ନୀଳ ବିପ୍ଳବ (Blue Revolution) ଭାରତର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ବିଶାଳ ସମ୍ଭାବନା ରଖେ । ମତ୍ସ୍ୟ ଉଦ୍ୟୋଗ ବିକାଶ ଦେଶର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ରୋଜଗାର ଓ ଆୟର ମୁଖ୍ୟ ଉତ୍ସ ସୃଷ୍ଟି କରେ ଓ ପୌଷ୍ଟିକ ପ୍ରୋଟିନ ଯୋଗାଇ ପୋଷଣ ସୁରକ୍ଷାକୁ ମଧ୍ୟ ଶକ୍ତିଶାଳୀ କରେ । ଏହା ସହିତ ମତ୍ସ୍ୟ ଉତ୍ପାଦନ ଦେଶର ରପ୍ତାନିକୁ ବଢ଼ାଇ ଅର୍ଥନୈତିକ ଉନ୍ନତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇପାରେ । ସେହିପରି ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଏହି ବିପୁଳ ସମ୍ଭାବନାକୁ ଚିହ୍ନଟ କରି ତାହାକୁ ସଠିକ୍ ଭାବରେ ବିକଶିତ କରିବା ହେଉଛି ଆଜିର ଆବଶ୍ୟକତା ।
ବିଶେଷତଃ ଓଡ଼ିଶା ପରି ରାଜ୍ୟ, ଯାହାର ଦୀର୍ଘ ସମୁଦ୍ରତଟ, ପ୍ରଚୁର ଜଳସମ୍ପଦ ଓ ମାଛ ଚାଷ ଉପରେ ନିର୍ଭର କରୁଥିବା ବିଶାଳ ଜନସଂଖ୍ୟା ଅଛି, ମତ୍ସ୍ୟ ଉଦ୍ୟୋଗର ଦ୍ରୁତ ବିକାଶ ପାଇଁ ଏହା ଏକ ସୁଯୋଗମୟ ଓ ଉପଯୁକ୍ତ ଭୂମି ପ୍ରତିଷ୍ଠାର ସମ୍ଭାବନା ସୃଷ୍ଟି କରେ । ଯଥାଯୋଗ୍ୟ ନୀତି ଓ ପଦକ୍ଷେପ ମାଧ୍ୟମରେ ଏହି ଉଦ୍ୟୋଗକୁ ଆହୁରି ଶକ୍ତିଶାଳୀ କରାଗଲେ ଲକ୍ଷାଧିକ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି ସମ୍ଭବ ହେବ । ଓଡ଼ିଶାର ୨୦୨୬-୨୭ ବଜେଟରେ ମତ୍ସ୍ୟ ଓ ବ୍ଲୁ ଇକୋନୋମିକୁ ୨,୦୨୯ କୋଟି ଆବଣ୍ଟନ କରି ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ଓ ମତ୍ସ୍ୟଜୀବୀ ସଂଗଠନକୁ ବଜାର ସହଯୋଗ ସହ ଯୋଡ଼ିବା ଉଦ୍ଦେଶ୍ୟ ରଖାଯାଇଛି, ଯାହା ଗ୍ରାମୀଣ ଆୟ ବୃଦ୍ଧି ଓ ଓଡ଼ିଶା ୨୦୩୬ ଲକ୍ଷ୍ୟ ସାଧନରେ ମତ୍ସ୍ୟଜୀବୀଙ୍କୁ ସଶକ୍ତ କରି ଗଢ଼ି ତୋଳିବ ।
ଓଡ଼ିଶାରେ ମତ୍ସ୍ୟ ଉଦ୍ୟୋଗର ବିକାଶ ସୁଯୋଗ
