେ ଅନ୍ୟାନ୍ୟ ଔଷଧ କିଭଳି ପ୍ରସ୍ତୁତ କରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯିବ । ଏହାଛଡ଼ା ରାଜ୍ୟରେ ଉଦ୍ୟୋଗ ସ୍ଥାପନ ଲାଗି ଦେଶ ବିଦେଶର ବଡ଼ ବଡ଼ କମ୍ପାନିଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ । ଏନେଇ ଖୁବ୍‌ଶୀଘ୍ର ରାଜ୍ୟ ଓ ରାଜ୍ୟବାହାର ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ ପାଇଁ ‘ଉଦ୍ୟୋଗୀ ସମ୍ମିଳନୀ’ ଆୟୋଜନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ନିକଟରେ ଭୁବନେଶ୍ୱରରେ କେନ୍ଦ୍ରୀୟ ଡ୍ରଗ୍‌ ଟେଷ୍ଟିଂ ଲାବୋରେଟୋରି (ସିଡିଟିଏଲ୍‌) କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶାରେ କେନ୍ଦ୍ରୀୟ ଭେଷଜ ସଂସ୍ଥାର ସବ୍‌ ଜୋନାଲ କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବା ପାଇଁ ସିଡିଏସ୍‌ସିଓ ପକ୍ଷରୁ ଅନୁମୋଦନ ପତ୍ର ମଧ୍ୟ ଜାରି ହୋଇଛି । ଏହି ସବ୍‌ ଜୋନାଲ କାର୍ଯ୍ୟାଳୟ ସିଡିଟିଏଲ୍‌ ବିଲ୍ଡିଂରେ କାର୍ଯ୍ୟ କରିବ । ତେବେ କୋଲକାତାସ୍ଥିତ ଇଷ୍ଟ ଜୋନ୍‌ ଏହାର ପ୍ରଶାସନିକ ଓ ଆର୍ଥିକ ନିୟନ୍ତ୍ରଣ କରିବ । ଏହା ଔଷଧ ପ୍ରସ୍ତୁତିର ନିରୀକ୍ଷଣ କରିବ ।