କଟକ,୦୮/୦୨: ରେଳବାଇ କ୍ଷେତ୍ରରେ ରାଜ୍ୟକୁ ଅଣଦେଖା । କେନ୍ଦ୍ର ବଜେଟରେ ନାହିଁ ଓଡ଼ିଶା ମେଟ୍ରୋ ପ୍ରକଳ୍ପର ବ୍ୟୟ ବରାଦ । ଏହାକୁ ନେଇ ବିରୋଧ ଓ ପ୍ରତିବାଦ କରିଛି ବିଜୁ ଜନତା ଦଳ । କଟକ ମେୟର ସୁବାସ ସିଂହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆଜି ସକାଳେ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟର ପୋଷ୍ଟର ଏବଂ ଫ୍ଲାଗକାର୍ଡ ଧରି ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କଟକ ମେୟର ତଥା ବିଜେଡି କୋଷାଧକ୍ଷ ସୁବାସ ସିଂହ କହିଛନ୍ତି, କେନ୍ଦ୍ର ସରକାର ରେଳବାଇ କ୍ଷେତ୍ରରେ ଓଡ଼ିଶା ଅଣଦେଖା କରିଛନ୍ତି । ବଜେଟରେ କଟକକୁ ଅବହେଳା କରାଯାଇଛି । ବିଜୁ ଜନତା ଦଳ  ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦର ଠାରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ଏବଂ ବିସ୍ତାରିତ କଟକ ବସ୍ ଷ୍ଟାଣ୍ଡ-ଏସସିବି ମେଡିକାଲ କଲେଜ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମେଟ୍ରୋ ପ୍ରକଳ୍ପ ୪ ବର୍ଷ ମଧ୍ୟରେ ପ୍ରାୟ ଶେଷ ହେବା ପାଇଁ ଲକ୍ଷ୍ୟ ରଖା ଯାଇଥିଲା । ହେଲେ ଏହାକୁ କାହିଁକି ବନ୍ଦ କରିଦିଆଗଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଟକ ମେୟର ସୁବାସ ସିଂହ । ରାଜ୍ୟ ସରକାର ପୁନଃବିଚାର କରି ଏହାକୁ ୨୦୨୬ରେ ପୁଣି ଥରେ ଆରମ୍ଭ କରିବାକୁ ଦାବି ରଖିଛନ୍ତି ।

ଅଧିକ ପଢ଼ୁନ୍ତୁ- ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି: ସମବାୟ ମନ୍ତ୍ରୀ​​​​​​​