ନୂଆଦିଲ୍ଲୀ, ୦୬/୦୬ : ସମୁଦ୍ର ମନ୍ଥନକୁ ବଡ଼ ସଫଳତା। ଆଣ୍ଡାମାନରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ। ହାଇଡ୍ରୋକାର୍ବନ୍ ହବ୍ ହେବ ଭାରତ। ଅଏଲ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ସମୁଦ୍ର ଗର୍ଭରୁ ଏହି ପ୍ରାକୃତିକ ଗ୍ୟାସର ଭଣ୍ଡାରକୁ ଠାବ କରିଛି। ଏହି ସ୍ଥାନ ଆଣ୍ଡାମାନର ପୂର୍ବ ଉପକୂଳଠୁ ମାତ୍ର ୧୫କିଲୋମିଟର ଦୂରରେ ରହିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ଖୁସି ଖବର ଦେଇଛନ୍ତି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ଵବ୍ୟାପୀ ଗ୍ୟାସ୍ ଏବଂ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଏଲପିଜି ଦର ଆକାଶ ଛୁଆଁ ରହିଛି। ଏହି ତୈଳ ସଙ୍କଟ ମଧ୍ୟରେ ଏକ ଆଶ୍ଵସ୍ତିକର ଖବର ମିଳିଛି। ଆଣ୍ଡାମାନ ସାଗର ତଳେ ବିରାଟ ପ୍ରାକୃତିକ ଗ୍ୟାସର ଭଣ୍ଡାର ଠାବ ହୋଇଛି। ଏହି କୂଅଟି ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଉପକୂଳରୁ ପ୍ରାୟ ୧୫ କିମି ଦୂର ବିଜୟପୁରମ-୩ରେ ଅବସ୍ଥିତ। ଆଇଓସିଏଲ ପକ୍ଷରୁ ଏଠାରେ ଖନନ ଆରମ୍ଭ ହୋଇଛି। ଏହି ପ୍ରାକୃତିକ ଗ୍ୟାସ୍କୁ ବ୍ୟବହାର କରି ପିଏନଜି, ସିଏନଜି ଏବଂ ଅନ୍ୟ ଅଶୋଦ୍ଧିତ ତୈଳ, ପେଟ୍ରୋ କେମିକାଲ୍ସ, ହାଇଡ୍ରୋଜେନ୍ ଆଦି ପ୍ରସ୍ତୁତ କରାଯାଇ ପାରିବ। ଏହି ଅଞ୍ଚଳରେ କମ୍ପାନୀର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ହାଇଡ୍ରୋକାର୍ବନ ଆବିଷ୍କାର। ପୂର୍ବରୁ ୨୦୨୫ ସେପ୍ଟେମ୍ଵରରେ ବିଜୟପୁରମ-୨ରେ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା । ଏବେ ନୂଆ ସ୍ଥାନରେ ହାଇଡ୍ରୋକାର୍ବନର ଉପସ୍ଥିତି ସକରାତ୍ମକ ସଙ୍କେତ ଦେଉଛି।

ଆହୁରି ପଢନ୍ତୁ- ମାଆଙ୍କୁ ପିଟୁଥିଲା ମଦୁଆ ପୁଅ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ମାରିଦେଲା ବାପା

ବିଜୟପୁରମ-୩ରେ ୩୫୫ ମିଟର ଗଭୀରତାରେ ଖନନ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରେ ୧୯୦୦ ମିଟରରୁ ଅଧିକ ଗଭୀରତାରେ ପ୍ରାକୃତିକ ଗ୍ୟାସର ସଙ୍କେତ ମିଳିଥିଲା। ପରେ ନିରନ୍ତର ଗ୍ୟାସ ନିର୍ଗମନ ହୋଇଥିଲା। ଯାହା ଏହାର ଉପସ୍ଥିତିକୁ ନିଶ୍ଚିତ କରିଥିଲା। ତେବେ ଆଗକୁ ଆଣ୍ଡାମାନରୁ ଆହୁରି ପ୍ରାକୃତିକ ଗ୍ୟାସ୍ର ଠିକଣା ମିଳିବ ବୋଲି ଆଇଓସିଏଲ୍ ଆଶାବାଦୀ ଅଛି। ତେବେ ଏହି ଗ୍ୟାସ୍କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଉତ୍ପାଦନ କରିହେବ କି ନାହିଁ ତାହା ଏଯାଁଏ ସ୍ପଷ୍ଟ ହୋଇନି। ବିଭିନ୍ନ ଟେଷ୍ଟ ମାଧ୍ୟମରେ ଏହା ଜଣାପଡ଼ିବ। କମ୍ପାନୀ ଏବେ ସାମ୍ପଲ ନେଇ ଯାଞ୍ଚ କରୁଛି। ଏହାଦ୍ଵାରା ଗ୍ୟାସର ଗୁଣବତ୍ତା ଏବଂ ଉର୍ଜା କ୍ଷମତା ବିଷୟରେ ଜଣାପଡ଼ିବ। କେବଳ ସେତିକି ନୁହେଁ, ଏହି ପ୍ରାକୃତିକ ଗ୍ୟାସ୍ କେଉଁ ସ୍ରୋତରୁ ତିଆରି ହୋଇଛି ସେନେଇ ବୈଜ୍ଞାନିକ ଗବେଷଣା ଚଳାଇଛନ୍ତି।

Plastic Free Balangir ପାଇଁ Dr. Manmohan Bagଙ୍କ ନିଆରା ପ୍ରୟାସ