ଭୁବନେଶ୍ୱର, ୮।୨: ରାଜ୍ୟରେ ଧାନ କିଣାକୁ ନେଇ ତେଜୁଛି ଅସନ୍ତୋଷ । ଅନେକ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି । ମିଲରଙ୍କ ମନମାନି ଯୋଗୁଁ ମଣ୍ଡିରେ ଅମଳ ଧାନ ବର୍ଷା କାକର ଖାଉଛି । କେଉଁଠି କଟନଛଟନି ବି ଚାଷୀଙ୍କ ଦୁଃଖକୁ ଦୁଇଗୁଣା କରୁଛି । ଏହାକୁ ନେଇ ବିରୋଧୀ ବିଜେଡି ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ତାଙ୍କୁ ଚେକ୍ ଦେଇଛନ୍ତି ଶାସକ ଦଳୀୟ । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି । ଗତବର୍ଷ ସେମାନେ ୫୦୦ କ୍ଵିଣ୍ଟାଲ ଧାନ ବିକିଥିଲେ ଏଥର କ୍ୟାପ୍ସ ୧୫୦ କ୍ଵିଣ୍ଟାଲ ହୋଇଥିବାରୁ ସେମାନେ ଟିକେ ଅସୁବିଧା ଭୋଗୁଛନ୍ତି । ଆସନ୍ତାବର୍ଷ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ଏହା ବି ପଢ଼ନ୍ତୁ... ଶ୍ରୀମନ୍ଦିର ରୋଷଶାଳାକୁ ଜାଳେଣି ଅଭାବ, ବାହାରୁ କିଣିଲେ ମହାପ୍ରସାଦ ରନ୍ଧା
ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଟିକେ ଧିରେ ହେଉଛି । ପରବର୍ତ୍ତୀ ସମୟରେ ସେ ଧାନକୁ ଉଠାଯାଉଛି । ଯେଉଁ ମାନଙ୍କର ଟୋକେନ୍ ଲାପ୍ସ ହେଉଛି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ୧୫ ଦିନ ଟୋକାନ ଅବଧି ବୃଦ୍ଧି କରାଯାଉଛି । ଚଳିତବର୍ଷ ଅଧିକ ଚାଷ ହୋଇଛି । ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି । ସେମାନଙ୍କୁ ନୋଟିସ ହୋଇଛି, ଏଥିରୁ ନ ଚେତିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସମସ୍ତ ଚାଷୀଙ୍କ ଧାନ ଉଠିବ ।
ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର ଏକ ମିଛ ଚାଷୀଙ୍କ ତାଲିକା ଦିଅନ୍ତୁ । ପ୍ରକୃତ ଚାଷୀଙ୍କ ତାଲିକା ଦେବାକୁ ସରକାର କୁଣ୍ଠାବୋଧ କରୁଛନ୍ତି । ସରକାର ଧାନ କିଣାରେ ବିଫଳ । ଚାଷୀ ଆକ୍ରୋଶର ଶିକାର ହେଲେଣି ସରକାର । ବିଜେପିରେ କେହି ଚାଷୀ ନଥିବେ । ହେଲେ ଛୋଟ ହେଉ କି ବଡ଼ ହେଉ, ରାଜ୍ୟରେ ଚାଷୀ ଅଛନ୍ତି । ସେହିପରି କଂଗ୍ରେସ ବିଧାୟକ ନୀଳ ମାଧବ ହିକକା ମଧ୍ୟ କହିଛନ୍ତି ଯେ, ଚାଷୀଙ୍କୁ ନକଲି କହି ଅନ୍ନଦାତାଙ୍କୁ ଅପମାନ କରୁଛନ୍ତି ସରକାର । ଏହା ବଡ଼ ଅପରାଧ ଓ ନିନ୍ଦନୀୟ । ଅନ୍ନଦାତା ଦେଶ ଚଳାଉଛନ୍ତି । ତାଙ୍କୁ କେମିତି ନକଲି କହୁଛନ୍ତି ସରକାର ? ସରକାର କ’ଣ ଯାଞ୍ଚ କରିଛନ୍ତି । ୩୧୦୦ ଟଙ୍କାରେ ଧାନ କିଣିବାର ମିଛ କହିଲେ ମିଛୁଆ ସରକାର । କାହିଁକି ବାହୋସଫଟ ମାରୁଥିଲେ ? ମଣ୍ଡିରେ ଧାନ ପଡ଼ିଛି, ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।