ଭୁବନେଶ୍ୱର, ୨୫/୦୫ : ରାଜ୍ୟରେ ବିଏଡ୍ ନାମଲେଖା ଆଶାୟୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତିକି ସିଟ୍ ଅଛି ତାର ୪୦ ଗୁଣା ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ସିଟ୍ ନ ପାଇଲେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ହେଉଛି ସେମାନଙ୍କ ଭରସା । ରାଜ୍ୟରେ ଘରୋଇ ବିଏଡ୍ ଶିକ୍ଷାନୁଷ୍ଠାନ ନାହିଁ । ଫଳରେ ରାଜ୍ୟ ବାହାରକୁ ବିଏଡ୍ ପାଇଁ ଯାଇ ଲକ୍ଷ ଲକ୍ଷ ଟଙ୍କା ଗଣୁଛନ୍ତି ଛାତ୍ରଛାତ୍ରୀ । ଏପରିକି ଠକାମିର ମଧ୍ୟ ଶିକାର ହେଉଛନ୍ତି ।

ରାଜ୍ୟରେ ପୂର୍ବରୁ ୮୦ରୁ ଅଧିକ ଘରୋଇ ବିଏଡ୍ ଶିକ୍ଷାନୁଷ୍ଠାନ ରହିଥିଲା । ୧୯୯୫ ମସିହା ପରଠୁ ଏହା ବନ୍ଦ କରି ଦିଆଯାଇଛି । ବନ୍ଦ ନେଇ ଅଧ୍ୟାଦେଶ ଜାରି କରିଛନ୍ତି ସରକାର । ଏ ବାବଦରେ କୋର୍ଟରେ ମାମଲା ମଧ୍ୟ ଗଡ଼ୁଥିଲେ ହେଁ ସମାଧାନର ବାଟ ଫିଟୁନି । ରାଜ୍ୟରେ ଯେତିକି ସରକାରୀ ବିଏଡ୍ ଶିକ୍ଷା ପ୍ରତିଷ୍ଠାନ ରହିଛି ସେଠାରେ ସିଟ୍ ନପାଇବାରୁ ବର୍ଷକୁ ପ୍ରାୟ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯାଉଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ କହିବା କଥା, ୧୯୯୫ ଯାଏ ରାଜ୍ୟରେ ଘରୋଇ ବିଏଡ୍ ଶିକ୍ଷାନୁଷ୍ଠାନ ରହିଥିଲା । ଘରୋଇ ବିଏଡ୍ କଲେଜରେ ଭିତ୍ତିଭୂମି ନାହିଁ, ଲକ୍ଷାଧିକ ଟଙ୍କା ଆଦାୟ ଅଭିଯୋଗ ଆସିଲା । ସରକାର ଏହାକୁ ଅଧ୍ୟାଦେଶ ଆଣି ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଲେ । ସେବେଠୁ ରାଜ୍ୟରେ ଘରୋଇ ବିଏଡ୍ କଲେଜ ଖୋଲିବାକୁ ଅନୁମତି ଦିଆଯାଉନି । ଏପରିକି ଭୁବନେଶ୍ୱରର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରେ ବିଏଡ୍ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ପାଇଁ ସୁପ୍ରିମ୍କୋର୍ଟରେ ମାମଲା ହେଲା । ହେଲେ ସରକାର ଅଧ୍ୟାଦେଶ ଆଣିଥିବାରୁ ଏହାର କୌଣସି ସମାଧାନ ହୋଇପାରିନି । ଘରୋଇ ବିଏଡ୍ କଲେଜ ବନ୍ଦ ପରେ ବିଭିନ୍ନ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ ବିଏଡ୍ ଖୋଲିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୩୧ଟି ଶିକ୍ଷାନୁଷ୍ଠାନରେ ବିଏଡ୍ ନାମଲେଖା ପାଇଁ ୨୮୦୦ ସିଟ୍ ରହିଛି । ଏଥିପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ଚଳିତବର୍ଷର ତଥ୍ୟକୁ ଦେଖିଲେ ରାଜ୍ୟରେ ବିଏଡ୍ ନାମଲେଖା ପାଇଁ ୧ ଲକ୍ଷ ୧୩ ହଜାର ୫୪୦ ଜଣ ଆବେଦନ କରିଥିବା ବେଳେ ୧ ଲକ୍ଷ ୫ ହଜାର ୮୩୦ ଜଣ ଫି ଦାଖଲ କରିଛନ୍ତି । ଏନ୍ସିଇଆର୍ଟି ଅଧୀନରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ୨ ବର୍ଷିଆ ବିଏଡ୍ ପାଇଁ ମାତ୍ର ୧୦୦ଟି ସିଟ୍ ରହିଛି । ଏହି ୧୦୦ ସିଟ୍ ଉପରେ ୫ଟି ରାଜ୍ୟର ଛାତ୍ରଛାତ୍ରୀ ନିର୍ଭରଶୀଳ । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଆଣ୍ଡାମାନର ଛାତ୍ରଛାତ୍ରୀ ଏହି ୧୦୦ଟି ବିଏଡ୍ ପାଇଁ ଆବେଦନ କରୁଛନ୍ତି । ଏହି ୧୦୦ଟି ସିଟ୍ ପାଖାପାଖି ୧୦ ହଜାରରୁ ଅଧିକ ଆବେଦନ ମଧ୍ୟ ହେଉଛି । ଏପଟେ ସରକାର ଦୁଇ ବର୍ଷିଆ ବିଏଡ୍ ସିଟ୍ ବୃଦ୍ଧି କରୁନାହାନ୍ତି । ଏମିତି ଘରୋଇ ଶିକ୍ଷାନୁଷ୍ଠାନକୁ ଅନୁମତି ମଧ୍ୟ ଦେଉନାହାନ୍ତି ।

ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରୁ ପ୍ରାୟ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାହାର ରାଜ୍ୟରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ବିଏଡ୍ ନାମ ଲେଖାଉଛନ୍ତି । ରାଜ୍ୟରେ ବାହାରେ ବିଏଡ୍ ନାମ ଲେଖାଉଥିବା ପିଲାଙ୍କ ମଧ୍ୟରୁ ସର୍ବାଧିକ ପିଲା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଯାଉଛନ୍ତି । ଏହା ୭୦ରୁ ୯୦ ପ୍ରତିଶତ ହେବ । ଅନ୍ୟମାନେ ପଶ୍ଚିମବଙ୍ଗ, କୁରୁକ୍ଷେତ୍ର, ହରିୟାଣା, ପଂଜାବ ଯାଉଛନ୍ତି । ଆଗରୁ ଜାମ୍ମୁ କାଶ୍ମୀରରେ ବର୍ଷିକିଆ ବିଏଡ୍ ସୁବିଧା ଥିବାରୁ ଅନେକ ପିଲା ସେଠାକୁ ଯାଉଥିଲେ । ବର୍ତ୍ତମାନ ସେଠାରେ ୨ ବର୍ଷିଆ ବିଏଡ୍ ବନ୍ଦ ହୋଇଯିବାରୁ ପିଲାଙ୍କ ସଂଖ୍ୟା କମିଛି । ରାଜ୍ୟ ବାହାରେ ଘରୋଇ ବିଏଡ୍ ଶିକ୍ଷାନୁଷ୍ଠାନ କୋର୍ସ ଫି ୧ ଲକ୍ଷ ୩୦ ହଜାର ଟଙ୍କା ନେଉଛନ୍ତି । ପୋଷାକ, ଆଇଡି କାର୍ଡ, ବହି, ପରୀକ୍ଷା ଫି, ପରୀକ୍ଷା ସମୟରେ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଆଦି ପାଇଁ ଆଉ ୫୦ ହଜାର ଟଙ୍କା ନେଉଛନ୍ତି । ଯେଉଁ ଦଲାଲ୍ମାନେ ଏହି ବ୍ୟବସ୍ଥା କରାଉଛନ୍ତି ସେମାନେ ପିଲାଙ୍କଠୁ ସବୁ ଫି ମିଶାଇ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ନେଉଛନ୍ତି । ଛାତ୍ରଛାତ୍ରୀଟିଏ ବାହାରେ ନାମ ଲେଖାଇବାକୁ କୌଣସି ଦଲାଲ୍ କିମ୍ବା ଏଜେନ୍ସି ହାବୁଡ଼ରେ ପଡୁ଼ଥିଲେ କଥା ସରିଲା ।

ନିକଟରେ ପଶ୍ଚିମ ଓଡି଼ଶାର ୩୦୦ରୁ ଅଧିକ ପିଲା ଏହି ସ୍କାମ୍ର ଶିକାର ହୋଇଛନ୍ତି । ଜଣେ ଦଲାଲ୍ ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଦେବ କହି ୩୦୦ ପିଲାଙ୍କଠୁ ଅର୍ଥ ଆଦାୟ କରି ଫେକ୍ ସାର୍ଟିଫିକେଟ୍ ଦେବା ଘଟଣା ଲୋକଲୋଚନକୁ ଆସିଛି । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଏହାର ଶିକାର ହୋଇଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍ଙ୍କ କହିବା କଥା, ଦେଶର ସମସ୍ତ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନରେ ବିଏଡ୍ ପାଠ୍ୟକ୍ରମ ପାଇଁ ସୁଯୋଗ ରହିଛି । ମାତ୍ର ଓଡ଼ିଶାରେ କାହିଁକି ନୁହେଁ? ଛାତ୍ରଛାତ୍ରୀ ରାଜ୍ୟ ବାହାର କଲେଜରେ ପଢ଼ି ସାର୍ଟିଫିକେଟ୍ ହାସଲ କରି ଓଡ଼ିଶାରେ ନିଯୁକ୍ତି ମଧ୍ୟ ପାଉଛନ୍ତି । ହେଲେ ସରକାର କାହିଁକି ଘରୋଇ ଶିକ୍ଷାନୁଷ୍ଠାନରେ ବିଏଡ୍ ଖୋଲିବାକୁ ଅନୁମତି ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ କହିବା କଥା, ଆମର ଘରୋଇ ଶିକ୍ଷାନୁଷ୍ଠାନରେ ବିଏଡ୍ କୋର୍ସ ପାଇଁ କୌଣସି ମାର୍ଗଦର୍ଶିକା ନାହିଁ, କି ଅନୁମତି ମଧ୍ୟ ନାହିଁ ।

ଏହି ଖବରଟିକୁ ପଢନ୍ତୁ- Inspiring Story : ବିନା ବେତନରେ ତିନି ଦଶନ୍ଧି ଧରି ଶିକ୍ଷାଦାନ, ଶତାଧିକ ଆଦିବାସୀ ପିଲାଙ୍କୁ ନିଜ ହାତରେ କରିଛନ୍ତି ମଣିଷ