ଭୁବନେଶ୍ୱର, ୨୩/୧୧: ଯାତ୍ରାକୁ ସ୍ୱୀକୃତି ଦେବେ ଓଡ଼ିଶା ସରକାର । ଖୁବ୍ ଶୀଘ୍ର ଆଇନ ଆସିବ । ଲାଗିବ କଟକଣା । ନିର୍ଦ୍ଦିଷ୍ଟ ସୀମା ଭିତରେ ପରିବେଷଣ ହେବ ଯାତ୍ରା । ସେଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସରକାରଙ୍କ ବିଭିନ୍ନ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ବିଭାଗୀୟ ଅଧିକାରୀମାନେ ଏହା ଉପରେ ନଜର ରଖିଛନ୍ତି । ଏ ନେଇ ସରକାର ଘୋଷଣା କରିବେ ବୋଲି ସୂଚନା ମିଳିଛି।
ଗତ ୬ ତାରିଖରେ ଏକ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ସଂକ୍ରାନ୍ତରେ ସମ୍ୟକ୍ ସୂଚନା ଦେଇଥିଲେ । ଯାତ୍ରାରେ ଅଶ୍ଳୀଳତା ବନ୍ଦ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ, ଓଡ଼ିଆ ଅସ୍ମିତା, ସଂସ୍କୃତିର ସୁରକ୍ଷା ପାଇଁ ଯାହା ଆବଶ୍ୟକ ସରକାର କରୁଛନ୍ତି ଓ କରିବେ । ଏ କ୍ଷେତ୍ରରେ ଅଶ୍ଳୀଳତାକୁ କଦାପି ବରଦାସ୍ତ କରାଯିବନି । କଠୋର ମାଗଦର୍ଶିକା ଖୁବ୍ଶୀଘ୍ର ଜାରି ହେବ । ଏହାକୁ ଉଲ୍ଲଂଘନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଗତ ୫ ତାରିଖରେ ଓଡ଼ିଶା ଯାତ୍ରା କମିଟି ମହାସଂଘର କର୍ମକର୍ତ୍ତା ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ଆଲୋଚନା କରିଛନ୍ତି । ସେମାନେ ଭେଟିବା ପୂର୍ବରୁ ମଧ୍ୟ ମନ୍ତ୍ରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଥିଲେ । ଏନେଇ ମୁଁ ମଧ୍ୟ ଆଇନ ମନ୍ତ୍ରୀଙ୍କ ସହିତ ଦୀର୍ଘ ୫/୬ ଘଣ୍ଟା ଆଲୋଚନା କରିଛି । ସଂସ୍କୃତି ମନ୍ତ୍ରୀ ହିସାବରେ ଯାହା ସହଯୋଗ ଦରକାର ହେବ ବିଭାଗ କରିବ ବୋଲି କହିଛି । ପ୍ରଥମେ ଯାତ୍ରାରେ ଅଶ୍ଳୀଳତା ବନ୍ଦ ପାଇଁ ମାର୍ଗଦର୍ଶିକା ଜାରି କରି ନିୟମରେ ବନ୍ଧାଯିବ । ପରେ ଯାତ୍ରା କେଉଁ ବିଭାଗ ଅଧୀନରେ ରହିବ ତାହା ସରକାର ଚିନ୍ତା କରିବେ । କିନ୍ତୁ ଭବିଷ୍ୟତରେ ସରକାର ଯାତ୍ରାକୁ ସ୍ୱୀକୃତି ନିଶ୍ଚିତ ଦେବେ ବୋଲି ସଂସ୍କୃତି ମନ୍ତ୍ରୀ ପରୋକ୍ଷରେ ସୂଚିତ କରିଥିଲେ ।
ଏହା ଉପରେ ଖୁବ୍ ଶୀଘ୍ର ଯାତ୍ରା ମାଲିକ, କଳାକାର ଓ କମିଟିମାନଙ୍କ ସହ ସବିଶେଷ ଆଲୋଚନା ହୋଇ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଅନ୍ୟପକ୍ଷରେ ଶାସକ ଦଳର ବିଧାୟକ ବାବୁ ସିଂ ଯାତ୍ରାରେ ଚଳଚ୍ଚିତ୍ର ପରି ସେନ୍ସର୍ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରିଛନ୍ତି । ସେ କହିଛନ୍ତି, ଅଶ୍ଳୀଳତା କାରଣରୁ ଯାତ୍ରାକୁ ଆଉ ଦେଖି ହେଉନାହିଁ । ତେଣୁ ଯାତ୍ରା କଳାର ସୁରକ୍ଷା ଏବଂ ଏହି ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଶୃଙ୍ଖଳା ଦୃଷ୍ଟିରୁ ସେନ୍ସର୍ ଜରୁରି । ନିକଟରେ ଅନୁଷ୍ଠିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ ସରକାରଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖିଥିଲେ ଯାହାକୁ ଅନେକାଂଶରେ ସ୍ୱାଗତ କରାଯାଇଛି କିନ୍ତୁ କାର୍ଯ୍ୟକାରିତାକୁ ଅପେକ୍ଷା ରହିଛ