ଭୁବନେଶ୍ୱର, ୧୨/୧୨: କଟକ ଜବାହାରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ  ବିଡବ୍ଲ୍ୟୁଏଫ୍‌ ଟୁର ସୁପର-୧୦୦ରେ  ଓଡ଼ିଆ ଯୋଡ଼ି ଋତୁପର୍ଣ୍ଣା ପଣ୍ଡା ଓ  ଶ୍ୱେତପର୍ଣ୍ଣା ପଣ୍ଡା ମହିଳା ଡବଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।  ଏହି ଯୋଡ଼ି  ୨୧-୧୪, ୨୧- ୧୪ରେ ଆରଧନା  ବାଲଚନ୍ଦ୍ର ଓ  ମୁସ୍କାନ ଖାନଙ୍କୁ  ପରାଜିତ କରିଥିଲେ । ମ୍ୟାଚ୍‌ ୩୭  ମିନିଟ୍‌ ଧରି ଚାଲିଥିଲା । ପ୍ରି-କ୍ୱାର୍ଟରରେ  ପଣ୍ଡା ଭଗିନୀ କନିକା କନୱାଲ-ଭାରତୀ  ପାଲଙ୍କୁ ଭେଟିବେ । 

ପୁରୁଷ ଡବଲ୍ସରେ ଅନ୍ୟତମ ଓଡ଼ିଆ  ଯୋଡ଼ି ଅଭିନାଶ ମହାନ୍ତି ଓ ଆୟୂଷ  ପଟ୍ଟନାୟକ ପରାଜିତ ହୋଇ ବିଦାୟ  ନେଇଛନ୍ତି । ଏହି ଯୋଡ଼ି ୧୭-୨୧, ୧୨- ୨୧ରେ ଜାପାନର ହିରୋକି ନିଶି ଓ କାକେରୁ କୁମାଗାଇଙ୍କ ଠାରୁ ପରାଜିତ  ହୋଇଥିଲେ । 

ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ପୁରୁଷ  ସିଙ୍ଗଲ୍ସରେ ଅଭିନବ ଠାକୁର ୨୧- ୧୬, ୨୨-୨୦ରେ ଚୀନର ୱାଙ୍ଗ ଜି  ଜୁନଙ୍କୁ, ଗୋବିନ୍ଦା କ୍ରିଷ୍ଣା ୮-୪ରେ  ଅଭିଷେକ କନପାଲାଙ୍କୁ (ରିଟାୟାର୍ଡ)  ପରାଜିତ କରିଥିଲେ । ସେହିପରି  ମହିଳା ସିଙ୍ଗଲ୍ସରେ ତସନିମ ମୀର ୨୧- ୧୧, ୨୧-୫ରେ ଜିଆନ୍ନା ଷ୍ଟିଗଲିଚଙ୍କୁ  ହରାଇଥିଲେ।