ଓଡ଼ିଶାରେ ମତ୍ସ୍ୟ ଉଦ୍ୟୋଗର ବିକାଶ ପାଇଁ ପ୍ରାକୃତିକ ଓ ଭୌଗୋଳିକ ସମ୍ପଦ ବହୁତ ସମୃଦ୍ଧ ଭାବରେ ଉପଲବ୍ଧ । ସେଥିପାଇଁ ଓଡ଼ିଶାର ମତ୍ସ୍ୟ ଉଦ୍ୟୋଗ ଭାରତର ଗ୍ରାମୀଣ ଅର୍ଥନୀତିର ଏକ ମୁଖ୍ୟ ଇଞ୍ଜିନ ଭାବେ ସ୍ଥାପିତ ହେବାର ପ୍ରତିଷ୍ଠିତ ସମ୍ଭାବନା ରଖେ । ରାଜ୍ୟର ୫୭୪ କି.ମି. ସମୁଦ୍ରତଟ (ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ) ସମୁଦ୍ର ମାଛ ଧରା ଓ ସମୁଦ୍ର ଆଧାରିତ ମତ୍ସ୍ୟ ଚାଷ ପାଇଁ ବିଶାଳ ସୁଯୋଗ ଉପସ୍ଥାପନ କରେ । ଏସିଆର ସବୁଠାରୁ ବଡ଼ ଚିଲିକା ହ୍ରଦ ସହିତ ପ୍ରାୟ ୪.୨ ଲକ୍ଷ ହେକ୍ଟର ଅର୍ଦ୍ଧ ଲୁଣା-ଜଳାଞ୍ଚଳ, ଓଡ଼ିଶାକୁ ମାଛ ଚାଷ ଓ ଆକ୍ୱା କଲଚରରେ ମଧ୍ୟ ଅପାର ସମ୍ଭାବନା ପ୍ରଦାନ କରିଛି ।
ଓଡ଼ିଶାରେ ଭିତରି ଜଳସମ୍ପଦ ମଧ୍ୟ ଅତ୍ୟନ୍ତ ପ୍ରଚୁର । ରାଜ୍ୟରେ ପ୍ରାୟ ୯,୯୮୮ ବର୍ଗ କି.ମି. ଆନ୍ତଃ-ରାଜ୍ୟ ଜଳାଞ୍ଚଳ, ଯାହା ଭାରତର ସମୁଦାୟ ଭିତରି ଜଳାଞ୍ଚଳର ପ୍ରାୟ ୧୨ ଶତାଂଶ, ଏବଂ ପ୍ରାୟ ୧୭ ଲକ୍ଷ ହେକ୍ଟର ନଦୀ ଓ କେନାଲ ଜଳାଞ୍ଚଳ ଉପଲବ୍ଧ ଅଛି । ଏହା ସହିତ ୧୭ ଲକ୍ଷ ହେକ୍ଟର ନଦୀ/ କେନାଲ, ୭୮,୫୦୬ ଜଳଟ୍ୟାଙ୍କ (ଦ୍ୱିତୀୟ ସର୍ବାଧିକ) ଓ ୯୨,୬୧୨ ପୋଖରୀ (ଚତୁର୍ଥ ସର୍ବାଧିକ) ଓଡ଼ିଶାକୁ ମାଛ ଉତ୍ପାଦନରେ ଏକ ଭାରତୀୟ ମତ୍ସ୍ୟ-ହବ୍ ଭାବେ ଉଭୟ ଅନ୍ତର୍ଜାତୀୟ ଓ ଗ୍ରାମୀଣ ବଜାରରେ ସ୍ଥାୟୀ ସମ୍ଭାବନା ଦେଇଥାଏ । ଏହା ସହିତ ରାଜ୍ୟର ବିସ୍ତୃତ ଅର୍ଦ୍ଧ ଲୁଣା-ଜଳାଞ୍ଚଳ ଉଚ୍ଚ ମୂଲ୍ୟର ଚିଙ୍ଗୁଡ଼ି ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ, ଯାହାର ଅନ୍ତର୍ଜାତୀୟ ବଜାରରେ ବଡ଼ ଚାହିଦା ଅଛି । ବୈଜ୍ଞାନିକ ଆକ୍ୱା କଲଚର ପ୍ରଣାଳୀ ମାଧ୍ୟମରେ ଉତ୍ପାଦନ ଓ ଗୁଣବତ୍ତା ଆହୁରି ବଢ଼ିପାରିବ ।
ଏହି ସମସ୍ତ କାର୍ଯ୍ୟକଳାପକୁ ସହଯୋଗ କରୁଛି ଅନେକ ସହଯୋଗୀ ଶିଳ୍ପ ଯଥା- ମାଛ ଖାଦ୍ୟ ଶିଳ୍ପ, ଆଇସ୍ ପ୍ଲାଣ୍ଟ ଓ କୋଲ୍ଡ ଷ୍ଟୋରେଜ୍ ଏବଂ ପ୍ରୋସେସିଂ ଓ ବ୍ରାଣ୍ଡିଂ ବ୍ୟବସ୍ଥା । ସମଗ୍ର ମୂଲ୍ୟ ଶୃଙ୍ଖଳରେ ଏହି ପ୍ରୟାସଗୁଡ଼ିକ ଓଡ଼ିଶାର ମତ୍ସ୍ୟ ଉଦ୍ୟୋଗକୁ ଆର୍ଥିକ ବିକାଶ, ଗ୍ରାମୀଣ ରୋଜଗାର ଓ ରପ୍ତାନି ବୃଦ୍ଧିର ଏକ ଶକ୍ତିଶାଳୀ ଇଞ୍ଜିନ କରିପାରିବ ।
ଓଡ଼ିଶାର ମତ୍ସ୍ୟ ଉଦ୍ୟୋଗରେ ଛୋଟ ମତ୍ସ୍ୟଜୀବୀମାନେ ପ୍ରାଧାନ୍ୟ ରଖନ୍ତି, ସେଥିପାଇଁ ସମୂହ ଶକ୍ତି ଅତ୍ୟାବଶ୍ୟକ । ଶକ୍ତିଶାଳୀ ସହକାରୀ ସମିତି ମାଧ୍ୟମରେ ସମ୍ପଦ ସଂଗ୍ରହ, ଋଣ ଓ ବୀମା ସୁବିଧା, ଆଧୁନିକ ଉପକରଣର ପ୍ରାପ୍ତି ଏବଂ ମତ୍ସ୍ୟଜୀବୀମାନଙ୍କର ବାର୍ଗେନିଂ କ୍ଷମତା ବଢ଼ିପାରେ । ଏଜେଣ୍ଟମାନଙ୍କ ଭୂମିକା କମାଇ, ନ୍ୟାୟସଙ୍ଗତ ଦର ସୁନିଶ୍ଚିତ କରି, ମହିଳା ଏସଏଚଜି’ଙ୍କୁ ପ୍ରୋତ୍ସାହନ ଓ ସିଧା ବଜାର ସଂଯୋଗ ସୃଷ୍ଟି କରି ସହକାରୀ ସମିତିଗୁଡ଼ିକ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିବ ।
ମତ୍ସ୍ୟ ଉଦ୍ୟୋଗ ବିକାଶର ତିନିଟି ସ୍ତମ୍ଭ
ସୁଚିନ୍ତିତ ମତ୍ସ୍ୟ ଉଦ୍ୟୋଗ ବିକାଶ ମାଧ୍ୟମରେ ଓଡ଼ିଶା ବ୍ଲୁ ଇକୋନୋମି’ରେ ଅଗ୍ରଣୀ ରାଜ୍ୟ ହେବା ସହିତ ଜିଏସ୍ଡିପି ବୃଦ୍ଧି, ଗ୍ରାମୀଣ ସମୃଦ୍ଧି ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟରେ ବିଶାଳ ଅବଦାନ ରଖିପାରିବ । ଏହି ପଦକ୍ଷେପକୁ ସଫଳ କରିବା ପାଇଁ ତିନିଟି ସ୍ତମ୍ଭ (୩ I’s– Infrastructure, Innovation,) ଉପରେ ନିର୍ଭର କରାଯିବା ଅତ୍ୟାବଶ୍ୟକ । ପ୍ରଥମ- Infrastructure: ଆଧୁନିକ ମାଛ ହାର୍ବର, କୋଲ୍ଡ ଚେନ୍, ପ୍ରୋସେସିଂ ଇଉନିଟ୍ ଓ ଏକ୍ସପୋର୍ଟ ହବ୍ ନିର୍ମାଣ କରି ମାଛଧରା, ସଞ୍ଚୟ ଓ ବଜାର ଅଭିଗମ୍ୟତା ସୁଦୃଢ଼ କରାଯିବ । ଦ୍ୱିତୀୟInnovation: ବୈଜ୍ଞାନିକ ଆକ୍ୱା କଲଚର, ଡିଜିଟାଲ ମାଛ ବଜାରକରଣ ଓ ଜଳବାୟୁ-ସହନଶୀଳ ମାଛଧରା ପ୍ରଣାଳୀ ମାଧ୍ୟମରେ ଉତ୍ପାଦନ ବଢ଼ିବା ସହ ସ୍ଥାୟିତ୍ୱ ନିଶ୍ଚିତ ହେବ । ତୃତୀୟ- Inclusion:: ମତ୍ସ୍ୟଜୀବୀ ସହକାରୀ ସମିତି, ମହିଳା ଏସ୍ଏଚଜି ଓ ଆଦିବାସୀ/ସମୁଦ୍ରତଟ ଲୋକମାନଙ୍କର ସଶକ୍ତିକରଣ ଦ୍ୱାରା ଗ୍ରାମୀଣ ଆୟ ଓ ଜୀବିକା ସୁଦୃଢ଼ କରାଯିବ ।
