ଭୁବନେଶ୍ୱର, ୦୮/୦୬: ସାଇବର ଅପରାଧୀଙ୍କ କାରନାମା ବଢ଼ିବାରେ ଲାଗିଛି । ଲୋକ ନ୍ୟାୟ ପାଇଁ ପୁଲିସ୍ ପାଖକୁ ଯାଉଛନ୍ତି । ପୁଲିସ୍ ଅପରାଧୀଙ୍କୁ ଧରି ନ୍ୟାୟ ଦେବା ବଦଳରେ ଏତଲାକାରୀଙ୍କୁ ମାନସିକ ନିର୍ଯାତନା ଦେଉଛି । ଏମିତି କି ଲିଖିତ ଅଭିଯୋଗ ପାଇବା ପରେ ବି ମାମଲା ରୁଜୁ କରିବାକୁ ପୁଲିସ କୁନ୍ଥ କୁନ୍ଥ ହେଉଛି । ଗତ ୫ ମାସ (ଜାନୁଆରୀ ୧ରୁ ମେ’ ୩୧ ତାରିଖ)ରେ ଭୁବନେଶ୍ୱର ସାଇବର ଥାନାକୁ ଆସିଥିବା ୯ ଶହ ୭୦ ଅଭିଯୋଗ ମଧ୍ୟରୁ କେବଳ ୭୫ଟି ମାମଲା ରୁଜୁ ହେବା ଏୟା ହିଁ ବୟାନ କରୁଛି । ଚାର୍ଜସିଟ୍ ଓ ତଦନ୍ତ ଭୟରେ ପୁଲିସ୍ ଏମିତି କରୁଥିବା ଅଭିଯୋଗ ହୋଇଛି ।

କମିଶନରେଟ୍ ପୁଲିସ୍ ରିପୋର୍ଟ କହୁଛି, ଗତ ୫ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ୨୫୭୬ଟି ଅଭିଯୋଗ (ଲିଖିତ ଓ ଫୋନ୍ ଯୋଗେ) ଆସିଥିଲା । ସେ ମଧ୍ୟରୁ ୧୩୦୬ଟି କେବଳ ଭୁବନେଶ୍ୱରର ହୋଇଥିବାବେଳେ ବାକି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା, କଟକ ଗ୍ରାମାଞ୍ଚଳ, ଢେଙ୍କାନାଳ ଭଳି ପୁଲିସ୍ ଜିଲ୍ଲାରୁ ଆସିଥିଲା । ଜାନୁଆରୀରେ ୩୮୯ ଜଣ, ଫେବ୍ରୁଆରୀରେ ୨୭୬, ମାର୍ଚ୍ଚରେ ୪୫୪, ଏପ୍ରିଲରେ ୨୫୬, ମେ’ ସୁଦ୍ଧା ୬୩ ଜଣ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆସିବା ପରେ ମାମଲା ରୁଜୁ ହେବ କି ନା ସେ ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଥାନା ଆଇଆଇସି । ଅନୁମତି ମିଳିବା ପରେ ମାମଲା ରୁଜୁ ହେଉଛି । ନ ହେଲେ ସେମିତି ପଡି ରହୁଛି ଅଭିଯୋଗ । ମୋଟ୍ ଲିଖିତ ଅଭିଯୋଗ ମଧ୍ୟରୁ ପୁଲିସ୍ ମାତ୍ର ୭୫ଟି ମାମଲା ରୁଜୁ କରିଛି । ଯେଉଁମାନେ ସାଇବର ଠକଙ୍କ ପଞ୍ଝାରେ ପଡ଼ି ୫ ଲକ୍ଷରୁ ଅଧିକ ଟଙ୍କା ହରାଉଛନ୍ତି ପୁଲିସ୍ କେବଳ ସେହି ମାମଲା ରୁଜୁ କରୁଛି । ଠକାମି ୧ ଲକ୍ଷରୁ କମ୍ ହେଲେ ପୁଲିସ୍ ସେମାନଙ୍କ ଅଭିଯୋଗ ଗ୍ରହଣ କରୁଛି ସତ କିନ୍ତୁ ମାମଲା ରୁଜୁ କରୁନାହିଁ ।

