ଆଜିର ବୁଦ୍ଧିମାନ ମଣିଷ ନିଜର ସାଧାରଣ ଜ୍ଞାନକୁ ଉପଯୋଗ କରି ଗଛ ଲଗେଇବା ଓ ଥିବା ଗଛଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଗଭରହେବା ଉଚିତ୍ । ନଚେତ୍ ବୁଢ଼ା ବରଗଛ ଭଳି ଜୀବନ ରକ୍ଷାକାରୀ ଗଛଗୁଡ଼ିକର ନିଃଶ୍ୱାସରେ ଏ ମାନବ ସମାଜ ଧ୍ୱଂସକୁ ନିମନ୍ତ୍ରଣ କରିବ । ତାପମାତ୍ରା ବୃଦ୍ଧି, ବୃଷ୍ଟିହୀନତା, କାଳବୈଶାଖୀ ଭଳି ଅକାଳ ଦୈବୀ ଦୁର୍ବିପାକ ଏ ଜୀବଜଗତକୁ ନିପାତ କରିଦେବ । ତେଣୁ ପ୍ରତିକାର ହିଁ ପ୍ରତିଷେଧ । ଆସନ୍ତୁ ଗଛ ଲଗେଇବା, ବଞ୍ଚେଇବା ଓ ସୁରକ୍ଷା ଦେଇ ନିଜେ ଓ ନିଜ ପରିବେଶକୁ ସୁରକ୍ଷିତ ରଖିବା ।
ଗାଁମୁଣ୍ଡରେ ବିରାଟକାୟ ପ୍ରାଚୀନ ବରଗଛ । କାହିଁ କେଉଁ କାଳରୁ କୁଳବୃଦ୍ଧ ଭଳି ଛିଡ଼ା ହୋଇଛି ଶହ ଶହ ବର୍ଷର ସ୍ମୃତିକୁ ନେଇ । ପିଢ଼ି ପିଢ଼ି ଧରି ଗ୍ରାମବାସୀଙ୍କୁ ସେବା ଓ ସମର୍ପଣର ଅନେକ ଶିକ୍ଷା ଦେଇଛି ଏ ବୁଢ଼ା ବରଗଛ । ଗାଁର ଅଶିତିପର ବୃଦ୍ଧବୃଦ୍ଧାଙ୍କ ମତରେ, ବରଗଛଟି ଦୁଇଶହ କି ଅଧିକ ବର୍ଷର । ଗଛ ମୂଳରେ ଗାଁ ବୁଢ଼ୀ ଠାକୁରାଣୀଙ୍କର ନିବାସ । ମାଆ ଗ୍ରାମବାସୀଙ୍କୁ ପଣତ ଘୋଡ଼େଇ ରଖି ସୁରକ୍ଷା କବଚ ଭଳି ଶୁଭାଶିଷ ଦିଅନ୍ତି ବୋଲି ଗ୍ରାମବାସୀମାନେ କହନ୍ତି । କିମ୍ବଦନ୍ତୀ ଅନୁସାରେ, ମାଆ ବୁଢ଼ୀ ଠାକୁରାଣୀ ନିଜ ପାଇଁ ମନ୍ଦିର ନତୋଳି ଗଛମୂଳେ ରହିବାର ଅଭୟ ଦେଇଛନ୍ତି ବୋଲି ଲୋକଙ୍କ ବିଶ୍ୱାସ । ସେଥିପାଇଁ ମନ୍ଦିର ନିର୍ମାଣ ହୋଇନାହିଁ ଆଜିଯାଏଁ । ସଂପୂର୍ଣ୍ଣ ବାଲ୍ୟକାଳ ସେହି ବରଗଛ ମୂଳେ କଟିଛି । ଖାଇବା ପିଇବା ସାରି ଦିନସାରା ସେହି ଗଛମୂଳେ କିଲି ଖେଳ, କ୍ରିକେଟ, କବାଡ଼ି, ବୋହୂଚୋରି ଆଉ କେତେବେଳେ ମିଛିମିଛିକା ପ୍ରହଲାଦ ନାଟକ (ଗଞ୍ଜାମରେ ରଜାନାଟ ଭାବରେ ପ୍ରସିଦ୍ଧ), ସୀତା