ଭୁବନେଶ୍ୱର ୩୦/୦୯: ପୁଲିସ ଏସ୍ଆଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍ । ପୁଣି ସ୍ଥଗିତ ରହିଲା ଲିଖିତ ପରୀକ୍ଷା । ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ଏନେଇ ଓପିଆର୍ବି ଅଧ୍ୟକ୍ଷ ସୂଚନା ଜାରି କରିଛନ୍ତି । ଖୁବ୍ଶୀଘ୍ର ସାନି ପରୀକ୍ଷା ତାରିଖ ଘୋଷଣା ହେବ। କିଛି ସମୟ ପୂର୍ବରୁ ହେଲ୍ପ ଲାଇନ୍ ନମ୍ବର ଜାରି କରିଥିଲା ଓପିଆର୍ବି।
ସୂଚନା ଅନୁଯାଇ, ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଛି ବ୍ରହ୍ମପୁର ପୁଲିିସ। ଗତକାଲି ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଛି ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ସୂଚନା ମିଳିଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଛି। ଏହି ରାକେଟ ପଛରେ ବଡ଼ ମୁଣ୍ଡ ଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ପୁରୁଣା ଅପରାଧୀ ସଂପୃକ୍ତ ଥିବା ସୂଚନା ମିଳିଛି।