ଅଧିକ ପଢ଼ନ୍ତୁ :-  ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା, ଶୋଇଥିବା ବେଳେ ମା' ଓ ଝିଅକୁ ଟାଙ୍ଗିଆରେ ହାଣିଦେଲେ

ପୁଲିସ୍ ମାମଲା ରୁଜୁ ନ କରିବାର ମୁଖ୍ୟ କାରଣ ହେଲା ତଦନ୍ତ ଓ ଚାର୍ଜସିଟ୍‌ର ଭୟ । ସାଇବର ଅପରାଧୀମାନେ ଠକାମିର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଏମିତି ସ୍ଥାନରେ ବିନିଯୋଗ କରୁଛନ୍ତି ତାକୁ ଧରିବା ପୁଲିସ୍ ପାଇଁ କାଠିକର ପାଠ ହେଉଛି । କାରଣ ଓଡ଼ିଶା ପୁଲିସ୍ ପାଖରେ ଜଣେ ହେଲେ ବି ଆଇଟି ବିଶେଷଜ୍ଞ ନାହାନ୍ତି । ରାଜ୍ୟରେ ଥିବା ସାଇବର ଥାନାରେ ପ୍ରାୟ ୨୦ ପ୍ରତିଶତଙ୍କୁ ଛାଡି ଦେଲେ ବାକି ସବୁ ଅନଭିଜ୍ଞ ଅଛନ୍ତି । ଯେଉଁଥିପାଇଁ ଅଭିଯୋଗ ପରେ ତଦନ୍ତ ଭୟରେ ମାମଲା ରୁଜୁ କରିବାକୁ ଲୋକଙ୍କୁ ସିଧା ମନା କରି ଦେଉଛି ପୁଲିସ ।

ଗତ ୫ ମାସରେ ଭୁବନେଶ୍ୱରରୁ ୧୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଅପରାଧୀ । ପୁଲିସ୍ ମାତ୍ର ୧୦ରୁ ୧୫ ଲକ୍ଷ ଟଙ୍କା ବ୍ଲକ୍ କରିବାରେ ସକ୍ଷମ ହୋଇଛି । ଏନେଇ କମିଶନରେଟ୍ ପୁଲିସ୍‌ର ଜଣେ ବରିଷ୍ଠ ଆଇପିଏସ୍ ଅଫିସର କହିଛନ୍ତି, ଥାନାରେ କୌଣସି ସାଇବର ବିଶେଷଜ୍ଞ ନାହାନ୍ତି । ଅଫିସରମାନଙ୍କୁ ଯେତିକି ତାଲିମ୍ ଦିଆଯାଇଥିଲା ତାହକୁ ନେଇ ସେମାନେ କାମ କରୁଛନ୍ତି ।

 

ପ୍ରତ୍ୟେକ ଦିନ ୩୦ରୁ ୪୦ ଲୋକ ବିଭିନ୍ନ ଅଭିଯୋଗ ନେଇ ଆସୁଛନ୍ତି । ୨ରୁ ୩ ହଜାର ଟଙ୍କା ହରାଇଥିବା ବ୍ୟକ୍ତି ମଧ୍ୟ ଆସୁଛନ୍ତି । ଯଦି ସବୁ ଅଭିଯୋଗର ମାମଲା ରୁଜୁ କରାଯିବ ତେବେ ବର୍ଷକରେ ଗୋଟିଏ ଥାନାରେ ୪ ହଜାରରୁ ଅଧିକ ମାମଲା ହେବ । ସେ ସବୁ ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବାକୁ ପୁଲିସ୍ ପାଖରେ ସମୟ ନାହିଁ କି କର୍ମଚାରୀ ନାହାନ୍ତି । ସେଥିପାଇଁ ବଛା ବଛା ଅଭିଯୋଗରେ ମାମଲା ରୁଜୁ ହେଉଛି ।