ନୂଆଦିଲ୍ଲୀ, ୧୧।୩: ଆପଣଙ୍କ ଘରେ ପୁରୁଣା ମୋବାଇଲ୍ ଫୋନ୍ ଅଛି ? ଯଦି ହଁ, ତେବେ ଏ ଖବରଟିକୁ ସ୍କିପ୍ ନ କରି ଭଲ ଭାବେ ପଢ଼ିନିଅନ୍ତୁ । ସଚେତନ ହେଲେ ଆଗୁଆ ବିପଦରୁ ବର୍ତ୍ତିଯିବେ । ସାମାନ୍ୟ ଅସାବଧାନତା ଯୋଗୁଁ ଆପଣଙ୍କ ପୁରୁଣା ଫୋନର ବ୍ୟାଟେରୀ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ହୋଇପାରେ, ଯାହା ଏକ ବଡ଼ ଦୁର୍ଘଟଣାର କାରଣ ସାଜିପାରେ । ନିକଟରେ ମଧ୍ୟପ୍ରଦେଶର ରିୱା ଜିଲ୍ଲାରୁ ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଥିଲା । ଏକ ପୁରୁଣା ଫୋନର ବ୍ୟାଟେରୀ ସହ ଖେଳୁଥିବା ସମୟରେ ତାହା ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଭାଇ ଗମ୍ଭୀର ଭାବେ ଆହତ ହୋଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଜଣେ ଶିଶୁର ହାତର ବୁଢ଼ା ଆଙ୍ଗୁଠି କଟିଯାଇଥିବା ବେଳେ ଅନ୍ୟ ଚାରୋଟି ଆଙ୍ଗୁଠି ମଧ୍ୟ ଜଳିଯାଇଥିଲା ।
ଏହା ବି ପଢ଼ନ୍ତୁ... ଆଉ ଦରକାର ନାହିଁ ଚାବି କାଠି ! ସାମସଙ୍ଗ ଫୋନ୍ରେ ଖୋଲିବ ଘରର କବାଟ
ପୁରୁଣା ବ୍ୟାଟେରୀ କାହିଁକି ବିପଜ୍ଜନକ ?
ଆଧୁନିକ ସ୍ମାର୍ଟଫୋନରେ ଲିଥିୟମ୍-ଆୟନ୍ ବ୍ୟାଟେରୀ ବ୍ୟବହାର କରାଯାଇଥାଏ । ଏହି ବ୍ୟାଟେରୀଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ସମୟସୀମା ଥାଏ । ସମୟ ଅତିକ୍ରାନ୍ତ ହେବା ସହ ବ୍ୟାଟେରୀ ଦୁର୍ବଳ ହୋଇଯାଏ ଏବଂ ଫୁଲିବାକୁ ଲାଗେ । ଅନେକ ଲୋକ ବ୍ୟାଟେରୀ ଫୁଲିଥିଲେ ମଧ୍ୟ ସେହି ଫୋନକୁ ବ୍ୟବହାର କରିବା ଜାରି ରଖନ୍ତି, ଯାହା ମୃତ୍ୟୁକୁ ନିମନ୍ତ୍ରଣ ଦେବା ସହ ସମାନ । ଲିଥିୟମ୍ ଏକ ଅତ୍ୟନ୍ତ ବିସ୍ଫୋରକ ରାସାୟନିକ ପଦାର୍ଥ । ଅଧିକ ଗରମ କିମ୍ବା ଚାପ ପାଇଲେ ଏହା ତୁରନ୍ତ ନିଆଁ ଧରିଥାଏ ।
ଶରୀର ଉପରେ କି ପ୍ରଭାବ ପଡ଼େ ?
ବ୍ୟାଟେରୀ ଫୁଲିଗଲେ ସେଥିରୁ ବିଷାକ୍ତ କେମିକାଲ୍ ଲିକ୍ ହେବାର ସମ୍ଭାବନା ଥାଏ । ଏହି କେମିକାଲ୍ ସଂସ୍ପର୍ଶରେ ଆସିଲେ ଚର୍ମ ପୋଡ଼ିଯିବା କିମ୍ବା ସଂକ୍ରମଣ ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ, ବ୍ୟାଟେରୀରୁ ନିର୍ଗତ ଗ୍ୟାସ୍ ଏବଂ ତରଳ ପଦାର୍ଥ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ, ଏହାଦ୍ୱାରା ଦୃଷ୍ଟିଶକ୍ତି ମଧ୍ୟ ଯାଇପାରେ । ପୁରୁଣା ବ୍ୟାଟେରୀ ଭିତରେ ଥିବା 'ସେପାରେଟର ଫିଲ୍ମ' ସମୟକ୍ରମେ ଦୁର୍ବଳ ହୋଇ ଛିଣ୍ଡିଯାଏ । ଫଳରେ ବ୍ୟାଟେରୀର ପଜିଟିଭ୍ ଏବଂ ନେଗେଟିଭ୍ ଇଲେକ୍ଟ୍ରୋଡ୍ସ ପରସ୍ପର ସଂସ୍ପର୍ଶରେ ଆସିଥାନ୍ତି । ଏହାଦ୍ୱାରା ସର୍ଟ-ସର୍କିଟ୍ ହୋଇ ବ୍ୟାଟେରୀ ଅତ୍ୟଧିକ ଗରମ ହୁଏ ଏବଂ ଶେଷରେ ବିସ୍ଫୋରଣ ଘଟେ ।
କ’ଣ କରିବେ ?
ଯଦି ଆପଣଙ୍କ ପାଖରେ ପୁରୁଣା ଫୋନ୍ ଅଛି, ତେବେ ଏସବୁ ପଦକ୍ଷେପ ନିଅନ୍ତୁ:
ବ୍ୟାଟେରୀ ବଦଳାନ୍ତୁ: ଯଦି ଆପଣ ପୁରୁଣା ଫୋନ୍ ବ୍ୟବହାର କରୁଛନ୍ତି ଏବଂ ବ୍ୟାଟେରୀ ଶୀଘ୍ର ସରିଯାଉଛି, ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ ।
ଅନଲାଇନ୍ ପ୍ଲାଟଫର୍ମ: ଆଜିକାଲି ଅନେକ ଅନଲାଇନ୍ ସଂସ୍ଥା ପୁରୁଣା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ରିସାଇକେଲ୍ ପାଇଁ ଗ୍ରହଣ କରୁଛନ୍ତି । ଏହା ବଦଳରେ ଆପଣଙ୍କୁ ଉଚିତ୍ ମୂଲ୍ୟ ମଧ୍ୟ ମିଳିପାରିବ । ସତର୍କ ରୁହନ୍ତୁ ଏବଂ ପିଲାମାନଙ୍କୁ ପୁରୁଣା ମୋବାଇଲ୍ ବ୍ୟାଟେରୀ ସହ ଖେଳିବାକୁ ଦିଅନ୍ତୁ ନାହିଁ ।