ଚୋରି, ଅଭିମନ୍ୟୁ ବଧ ଇତ୍ୟାଦି ସାଙ୍ଗ ମେଳରେ ଗଛ ଛାଇରେ କରିଛୁ । ଗଛର ଓହଳରେ ଖୁବ୍ ଦୋଳି ଖେଳିଛୁ । ଅନେକ ଥର ଡାଳମାଙ୍କିଡ଼ି ଖେଳ ମଧ୍ୟ ସେହି ବରଗଛ ଉପରେ ହେଇଚି । ଗାଁ ବୁଢ଼ାବୁଢ଼ୀମାନେ ଠାକୁରାଣୀଙ୍କ ଗଛ ଚଢ଼ିବାକୁ ବାରଣ ସତ୍ତେ୍ୱ ଲୁଚିଛପି ଖେଳୁଥିଲୁ । ପୂର୍ବପଟେ ଗଛର ଏକ ବିରାଟ ପୁଆ (ଶାଖା) ମନୋଜ ଦାସଙ୍କ ଅବୋଲକରା କାହାଣୀର ଆଣ୍ଠୁମାଡ଼ି ଶୋଇଥିବା ଷଣ୍ଢ ଭଳି ପ୍ରାୟତଃ ଭୂମିକୁ ଲାଗି ରହିଥିଲା । ଆମେ ମାଙ୍କଡ଼ ଦଳ ସେଇପଟେ ଗଛ ଉପରେ ଚଢୁଥିଲୁ ।
ସତ କହିବାକୁ ଗଲେ ଗାଁ ମୁଣ୍ଡରେ ଛିଡ଼ା ହୋଇଥିବା ବରଗଛଟି ଗ୍ରାମବାସୀଙ୍କ ପାଇଁ କଳ୍ପବଟ ତୁଲ୍ୟ । ଗାଁ ମହିଳାମାନେ ପାରମ୍ପରିକ ଭାବରେ ବରଗଛ ମୂଳେ ଶନି ଦେବଙ୍କ ପୂଜା କରିଥାନ୍ତି । କେବଳ ଗ୍ରାମବାସୀ ନୁହଁନ୍ତି, ବର୍ଷ ବର୍ଷ ଧରି ପଶୁପକ୍ଷୀଙ୍କ ବାସସ୍ଥଳୀ । ଗଛର କୋରଡ଼ ପଶୁମାନଙ୍କର ସୁରକ୍ଷିତ ବାସଘର । ଗଛର ପ୍ରତି ଡାଳରେ ଅଗଣିତ ପକ୍ଷୀମାନଙ୍କର ବସା । ସକାଳ ସଞ୍ଜରେ ପକ୍ଷୀମାନଙ୍କର କାକଳିରେ ଚଳଚଞ୍ଚଳ ଆଖପାଖ ଅଞ୍ଚଳ । ପ୍ରଚଣ୍ଡ ଖରାର ତାତିକୁ ସହ୍ୟ କରିନପାରି ଗାଈଗୋରୁ, ଛେଳି, ମେଣ୍ଢାପଲ, ମଇଁଷି, ଆଦି ଗୃହପାଳିତ ପଶୁମାନନ ବିଶ୍ରାମ ନିଅନ୍ତି ସେହି ବଟଗଛ ମୂଳେ । ସ୍ପଷ୍ଟ ଭାବରେ କହିଲେ, ବୃଦ୍ଧ ବରଗଛ ଗ୍ରାମବାସୀଙ୍କ ପାଇଁ ଶୈଶବର ଖେଳଘର, ଯୌବନର ଉପବନ ଓ ବାର୍ଦ୍ଧକ୍ୟର ସାହାରା ।
ଆଜି କିନ୍ତୁ ଗଛର ପକ୍ଷଛେଦ ହୋଇଛି । କଲ୍ୟାଣ ମଣ୍ଡପ, କୋଠଘର ଏବଂ ମନ୍ଦିର ସାମ୍ନାରେ ଗଢ଼ି ଉଠିଥିବା ମଣ୍ଡପ ହେତୁ ବରଗଛର କଳେବର ସଙ୍କୁଚିତ ହୋଇଛି । ତଥାପି ଅତୀତର ମୂଖସାକ୍ଷୀ ବରଗଛର ମୂଳ ଗଣ୍ଡିଟି ଓହଳ ସହାୟତାରେ ଠିଆ ହୋଇଛି ଅନାଦି କାଳରୁ । ଚାରିପଟେ କଂକ୍ରିଟ ଚଉତରା ଓ ରାସ୍ତା