ଭଦ୍ରକ,୧୭/୦୧: ‘ସାର୍, ମୁଁ ୫୦ ହଜାର ଟଙ୍କା ରଖିଛି । ଅଧିକ କହିଲେ ଦେବି । ମୋ କାମ ହେବା ଦରକାର । ନା’ ତୁ ରଖିଥା ସମୟ ହେଲେ କହିବି...’ । ଏହା ହେଉଛି ଜଣେ ଚାକିରି ଆଶାୟୀ ଏବଂ ଜଣେ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପର ଅଡିଓ ଯାହା ଭଦ୍ରକ ଜିଲ୍ଲା ସାରା ଘୂରି ବୁଲୁଛି । ଏହାର ଲିଙ୍କ୍ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟା ସହ ଯୋଡ଼ି ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଗୃହରକ୍ଷୀ ନିଯୁକ୍ତିରେ ଦୁର୍ନୀତି ହୋଇଛି ବୋଲି ହାଇକୋର୍ଟରେ ମାମଲା ପହଞ୍ଚିଥିବାବେଳେ ଭାଇରାଲ୍ ଅଡିଓ ପୁଲିସ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାର ତଦନ୍ତ କରାଯିବ ବୋଲି ଏସ୍‌ପି  ମନୋଜ ରାଉତ କହିଛନ୍ତି । କେବଳ ଏତିକି ନୁହେଁ ଗୃହରକ୍ଷୀ ପରୀକ୍ଷା ବେଳର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ପରୀକ୍ଷା ସମୟରେ ପରୀକ୍ଷାର୍ଥୀ କିମ୍ବା ଅଧିକାରୀ ମୋବାଇଲ୍ ନେଇ ଯାଇପାରିବେନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ୍ ଥିଲା । ତେବେ ଉକ୍ତ ଭିଡିଓ କିଏ ଉତ୍ତୋଳନ କଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭଦ୍ରକ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ଜାଲିଆତି ନେଇ ଏହି ତଥ୍ୟ ପଦାକୁ ଆସିଛି । ଆଶାୟୀ ପ୍ରାର୍ଥୀଙ୍କ ସହ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଟଙ୍କା ନେଣଦେଣ ନେଇ ଡିଲ୍ ଅଡିଓ ଭାଇରାଲ ହୋଇଛି । ଭଦ୍ରକ ଜିଲ୍ଲାରେ ୧୩୯ଟି ଗୃହରକ୍ଷୀ ନିଯୁକ୍ତି ନେଇ ନଭେମ୍ବର ୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷା କରାଯାଇ ସାକ୍ଷାତ୍କାର ନିଆଯାଇଥିଲା । ଜାନୁଆରୀ ୭ରେ ୧୩୯ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା । ତେବେ ଶତାଧିକ ଆଶାୟୀ ନିଯୁକ୍ତି ଜାଲିଆତି ନେଇ ଅଭିଯୋଗ ଆଣିଥିଲେ କିନ୍ତୁ ଅଭିଯୋଗକୁ ଏସ୍ପି ଶ୍ରୀ ରାଉତ ଖଣ୍ଡନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଆଶାୟୀମାନେ ଏକାଠି ହୋଇ ଆଲୋଚନା କରିଛନ୍ତି । ଭାଇରାଲ୍ ଅଡିଓ ସମ୍ପର୍କରେ ଏସ୍ପି ଶ୍ରୀ ରାଉତ କହିଛନ୍ତି, ସ୍ୱତନ୍ତ୍ର ଟିମ୍ ଦ୍ୱାରା ଘଟଣାର ତଦନ୍ତ ହେବ । ସତ୍ୟତା ସ୍ପଷ୍ଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।