ଭୁବନେଶ୍ୱର,୧୦/୦୬: ଏଣିକି ସାଇବର ଠକେଇର ଶିକାର ଲୋକେ ସାଇବର ଥାନା କିମ୍ବା ସହର ମୁହାଁ ହେବେନି । ରାଜ୍ୟର ସବୁ ଥାନାରେ ସାଇବରଜନିତ ଅପରାଧ ଓ ଠକେଇର ଅଭିଯୋଗ କରିହେବ । ସାରା ରାଜ୍ୟରେ ୩ ଥାକିଆ ସାଇବର ସୁରକ୍ଷା ବଳୟ ଲାଗୁ ହେବ । ଅଦୃଶ୍ୟ ଜଗତର ଅପରାଧୀଙ୍କୁ ମାତ୍ ଦେବା ସହଜ ହେବ । ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡି଼ଶା ପୁଲିସ ଏହି ଅଭିନବ ପଦକ୍ଷେପ ନେଇଛି ।

ରାଜ୍ୟରେ ଥିବା ୨୦ ସାଇବର୍ ଥାନାରେ ତିନିଜଣ ଆଇଟି ଏବଂ ସାଇବର୍ ବିଶେଷଜ୍ଞ (ଏକ୍ସପର୍ଟ)ଙ୍କ ସହ ଜଣେ ଫାଇନାନ୍ସିଆଲ ଏକ୍ସପର୍ଟ ନିୟୋଜିତ ହେବେ । ସାଇବର ଓ ଅନ୍ୟ ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏମାନେ ତାଲିମ୍ ଦେବେ । ଯେମିତିକି ସାଇବର ଠକେଇ ଓ ଅପରାଧର ମୁକାବିଲା ପାଇଁ ସବୁ ଥାନାର ପୁଲିସ ସିଦ୍ଧହସ୍ତ ହୋଇପାରିବ । ସବୁ ଜିଲ୍ଲାରେ ୪ଜଣ ସାଇବର୍ ବିଶେଷଜ୍ଞ ନିୟୋଜିତ ହେବେ । ଗତକଲିଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୧୨୭ଟି ପୋଷ୍ଟ ପାଇଁ ମଞ୍ଜୁରି ମିଳିଛି । ୫୦ଜଣ ସାଇବର ଫରେନ୍ସିକ ଏକ୍ସପର୍ଟ, ୭୦ଜଣ ଆଇଟି ଏକ୍ସପର୍ଟ ରହିବେ । ଏହାବାଦ୍ ଅର୍ଥନୈତିକ ଏକ୍ସପର୍ଟମାନଙ୍କୁ ନିଯୁକ୍ତି ଦିଆଯିବ । ଦୁଇରୁ ଅଢ଼େଇ ମାସରେ ତାଲିମ୍ ସାରିବା ପରେ ଏକ୍ସପର୍ଟମାନେ ଥାନାରେ ଯୋଗଦେବେ ।

ଅଧିକ ପଢ଼ନ୍ତୁ :- Cyber Crime: ଏମିତି ଆମ ସାଇବର ଥାନା, କେସ ଫାଇଲ, ଚାର୍ଜସିଟ୍ ଓ ତଦନ୍ତ ଭୟରେ ପୁଲିସ୍, ଠକାମି ୧ ଲକ୍ଷରୁ କମ୍ ହେଲେ ଶୁଣୁନି

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସାରା ରାଜ୍ୟରେ ୩ ଥାକିଆ ତଦନ୍ତ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଜିଲ୍ଲା ସ୍ତରରେ ସାଇବର ସମ୍ପର୍କୀତ ଅଭିଯୋଗ ରଖାଯିବା ସହ ତଦନ୍ତ କରାଯିବ । ଏହା ପରେ କ୍ଷେତ୍ରୀୟ ସ୍ତରରେ ଗୋଟିଏ ସାଇବର ଏକ୍ସପର୍ଟ ଶାଖା ଖୋଲାଯିବ । ପ୍ରତି କ୍ଷେତ୍ର ଅଧୀନରେ ୭-୮ଟି ପୁଲିସ ଜିଲ୍ଲା ରହିବ । ଅନ୍ୟଟି ରାଜ୍ୟସ୍ତରୀୟ ଶାଖା ରହିବ । ଏଥିରେ ବଡ଼ ଧରଣର ସାଇବର ଠକେଇର ତଦନ୍ତ କରାଯିବ । କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପଢିବା ସହ ସାଇବର୍ ସିକ୍ୟୁରିଟି ଉପରେ ଜ୍ଞାନ ଥିବା ଯୁବପିଢ଼ିଙ୍କୁ ଅଗ୍ରାଧିକାର ଦିଆଯିବ । ଡିଜିପିଙ୍କ ନିରୀକ୍ଷଣରେ ସମସ୍ତ ନିଯୁକ୍ତି ପ୍ରକ୍ରିୟା ସମ୍ପର୍ଣ୍ଣ ହେବ । ବଢୁଥିବା ସାଇବର୍ ଅପରାଧ ନିୟନ୍ତ୍ରଣ ଉପରେ ବଡ଼ ଭୂମିକା ଗ୍ରହଣ କରିବ । ରାଜ୍ୟ ପୁଲିସର ଏହି ନିଯୁକ୍ତି ପରେ ସାଇବର ଅପରାଧ ଦୁନିଆକୁ ମାତ୍ ଦିଆଯାଇ ପାରିବ ବୋଲି ଆଶା କରାଯାଇଛି ।