ଯୋଗୁଁ ବରଗଛ ଗୃହବନ୍ଦୀ । ବଢ଼ିବାର ସୁଯୋଗ ନଥିବାରୁ ଗଛ ଆଜି ଅସହାୟ ଓ ନିଃସହାୟ । ଓହଳଗୁଡ଼ିକ ବଳ ଦେବା ପାଇଁ ଉପରୁ ଲମ୍ବିଛି, ହେଲେ ତଳେ ସିମେଣ୍ଟ ରାସ୍ତା ଓ ଚଉତରା ଭେଦି ନିଜ ଅସ୍ତିତ୍ୱ ପାଇଁ କିଛି କରିପାରୁ ନାହିଁ । ବରଗଛଟିକୁ ଦେଖିବା ପରେ ବହୁତ ଦୁଃଖ ହେଲା ।
ଗଛଟି କିଛି କହି ପାରୁନଥିଲେ ମଧ୍ୟ ପିଲାବେଳରୁ ସମ୍ପର୍କ ଥିବା ହେତୁ ଅନୁଭବ କରିହେଉଥିଲା କି ସିମେଣ୍ଟ ବା କଂକ୍ରିଟ ବାଡ଼ ପାଇଁ ସେ ମର୍ମାହତ, ଅସହାୟ, ନିଜର ଅସ୍ତିତ୍ୱ ଓ ଅସ୍ମିତା ପାଇଁ ସଂଘର୍ଷରତ । ବରଗଛର ଦୁଃଖକୁ ବୁଝି ପାରିଥିବା ଅବସରପ୍ରାପ୍ତ ଇଞ୍ଜିନିୟର ରାମବାବୁଙ୍କ ମତରେ- ବରଗଛ ଆଜି ବୁଢ଼ାବୁଢ଼ୀ ବାପାମାଆଙ୍କ ଭଳି । ପୁଅମାନଙ୍କ ମଧ୍ୟରେ ମାସେ, ଦୁଇ ମାସ, ଛଅ ମାସ ବା ବର୍ଷେ ପାଇଁ ଭାଗବଣ୍ଟା ହେଲା ଭଳି ଗଛଟି ଲୋକଙ୍କ ଦ୍ୱାରା ଉପେକ୍ଷିତ । କିଏ ଆସି ରାସ୍ତା ନାମରେ ଗଛର ଶାଖା ଛେଦ କରୁଛି ତ ଆଉ କିଏ ବନ୍ୟା ଆଶ୍ରୟସ୍ଥଳୀ, କଲ୍ୟାଣ ମଣ୍ଡପ, ଭାଗବତ ଗାଦି ଆଦି ବିଭିନ୍ନ ନାମରେ ବୟୋବୃଦ୍ଧ ବରଗଛଟିକୁ ନିର୍ମମ ଭାବରେ କ୍ଷତାକ୍ତ କରିଚାଲିଛି ଏ ସ୍ୱାର୍ଥୀ ମଣିଷମାନେ । ତଥାପି ସେମିତି ଗ୍ରାମବାସୀଙ୍କୁ ଆଶୀର୍ବାଦ ଢାଳି ଆସିଛି ତରୁବର³ ଯଦିଓ ମୂଳଟି ସଂପୂର୍ଣ୍ଣ ଦୁର୍ବଳ ହେଇସାରିଲାଣି ।
କେବଳ ଗୋଟିଏ ଗାଁର କିମ୍ବଦନ୍ତୀ ବରଗଛ ନୁହେଁ, ସାରା ଦେଶ ଓ ରାଜ୍ୟରେ ଗଛଗୁଡ଼ିକର ଅବସ୍ଥା ସେହିଭଳି ଦୟନୀୟ । ଗାଁ ଦାଣ୍ଡରେ ଆଉ ମାଟି ମୁଠାଏ ନାହିଁ । ସବୁଠି ସିମେଣ୍ଟ ରାସ୍ତା ବା ଫେବରବ୍ଲକ ଚଟାଣ । ଆମ୍ବତୋଟା, ନଈପଠା, ଗୋଚର ଜମି, ବୁଦାଳିଆ କେନାଲ ପାଖ, ପଞ୍ଚବୃକ୍ଷ, ଚାରିଆଡ଼େ ସବୁଜିମାଭରା ପରିବେଶ ଇତ୍ୟାଦି ଆଉ ଗାଁର ଗୌରବ ନାହିଁ । ସବୁଆଡ଼େ ଆଧୁନିକୀକରଣ, ଦୁର୍ଗନ୍ଧ । ବିକାଶ ନାମରେ ବୃକ୍ଷଗୁଡ଼ିକୁ ଅତ୍ୟନ୍ତ ନିର୍ମମ ଭାବରେ ବିନାଶ କରାଯାଉଛି, ଯାହାକି ଚିନ୍ତାଜନକ । ସମସ୍ତେ ଜାଣନ୍ତି ଯେ, ବରଗଛ ଭଳି ବୃକ୍ଷଗୁଡ଼ିକ ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ । ଗୋଟିଏ ବରଗଛ ସଂପୂର୍ଣ୍ଣ ଗାଁଟିକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ । ତାର ବିଶାଳ କାୟାରେ ଶହ ଶହ ପକ୍ଷୀଙ୍କର ଆଶ୍ରୟସ୍ଥଳୀ । ତା'ର ମୂଳରେ ବାଟୋଇ ଠାରୁ ଆରମ୍ଭ କରି ଅଧିବାସୀମାନେ ବିଶ୍ରାମ କରିପାରନ୍ତି । ବିଶେଷକରି ବର୍ତ୍ତମାନ ଯେଭଳି ତାପମାତ୍ରା ବଢ଼ିଚାଲିଛି ଓ ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ ହେଉଛି, ସେତେବେଳେ ବରଗଛ ନିଶ୍ଚିତ ଭାବରେ ନିର୍ଭରଯୋଗ୍ୟ ଆଶ୍ରୟସ୍ଥଳୀ ।
ସତକୁ ସତ ଏବେ ମଧ୍ୟ ମଧ୍ୟାହ୍ନ ସମୟରେ ମୋ ବାଲ୍ୟଜୀବନ କଟିଥିବା ଗାଁର ଅନେକ ଲୋକ ସେହି ଅର୍ଦ୍ଧଭଗ୍ନ ବରଗଛ ମୂଳେ ଆଶ୍ରୟ ନେଉଛନ୍ତି । ତଥାପି ଗଛଟିର ଦୁଃଖ ଅନେକ ବୁଝିପାରୁ ନାହାଁନ୍ତି, ଯାହାକି ପରିତାପର ବିଷୟ । କିନ୍ତୁ ଏ ବୁଦ୍ଧିମାନ ମଣିଷ ନିଜର ସାଧାରଣ ଜ୍ଞାନକୁ ଉପଯୋଗ କରି ଗଛ ଲଗେଇବା ଓ ଥିବା ଗଛଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଗଭର ହେବା ଉଚିତ୍ । ନଚେତ୍ ବୁଢ଼ା ବରଗଛ ଭଳି ଜୀବନ ରକ୍ଷାକାରୀ ଗଛଗୁଡ଼ିକର ନିଃଶ୍ୱାସରେ ଏ ମାନବ ସମାଜ ଧ୍ୱଂସକୁ ନିମନ୍ତ୍ରଣ କରିବ । ତାପମାତ୍ରା ବୃଦ୍ଧି, ବୃଷ୍ଟିହୀନତା, କାଳବୈଶାଖୀ ଭଳି ଅକାଳ ଦୈବୀ ଦୁର୍ବିପାକ ଏ ଜୀବଜଗତକୁ ନିପାତ କରିଦେବ । ତେଣୁ ପ୍ରତିକାର ହିଁ ପ୍ରତିଷେଧ । ଆସନ୍ତୁ ଗଛ ଲଗେଇବା, ବଞ୍ଚେଇବା ଓ ଓ ସୁରକ୍ଷା ଦେଇ ନିଜେ ଓ ନିଜ ପରିବେଶକୁ ସୁରକ୍ଷିତ ରଖିବା