ଆଜିର ଆବଶ୍ୟକତା ସମୟର ଆବଶ୍ୟକତା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରୟାସକୁ ମିଳାଇ ମତ୍ସ୍ୟ ଉଦ୍ୟୋଗ ପାଇଁ ବିକାଶ କାର୍ଯ୍ୟ ନିଷ୍ପାଦନ ପଥରେ ସମୟସୀମା ନିର୍ଦ୍ଧାରିତ କାର୍ଯ୍ୟନ୍ୱୟନ କରିବା । ଅତ୍ୟନ୍ତ ଆବଶ୍ୟକ ପଦକ୍ଷେପ ହେଉଛି- ସମସ୍ତ ସହକାରୀ/ଏଫପିଓ/ଏସ୍ଏଚଜି’ମାନଙ୍କୁ କ୍ଲଷ୍ଟର ଆଧାରିତ ସମ୍ପୂର୍ଣ୍ଣ କଭରେଜ୍ ଦେବା, ନିର୍ବାହ ହୋଇଥିବା ସହକାରୀ ସମିତି/ଏଫପିଓ’ଙ୍କର ପୁନରୁତ୍ଥାପନ, ଟିୟର ଗଠନ ଶକ୍ତିଶାଳୀ କରିବା ଓ ମତ୍ସ୍ୟ କାର୍ଯ୍ୟକଳାପରେ ସ୍ତରବଦ୍ଧ ଗଠନ ଶକ୍ତିଶାଳୀ କରିବା, ଡିଜିଟାଲ ଫର୍ମାଲାଇଜେସନ୍ ଓ ରାଜ୍ୟ-ଜାତୀୟ ମତ୍ସ୍ୟ ସହକାରୀ ସଂଘ (FISHCOPFED), ରାଜ୍ୟ- କେନ୍ଦ୍ରୀୟ ମତ୍ସ୍ୟ ବିଭାଗ ମାଧ୍ୟମରେ ସାମାଜିକ ସୁରକ୍ଷା, ସଦସ୍ୟ ଶିକ୍ଷା ଓ କ୍ଷମତା ବୃଦ୍ଧି, ଜିଲ୍ଲାସ୍ତର ଢାଞ୍ଚା, ଜଳାଶୟ ଲିଜ୍ ନୀତି, ସଦସ୍ୟ ପୁଞ୍ଜି କ୍ୟାପିଟାଲ ଶକ୍ତି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (PMMSY/FIDF)ର ସଂଯୋଜନ, ବଜାର ଓ ରପ୍ତାନି ସମ୍ଭାବନା ସୃଷ୍ଟି, ପ୍ରଭାବଶାଳୀ ଶାସନ ଓ ନିରୀକ୍ଷଣ ଆଦି ମତ୍ସ୍ୟ ଉଦ୍ୟୋଗକୁ ଏକ ସ୍ଥାୟୀ ଓ ଉଚ୍ଚ ବୃଦ୍ଧିଶୀଳ ସେକ୍ଟରରେ ପରିଣତ କରିପାରିବ । ଏହା ସହିତ ଓଡ଼ିଶା ବିକଶିତ ଭାରତ ୨୦୪୭ ଲକ୍ଷ୍ୟରେ ଆଶାନୁରୂପ ଅବଦାନ ଦେଇ ଜଳ, ମାଛ ଓ ସମୁଦ୍ର ସମ୍ପଦକୁ ଦୀର୍ଘକାଳୀନ ଭାବେ ସୁସ୍ଥ ଓ ସମୃଦ୍ଧ କରିପାରିବ ।
(ଲେଖକ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶ ପରିଷଦ ଦିଲ୍ଲୀରେ ସଂଯୁକ୍ତ ସଚିବ ଭାବେ କାର୍ଯ୍ୟରତ । ମତାମତ ନିଜସ୍ୱ )