ଭୁବନେଶ୍ୱର,୦୮/୧୦: ମଙ୍ଗଳବାର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୫୪ଜଣ ଜୁନିୟର ଆସିଷ୍ଟାଣ୍ଟ ଅଫିସର ନିଯୁକ୍ତି ପାଇବେ । ସେମାନେ ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ । ବିଶ୍ୱବିଦ୍ୟାଳୟକୁ ଆଗକୁ ନେବାକୁ ଯେଉଁ  ଭିଜନ୍‌ ରହିଛି ତାହାକୁ ଆଗେଇ  ନେବେ ବୋଲି ସୂଚନା ମିଳିଛି ।  ଅନ୍ୟପଟରେ ଓଡ଼ିଆ ଭାଷାରେ ଡାକ୍ତରୀ  ପାଠ୍ୟକ୍ରମ ପୁସ୍ତକ ପ୍ରସ୍ତୁତ ନେଇ ଆଉ  ପାଦେ ଆଗେଇଛି । ଆଉ ୧୦ ଦିନରେ ଏମ୍‌ବିବିଏସ୍‌ ପରୀକ୍ଷା ଫଳ ପ୍ରକାଶ  କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।  

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ  ସାହୁ କହିଛନ୍ତି, ଓଡ଼ିଆ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ପୁସ୍ତକ ପ୍ରସ୍ତୁତ କରାଯିବ । ଏଥିପାଇଁ  କମିଟି ଗଠିତ ହୋଇଛି । ଏହା ଭିତରେ କମିଟିର ୨ଟି ବୈଠକ ବସିବା ପରେ ଏକ  ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହିପାଇଁ ୧ କୋଟିରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟବରାଦର ପ୍ରସ୍ତାବ  ରହିଛି । ଯେଉଁ ବହିଗୁଡ଼ିକୁ ଅନୁବାଦ କରାଯିବ କପି ରାଇଟ୍ସ ସମ୍ବନ୍ଧୀୟ ନିୟମ ପାଇଁ  ଆଇନ ବିଭାଗ ପଠାଯାଇଛି । ଭାଷା ଅନୁବାଦ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ସହଯୋଗ  କରିବ । ଏଥିରେ ୨୦ ଜଣ ଅନୁବାଦକ ସେମାନଙ୍କ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।  

ପ୍ରଫେସର ସାହୁ କହିଛନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ  ପରେ ପ୍ରଥମ ଥର ପାଇଁ ଏମ୍‌ବିବିଏସ୍‌ ଫଳ ୧୦ଦିନ ଭିତରେ ପ୍ରକାଶିତ ହେଲା ।  ସେପ୍ଟେମ୍ବର ୨୧ରେ ପରୀକ୍ଷା ହେବା ପରେ ଅକ୍ଟୋବର ୧ରେ ଫଳ ପ୍ରକାଶ ପାଇଲା ।  ଏହା ଏକ ରେକର୍ଡ ସୃଷ୍ଟି କଲା । ପୂର୍ବରୁ ଯେଉଁ ପରୀକ୍ଷା ହେଉଥିଲା ତାହାର ଫଳ  ପ୍ରକାଶନ ପାଇଁ ୨ରୁ୩ମାସ ଲାଗୁଥିଲା । ସେତେବେଳେ ମେଡିକାଲ କଲେଜ ବିଭିନ୍ନ  ବିଶ୍ୱିବିଦ୍ୟାଳୟ ଅଧିନରେ ଥିଲା । ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ  କାର୍ଯ୍ୟକ୍ଷମ ହେଲା ପରେ ଫଳ ପ୍ରକାଶିତ କ୍ଷେତ୍ରରେ ତତ୍ପରତା ଦେଖାଇଛି ।