ଭୁବନେଶ୍ୱର,୦୫/୦୨: ମ୍ୟାଲେରିଆ ସ୍ଥିତି ଚିନ୍ତାଜନକ ରହିଛି । ସାରା ଭାରତରେ ରାଜ୍ୟ ମ୍ୟାଲେରିଆ ରୋଗୀ ଚିହ୍ନଟରେ ଏକ ନମ୍ବର ରହିଛି । ଗତ ୨୦୨୫ରେ(ନଭେମ୍ବର ସୁଦ୍ଧା) ରାଜ୍ୟରେ ମୋଟ ୬୦୫୭୭ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ବଡକଥା ହେଉଛି, ୬ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନିବିଡିସିପି) ପୋର୍ଟାଲରୁ ହସ୍ତଗତ ତଥ୍ୟ କହୁଛି ।
ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କ୍ରମାଗତ ଭାବରେ ଯୋଜନା କରୁଛନ୍ତି, ତୃଣମୂଳରେ ସଚେତନ ହେଉଛି, ମଶାରୀ ବଣ୍ଟା ଯାଉଛି । ତଥାପି ରୋଗ ନିୟନ୍ତ୍ରଣକୁ ଆସୁନି । ବରଂ ସ୍ଥିତି ଆହୁରି ବିଗିଡିଚାଲିଛି । ତେଣୁ ମ୍ୟାଲେରିଆ ନିୟନ୍ତ୍ରଣ ଏବେ ସରକାରଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତଥ୍ୟ କହୁଛି, ୨୦୨୫ ନଭେମ୍ବର ସୁଦ୍ଧା ଦେଶରେ ୨ଲକ୍ଷ ୨୧ ହଜାର ୮୭୫ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ଓଡ଼ିଶାରୁ ସର୍ବାଧିକ ୬୦୫୭୭ ଜଣ ରୋଗୀ ରହିଛନ୍ତି । ଓଡିଶା ପରେ ଦ୍ୱିତୀୟରେ ଝାଡଖଣ୍ଡ ଓ ତୃତୀୟରେ ଛତିଶଗଡ ରହିଛି । ଝାଡଖଣ୍ଡରେ ୩୮ହଜାର୪୮୨ ରୋଗୀ ଓ ଛତିଶଗଡ଼ରେ ୨୭ହଜାର ୧୬୪ଜଣ ରୋଗୀ ଅଛନ୍ତି । ଝାଡ଼ଖଣ୍ଡ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟକୁ ଓଡିଶା ଟପିସାରିଛି । ଯାହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ।
ତେବେ ଜୁନ୍ ମାସ ସୁଦ୍ଧା ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଅଧିକ ରୋଗୀ ଅଛନ୍ତି । କଳାହାଣ୍ଡିରେ ୮୦୨୯, ରାୟଗଡ଼ାରେ ୭୦୮୧, କନ୍ଧମାଳରେ ୪୫୮୧, ମାଲକାନଗିରିରେ ୪୨୪୩, କୋରାପୁଟରେ ୩୯୯୬, ମୟୂରଭଞ୍ଜରେ ୩୪୨୧ ମ୍ୟାଲେରିଆ ରୋଗୀ ବାହାରିଛନ୍ତି । ଯଦି ଗତ ୫ବର୍ଷର ରିପୋର୍ଟ ଉପରେ ନଜର ପକାଇବା, ତେବେ ଗତ ଦୁଇବର୍ଷ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଟପିଛି । ୨୦୨୧ରେ ୨୫୫୦୩ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୧୩ଜଣ ଆଖି ବୁଜିଥିଲେ । ୨୦୨୨ରେ ୨୩୭୭୦ ରୋଗୀ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ, ୨୦୨୩ରେ ୪୧୯୭୩ ରୋଗୀ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୪ରେ ରୋଗୀ ସଂଖ୍ୟା ବଢିଥିଲେ । ସେହିବର୍ଷ ୬୮୬୯୩ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୮ଜଣଙ୍କ ପ୍ରାଣହାନୀ ହୋଇଥିଲା । ୨୦୨୫ରେ ୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେଣୁ ରାଜ୍ୟରେ କେଉଁଭଳି ଭାବରେ ମ୍ୟାଲେରିଆ ମଶାଙ୍କ ଦୌରାତ୍ମ୍ୟ ବଢିଛି, ତାହା ଏଥିରୁ ଅନୁମେୟ ।
ଅପରପକ୍ଷେ, ମ୍ୟାଲେରିଆ ନିୟନ୍ତ୍ରଣ ଓ ନିରାକରଣ ଲାଗି ୨୦୧୭ ମସିହାରେ ରାଜ୍ୟ ସରକାର "ଦମନ' ଯୋଜନା ଆରମ୍ଭ କରିଥିଲେ । ଏବେ ଏହି ଯୋଜନାର ଅବଧିକୁ ଆହୁରି ୫ବର୍ଷ ପାଇଁ ବଢ଼ାଇ ଦିଆଯାଇଛି । ତେବେ "ଦମନ'ରେ ଚିହ୍ନଟ ହେଉଥିବା ରୋଗୀଙ୍କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, କାରଣ ରୋଗୀଙ୍କ ତାଲିକା ପ୍ରକାଶ ପାଏନି । ଫଳରେ ରାଜ୍ୟରେ ପ୍ରତି ବର୍ଷ ପ୍ରକୃତରେ କେତେ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଥାଏ । ଏହା ସହ "ଦମନ' ଯୋଜନାଟି କିଭଳି ଢଙ୍ଗରେ ଚାଲିଛି ତାହାର ମଧ୍ୟ ମୂଲ୍ୟାୟନ ହେଉନାହିଁ । ଏବେ ଦମନକୁ ଆହୁରି କଡାକଡି କରାଯିବ ଓ ତୃଣମୂଳସ୍ତରରେ କାର୍ଯ୍ୟକ୍ରମ ବ୍ୟାପକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ସେହିପରି ୨୦୩୦ ମସିହା ସୁଦ୍ଧା କେନ୍ଦ୍ର ସରକାର ଦେଶରେ ମ୍ୟାଲେରିଆ ନିରାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ୨୦୨୭ସୁଦ୍ଧା ଇଣ୍ଡିଜିନିଅସ୍ ବା ନିଜ ଅଞ୍ଚଳରେ ମ୍ୟାଲେରିଆ ଚିହ୍ନଟକୁ ଶୂନ କରିବାର ଯୋଜନା ହୋଇଛି । ମ୍ୟାଲେରିଆ ବଢ଼ିବା ସଂପର୍କରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲା, ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ।
ଆହୁରି ପଢ଼ନ୍ତୁ:-ଲିଙ୍ଗରାଜ ମହାପ୍ରଭୁଙ୍କ ରୀତିନୀତି ନେଇ ଆଲୋଚନା , ଜାଗର ସମୟରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