ଭୁବନେଶ୍ୱର : ୟୁପିଏ ସରକାର ତୁଳନାରେ ଏନ୍ଡିଏ ସରକାର ସମୟରେ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ଢେର ଅଧିକ ଅର୍ଥ ବରାଦ କରାଯାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶା ପାଇଁ ରେଳ ବଜେଟ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ମଞ୍ଜୁର ହୋଇ ଥିବା ବେଳେ ୨୦୨୬-୨୭ରେ ୧୦,୯୨୮ କୋଟି ଟଙ୍କା ବରାଦ ହୋଇଛି, ଯାହାକି ପୂର୍ବ ତୁଳନାରେ ୧୩ ଗୁଣରୁ ଅଧିକ। ଓଡ଼ିଶାରେ ରେଳ ପ୍ରକଳ୍ପ ସଂକ୍ରାନ୍ତରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ରେଳବାଇ, ସୂଚନା ପ୍ରସାରଣ ଏବଂ ଇଲୋକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ୫ବର୍ଷରେ ଓଡ଼ିଶାରେ ୨୬୭ କିଲୋମିଟର ଦୈର୍ଘ୍ୟର ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୧୪ରୁ ୨୦୨୬ ମଧ୍ୟରେ ୨୨୩୬ କିଲୋମିଟର ରେଳପଥ କାର୍ଯ୍ୟକ୍ଷମ ହୋଇଛି। ୨୦୦୯ରୁ ୧୪ ମଧ୍ୟରେ ବର୍ଷକୁ ହାରାହାରି ୫୩ କିଲୋମିଟର ନୂଆ ରେଳପଥ ହୋଇଥିବା ବେଳେ ୨୦୧୪ରୁ ୨୬ ଭିତରେ ବାର୍ଷିକ ହାରାହାରି ୧୮୬ କିଲୋମିଟର ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଛି ।
୨୦୨୬ ଏପ୍ରିଲ ପହିଲା ସୁଦ୍ଧା ୫୫ଟି ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯାଇଛି, ଯେଉଁଥିରେ ୪୨୫୬ କିଲୋମିଟର ରେଳପଥ ନିର୍ମିତ ହେବ । ଏଥିଲାଗି ୮୧,୭୩୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ୫୫ଟି ପ୍ରକଳ୍ପ ମଧ୍ୟରୁ ୧୯ଟି ହେଉଛି ନୂଆ ରେଳପଥ ଯେଉଁଥିରେ ଗତ ମାର୍ଚ୍ଚ ସୁଦ୍ଧା ୭,୨୮୮ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ସେହି ଭଳି ଆଉ ୩୬ଟି ପ୍ରକଳ୍ପ ରେଳପଥର ଦୋହରୀକରଣ ପାଇଁ ଚାଲିଛି ଯେଉଁଥିରେ ୨୧,୬୭୫ କୋଟି ଟଙ୍କା ଖର୍ଚ୍ଚ ସାରିଲାଣି। ଇତିମଧ୍ୟରେ ୧୧ଟି ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଓ ଆଶିଂକ ଭାବେ ପୂର୍ଣ୍ଣାଙ୍ଗ ହୋଇଛି। ଏଗୁଡ଼ିକ ହେଲା ଦୈତାରୀ-ବାଂଶପାଣି, ଝାରସୁଗୁଡ଼ା-ସରଡେଗା, ହରିଦାସପୁର-ପାରାଦୀପ, ଅନୁଗୁଳ-ସୁକିନ୍ଦା, ଚମ୍ପା-ଝାରସୁଗୁଡ଼ା, ସମ୍ବଲପୁର-ଟିଟିଲାଗଡ଼, ରାଉରକେଲା-ଝାରସୁଗୁଡ଼ା, ବାଂଶପାଣି-ଯଖପୁରା, ସମ୍ବଲପୁର-ତାଳଚେର, ରାୟପୁର-ଟିଟିଲାଗଡ଼ ଏବଂ ଝାରସୁଗୁଡ଼ା-ସରଡେଗା ବୋଲି ରେଳମନ୍ତ୍ରୀ ସଂସଦରେ ସୂଚାଇଛନ୍ତି ।
ସାଂସଦ ଲ୍ଲୀପ ରାୟ ଓଡ଼ିଶାରେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରିବା ପାଇଁ ଦାବି କରିଛନ୍ତି। ଏହାଛଡ଼ା ରାଜ୍ୟର ଯେଉଁ ଜିଲ୍ଲାଗୁଡ଼ିକରେ ରେଳପଥ ନାହିଁ ସେଠାରେ ରେଳ ଯୋଗାଯୋଗ ବ୍ୟବସ୍ଥା କରିବା ଏବଂ ନୂଆକରି ମଞ୍ଜୁରୀ ପାଇଥିବା ରେଳପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ତାଳଚେର-ବିମଳାଗଡ଼ ଏବଂ ବଲାଙ୍ଗୀର-ଖୋର୍ଦ୍ଧାରୋଡ୍ ରେଳ ପ୍ରକଳ୍ପ ନିର୍ମାଣ ୬ମାସ ମଧ୍ୟରେ ଶେଷ କରି ୨୦୨୭ ମସିହାରେ ଯେଭଳି ଏହି ଦୁଇଟି ପ୍ରକଳ୍ପରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ରେଳ ଗମନାଗମନ କରେ ସେ ଦିଗରେ ଦୃଷ୍ଟି ଦେବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - ଓଡ଼ିଶାରେ HCL tech ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର, ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାରଙ୍କ MOU