ଭୁବନେଶ୍ୱର,୨୮/୧୦: ଆଉ ମାସେ ରହିଲା ୩ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ । ଏହି ୩ ବିଶ୍ୱବିଦ୍ୟାଳୟ ନୂଆ କୁଳପତି ଦେଖିବ ନା ସେହି ପୁରୁଣା କୁଳପତିଙ୍କୁ ପୁଣି ଦାୟିତ୍ୱ ମିଳିବ ତାହା ଏବେ ଆଲୋଚନାର ବିଷୟ । ଏବେବି ୫ ବିଶ୍ୱବିଦ୍ୟାଳୟ ବିନା କୁଳପତିରେ ଚାଲିଛି । ଯଦି ଆସନ୍ତା ମାସ ମଧ୍ୟରେ ଏହି ୩ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି ନହୁଏ ତେବେ ମୁଖିଆ ବିହୀନ ବିଶ୍ୱବିଦ୍ୟାଳୟ ସଂଖ୍ୟା ୮ରେ ପହଞ୍ଚିବ । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗରୁ ମିଳିଥିବା ବିଶେଷ ସୂତ୍ର ଅନୁଯାୟୀ, କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୩ ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ ହୋଇପାରନ୍ତି ।
ଆସନ୍ତା ନଭେମ୍ବର ୨୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ । ସେହି ମାସ ୨୬ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ୨୭ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଏନ୍ ନାଗାରାଜୁଙ୍କର କାର୍ଯ୍ୟକାଳ ଶେଷ ହେବ । ଅର୍ଥାତ୍ ମାସେ ମଧ୍ୟରେ ଏହି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରିବ । ଅନ୍ୟପଟେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦କୁ ନେଇ ସୁପ୍ରିମ୍କୋର୍ଟରେ ମାମଲା ଚାଲିଛି । ସାଢ଼େ ୩ ବର୍ଷ ହେଲା କଟକଣା ଥିବାରୁ ଅଧ୍ୟାପକ ଓ ଅଣଅଧ୍ୟାପକ ନିଯୁକ୍ତି ହୋଇପାରୁନାହିଁ । ଏହା ଭିତରେ ଏହି ୩ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି କଣ୍ଟା ସାଜିବ ବୋଲି ଆଶଙ୍କା ହେଉଛି । କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବ୍ ଶୀଘ୍ର ଏନେଇ ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, ନିକଟରେ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ନିଯୁକ୍ତି ଦିଆଯାଇନାହିଁ । କିନ୍ତୁ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ପଦ ଖାଲି ଥିଲେ ମଧ୍ୟ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ଏପର୍ଯ୍ୟନ୍ତ କୁଳପତି ନିଯୁକ୍ତ କରାଯାଇନାହିଁ । ଏଠାରେ ସ୍ୱତନ୍ତ୍ରକର୍ତ୍ତବ୍ୟରତ ଅଧିକାରୀ (ଓଏସ୍ଡି) ନିଯୁକ୍ତ କରାଯାଇଛି । ଏମାନଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି ।
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଅସ୍ଥାୟୀ ଭାବେ ୨୦୨୫ ଜାନୁଆରୀ ୩୧ ଯାଏ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର କିଶୋର କୁମାର ବାସା ୨୦୨୨ ନଭେମ୍ବର ମାସରେ ଇସ୍ତଫା ଦେଇ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ହୋଇଥିଲେ । ସେ ସମୟରୁ ନିକଟସ୍ଥ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରବୀନ୍ଦ୍ର ପଣ୍ଡା ଇସ୍ତଫା ଦେବା ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ପ୍ରଧାନଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି ।
ସେହିପରି ୨୦୨୫ ମାର୍ଚ୍ଚରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଏପ୍ରିଲ୍ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଅଗଷ୍ଟରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ । ୨୦୨୬ ମେ ମାସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ୨୦୨୭ ଜାନୁଆରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ ।
ଉତ୍କଳ, ରମାଦେବୀ, ଜିଏମ୍ ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ଚୟନ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେଣୁ ଏହି ତିନି କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ଚର୍ଚ୍ଚାେରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି ।