ରାଉରକେଲା,୨୨/୦୧: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ନବୀକରଣ ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ନ ରହିବା ଦରକାର । ନହେଲେ ଡିଏଲ୍ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଅଯୋଗ୍ୟ ଘୋଷଣା କରିବେ । ହେଲେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରିବହନ ବିଭାଗ ସହ ପଞ୍ଜିକୃତ ଡାକ୍ତରଙ୍କଠୁ ସାର୍ଟିଫିକେଟ ହାତେଇବା ଏବେ ମୁସ୍କିଲ ହୋଇପଡିଛି । ଡାକ୍ତରଙ୍କ ଠିକଣା ଖୋଜି ପାଉନାହାନ୍ତି ଗାଡ଼ି ଚାଳକ । ଦିନ ପରେ ଦିନ ଗଡ଼ିଚାଲୁଛି, ଚାଳକଙ୍କ ଅକଲ ଗୁଡୁମ୍ ହୋଇଯାଉଛି । ଚିନ୍ତାରେ ପଡୁଛନ୍ତି ଗାଡ଼ି ଚାଳକ । ଡାକ୍ତରଙ୍କୁ ଠାବ କରିବାକୁ ଯାଇ ଲାଇସେନ୍ସ ଚାହୁଁଥିବା ଚାଳକ ବା ତାଙ୍କ ସମ୍ପର୍କୀୟ ମାନେ ନୟାନ୍ତ ହେଉଛନ୍ତି ।
୨୦୨୩ ଜାନୁଆରୀରୁ କେନ୍ଦ୍ର ସରକାରଙ୍କ ‘ଏମ୍- ପରିବହନ’ ୱେବସାଇଟ୍ରେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିବା ପରେ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ସକାଶେ ଏକ ଫର୍ମ ମିଳୁଛି । ୱେସାଇଟ୍ରେ ଥିବା ‘ଫାଉଣ୍ଡ ଡକ୍ଟର’ରେ ପଞ୍ଜୀକୃତ ଡାକ୍ତରଙ୍କ ଠାରୁ ଆବେଦନକାରୀଙ୍କ ସ୍ୱାସ୍ଥ୍ୟର ଫିଟ୍ନେସ୍ ଆଣିବା ବାଧ୍ୟତାମୂଳକ ନିୟମ ରହିଛି । ପଞ୍ଜିକୃତ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରି ସ୍ୱାସ୍ଥ୍ୟଗତ ସାର୍ଟିଫିକେଟ ହାତେଇବା ପ୍ରକ୍ରିୟାରେ ଆବେଦନକାରୀ ନୟାନ୍ତ ହେଉଛନ୍ତି । ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୩ ଜଣ ଡାକ୍ତର ଅନୁବନ୍ଧିତ ହୋଇଛନ୍ତି । ସେଥିମଧ୍ୟରୁ ୧୨ଜଣ ଡାକ୍ତର ରାଉରକେଲା ସରକାରୀ ଡାକ୍ତରଖାନାର । ହାଇଟେକ୍ ମେଡିକାଲ କଲେଜର ଜଣେ ଡାକ୍ତର ରହିଥିବା ବେଳେ ୪ଜଣ ଡାକ୍ତରଙ୍କ ନିଜସ୍ୱ କ୍ଲିନିକ୍ ଅଛି ଓ ଜଣେ ବାଲିଯୋଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏବଂ ଜଣେ ଡାକ୍ତରଙ୍କ ଘରକୁ ଗଲେ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ମିଳେ । ସେହିପରି ବଣାଇଁ ଉପଖଣ୍ଡରେ ଦୁଇ ଜଣ ଡାକ୍ତର, ଲହୁଣିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ବଣାଇଁ ନିକଟସ୍ଥ ଜାଙ୍ଗଳା ପ୍ରାଥିମକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ରହିଛନ୍ତି ।
ତାଲିକାରେ ଡାକ୍ତରଙ୍କ ମୋବାଇଲ୍ ଫୋନ୍ ନମ୍ବର ରହି ନଥିବା ବେଳେ କେବଳ ନାମ ଏବଂ ହସ୍ପିଟାଲର ନାଁ ରହିଛି । ଆବେଦନକାରୀ ସମ୍ପୃକ୍ତ ଡାକ୍ତରଙ୍କ ଠିକଣାରେ ପହଞ୍ଚିବା ପରେ ଯଦି ଡାକ୍ତରଙ୍କୁ ପାଉନାହାନ୍ତି, ତେବେ ସମସ୍ୟାରେ ପଡୁଛନ୍ତି । ତାଲିକାରେ ଥିବା ଡାକ୍ତରଙ୍କୁ ଆବେଦନକାରୀ ଖୋଜି ପାଇବା ପରେ, ଯଦି ସମ୍ପୃକ୍ତ ଡାକ୍ତର ହସ୍ପିଟାଲ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ, ନିରାଶରେ ଘର ବାହୁଡ଼ା ହେବାକୁ ବାଧ୍ୟ ହେଉଛି ଆବେଦନକାରୀ ।
କ’ଣ ରହିଛି ନିୟମ
କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ର ଧାରା୯(୩) ଅନୁସାରେ ୪୦ବର୍ଷ କିମ୍ବା ତା’ଠାରୁ ବୟସ୍କ ଆବେଦନକାରୀ ଗାଡ଼ି ଚଲାଇବା ପାଇଁ ପଞ୍ଜିକୃତ ଡାକ୍ତରଙ୍କ ଠାରୁ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ନିହାତି ପୈଠ କରିବାକୁ ପଡ଼ିବ । ଏହି ମେଡ଼ିକାଲ ସାର୍ଟିଫକେଟର ବୈଧତା ବର୍ଷେ ଯାଏଁ ବଳବତ୍ତର ରହିବ । ମୋଟରଯାନ ଆଇନ୍ ୧୯୮୮ ଧାରା ୧୫ କହୁଛି, ପରିବହନ ଗାଡ଼ି ଚଲାଉଥିବା ୪୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଗାଡ଼ି ଚାଳକଙ୍କୁ ଲାଇସେନ୍ସ ନବୀକରଣ କରିବାକୁ ପଡ଼ିବ । ସେହି ଆଇନ୍ର ଧାରା ୧୪ ଅନୁସାରେ, ପରିବହନ ଗାଡ଼ି ଚାଳକଙ୍କ ଲାଇସେନ୍ସ ୫ବର୍ଷ ଯାଏଁ ବୈଧ । ଏହାପରେ ଲାଇସେନ୍ସ ନବୀକରଣ ହୋଇପାରିବ ନାହିଁ । ସେହିପରି ବିପଦପୂର୍ଣ୍ଣ ଓ ଭାରୀଯାନ ଚଲାଉଥିବା ଚାଳକଙ୍କ ଲାଇସେନ୍ସ ୩ବର୍ଷ ଯାଏଁ ବଳବତ୍ତର ରହିବା ବ୍ୟବସ୍ଥା ରହିଛି ।
ଆହୁରି ପଢ଼ନ୍ତୁ:- ଶୁକ୍ରବାର କଟକ ଆସିବେ ଉପରାଷ୍ଟ୍ରପତି; ନେତାଜୀ ମ୍ୟୁଜିୟମ୍ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଦେବେ ଯୋଗ