ମାଲକାନଗିରି, ୧୧/୧୧ (ଆପ୍ର ) : ଗୋଟିଏ ଗୋଡ ନାହିଁ। କିନ୍ତୁ ତଥାପି ହାର ମାନି ନାହାନ୍ତି ବୃଦ୍ଧ । ଗୋଟିଏ ଗୋଡରେ ଏକୁଟିଆ ବୃଦ୍ଧ ଜଣକ ତୀର୍ଥ ଭ୍ରମଣ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଗୋଟିଏ ଗୋଡରେ ସେ ମାଲ୍ୟବନ୍ତ ପର୍ବତ ଚଢି ମିଳିକେଶ୍ବର ଶୈବପୀଠ ଦର୍ଶନ କରିଛନ୍ତି। ବୃଦ୍ଧ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା କଣ୍ଟାପାଳ ଗ୍ରାମର ଦ୍ଧ ମଦନ ମୋହନ ପ୍ରଧାନ । ମାଲକାନଗିରି ଜିଲ୍ଲା ମାଲ୍ୟବନ୍ତ ପର୍ବତ ଶିଖରରେ ଥିବା ମଲିକେଶ୍ୱର ଦର୍ଶନ ପାଇଁ ପାହାଡ଼ ଚଢିଛନ୍ତି ଗୋଟେ ବାଡ଼ି ସାହାଯ୍ୟରେ। ଭଲ ଲୋକ ପାହାଡ଼ ଚଢି ମିଳିକେଶ୍ୱର ଦର୍ଶନ କରିପାରୁ ନଥିବା ବେଳେ ଗୋଡ ଟିଏ ନଥାଇ ଭିନ୍ନକ୍ଷମ ବୃଦ୍ଧ ଜୀବନରେ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି।
ଅନୁଗୁଳ ଜିଲ୍ଲାର ମଦନ ମୋହନ ପ୍ରଧାନ ୧୯୮୯ ମସିହାରେ ସେ ଗଛରୁ ପଡ଼ି ଗୋଟେ ଗୋଡ ହରାଇଥିଲେ। ୨୨ ବର୍ଷ ବୟସରେ ସେ ଭାରତର ସମସ୍ତ ପବିତ୍ର ତୀର୍ଥସ୍ଥାନ ବୁଲିବେ ବୋଲି ସ୍ଥିର କରିଥିଲେ।ଗୋଟେ ଗୋଡ ଓ ଗୋଟେ ଲାଠି ସାହାଯ୍ୟରେ ସେ ଦେଶର ପବିତ୍ର ସ୍ଥାନ ଗୁଡ଼ିକୁ ବୁଲୁଛନ୍ତି। ଏବେ ସେ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ମଳିକେଶ୍ୱର ମନ୍ଦିରକୁ ପହଞ୍ଚି ଦର୍ଶନ ପାଇଁ ପାହାଡ଼ ଚଢି ଯାଇଛନ୍ତି।
ତାଙ୍କ ଜୀବନ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ, ନିୟମିତ ଭୋଜନ ନାହିଁ, କି ସବୁଦିନ ଶୋଇବା ନାହିଁ। ତଥାପି ମଦନ ମୋହନ କହିଛନ୍ତି,“ଭଗବାନ ମୋ ଗୋଟେ ଗୋଡ ନେଇଛନ୍ତି, କିନ୍ତୁ ଗୋଟେ ଗୋଡ ଦେଇଛନ୍ତି, ତା ସାହାଯ୍ୟରେ ମୁଁ ଚାଲୁଛି।”
ବୃଦ୍ଧ ବୟସରେ ମଧ୍ୟ ଏପରି ଅଦମ୍ୟ ସାହସ ଓ ଭକ୍ତି ଦେଖାଇ ସେ ମଣିଷ ସମାଜ କୁ ପ୍ରେରଣା ଦେଵା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଆହୁରି କହିଛନ୍ତି,“ମୋ ଯାତ୍ରାକୁ ଭଗବାନ ଆଗେଇ ନେଉଛନ୍ତି, ମୁଁ ମାତ୍ର ତାଙ୍କ ନିର୍ଦ୍ଦେଶ ମାନି ମୋର ଇଛା ପୁରଣ କରୁଛି। ଜଣେ ଦିବ୍ୟାଙ୍ଗ ବୃଦ୍ଧ ଙ୍କ ଅସୀମ ସାହସ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ।