ଭୁବନେଶ୍ୱର ୩୦/୦୫: ଆଜିଠୁରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଆରମ୍ଭ। ଯାହା ଜୁନ ୨୮ ଯାଏ ଚାଲିବ । ବୁଥସ୍ତରୀୟ ଅଧିକାରୀ (ବିଏଲ୍ଓ) ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି । ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରିବେ । ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ପ୍ରକାଶିତ ତାଲିକାରେ ଯଦି କୌଣସି ତ୍ରୁଟି ଥିବ, ତେବେ ସେ ବାବଦରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିହେବ । ସେପ୍ଟେମ୍ୱର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ୍ କହିଛନ୍ତି ଯେ, ବିଏଲଓମାନେ ଭୋଟର୍ଙ୍କ ଘରକୁ ଯାଇ ପ୍ରତ୍ୟେକ ଭୋଟରଙ୍କ ପାଇଁ ଦୁଇଟି ଫର୍ମ ଦେବେ । ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ । ବିଏଲ୍ଓମାନେ ଘର ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ । ସେମାନଙ୍କ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ ।

ଅଧିକ ପଢ଼ନ୍ତୁ :-  Thunderstorm Alert: ରାଜ୍ୟରେ କମିଲା ତାତି, ଆଗକୁ ଆହୁରି କମିବ, ଘଡ଼ଘଡ଼ି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ​​​​​​​

ମେ ୨୯ ସୁଦ୍ଧା ରାଜ୍ୟରେ ପ୍ରିଣ୍ଟିଂ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲ୍ଓମାନଙ୍କର ତାଲିମ ସରିଛି । ଏସ୍ଆଇଆର୍ ପାଇଁ ପ୍ରାକ୍ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ ଭୋଟର ମଧ୍ୟରୁ ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭ ପ୍ରତିଶତ ତ୍ରୁଟି (ଲଜିକାଲ ଏରର୍) ବାହାରିଛି । ବୟସ, ନାମ ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର୍ ଆସୁଛି । ଘର ଘର ବୁଲିବା ବେଳେ ତାକୁ ବିଏଲ୍ଓମାନେ ସଂଶୋଧନ କରିବେ । ମ୍ୟାପିଂ ସାରିଥିବା ଭୋଟର ନିଜର ଫଟୋ ଦେଇ ଦସ୍ତଖତ କରିବେ । ଭୋଟର ଚାହିଁଲେ ନୂଆ ଫଟୋ ଦେଇପାରିବେ । ପାଖାପାଖି ୯୪.୬୧% ଭୋଟରଙ୍କୁ ୨୦୦୨ରେ ପ୍ରକାଶିତ ଶେଷ ଏସ୍ଆଇଆର୍ ସମୟର ଭୋଟର ତାଲିକା ସହିତ ମ୍ୟାପ୍ କରାଯାଇଛି । ପ୍ରାକ୍-ଏସ୍ଆଇଆର୍ ପର୍ଯ୍ୟାୟରେ ଯେଉଁ ଭୋଟରମାନଙ୍କୁ ମ୍ୟାପ୍ କରାଯାଇପାରିନଥିଲା, ସେମାନେ ମଧ୍ୟ ଏସ୍ଆଇଆର୍ ସମୟରେ ଉଚିତ ସୂଚନା ଦାଖଲ କଲେ ମ୍ୟାପିଂ ହୋଇପାରିବେ ।

​​​​​​​

ଏସ୍ଆଇଆର୍ ପାଇଁ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ବିଏଲ୍ଓ ଘର ବୁଲି ଗଣନା କରିବେ । ଏ ନେଇ ୪୫ ହଜାର ୨୫୫ ବିଏଲ୍ଓ ନିଯୁକ୍ତି ହୋଇଛନ୍ତି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସକାଳ ୬ଟାରୁ ଦିନ ୧୧ଟା, ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫିଲ୍ଡ ୱାର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର ଏବଂ ଉପ ସିଇଓ ଲକ୍ଷ୍ମୀପ୍ରସାଦ ସାହୁ ଉପସ୍ଥିତ ଥିଲେ ।