ଭୁବନେଶ୍ୱର୦୪/୦୯: ଅଧିକାଂଶ  ତନ୍ତ୍ରପୀଠରେ ଜୀବନ୍ତ ପ୍ରାଣୀ(ମଇଁଷି ଓ  ପାରା)ଙ୍କୁ ବଳି ଦିଆଯାଏ । ବଳି ଦେଲେ  ଦେବୀ ଖୁସି ହୁଅନ୍ତି ବୋଲି ତନ୍ତ୍ର ସାଧକମାନେ ଦାବି କରନ୍ତି । ହେଲେ ସେମାନଙ୍କ ବିଶ୍ୱାସରେ ନିରୀହ ପ୍ରାଣୀର  ଜୀବନ ଚାଲିଯାଏ । ଯାହା ଠିକ୍‌ ନୁହେଁ । ତେଣୁ  ଏହା ବିରୋଧରେ ସ୍ୱର ଉଠାଇବା ଆବଶ୍ୟକ । ପଶୁ,  ପକ୍ଷୀଙ୍କ ବଦଳରେ ପରିବା ବଳି ଦିଆଯାଉ । ଏଭଳି  ଏକ ସଚେତନତାର ବାର୍ତ୍ତା ଦେବ ପୁରୁଣା ଷ୍ଟେସନ  ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି । ପ୍ରତିବର୍ଷ କିଛି  ନୂଆ କରି ଦେଖାଇବାର ଯୋଜନା କରୁଥିବା ଏହି  ପୂଜା କମିଟି ଚଳିତ ଥର ଏଭଳି ଏକ ବିଷୟବସ୍ତୁ  ରଖିବାକୁ ଯୋଜନା କରିଛି ।

ରାଜଧାନୀର ଅନ୍ୟତମ ପୁରାତନ ଦୁର୍ଗାପୂଜା କମିଟି ମଧ୍ୟରେ ଏହି କମିଟି ରହିଛି । ୧୯୫୫  ମସିହାରେ ପ୍ରଥମ କରି କମିଟି ପୂଜା ଆରମ୍ଭ କରିଛି । ଯାହା ଇତିମଧ୍ୟରେ ୭୦ବର୍ଷରେ ପଦାର୍ପଣ କରିଛି । ଗତବର୍ଷ କମ୍ବୋଡିଆର ୯୦୦ବର୍ଷର  ପୁରାତନ ନାରାୟଣଙ୍କ ମନ୍ଦିର ଆକୃତିର ଘର ଶୋଭାପାଇଥିଲା । ହେଲେ ଚଳିତବର୍ଷ କମିଟି  କିଛି ନିଆରା କରିବାକୁ ନିଷ୍ପତ୍ତି ନେଇଛି । ମନ୍ଦିରମାଳିନୀ ସହର ଭୁବନେଶ୍ୱର ଭଳି ତିଆରି ହୋଇଥିବା ଏକ ବିଶାଳ ପରିବେଶ ମଧ୍ୟରେ ଏଥର ମା ପୂଜା ପାଇବେ । ଯେଉଁଠି ମନ୍ଦିର, ଘର, ଅଫିସ, ରାସ୍ତା, ପୋଖରୀ, ଗଛଲତା ଆଦି ରହିଥିବ । ଏହାର ନାଁ  ରହିବ “ଆସନ୍ତୁ ଦେଖିବା ଭୁବନେଶ୍ୱର” । ସେହିପରି  ମଣ୍ଡପ ମଧ୍ୟରେ ତନ୍ତ୍ର ସାଧନାର ଚିତ୍ର ଦେଖିବାକୁ  ମିଳିବ । ଏଥରକ ୨୦ଫୁଟ ଉଚ୍ଚତାର ମା’ ଦଶଭୂଜାଙ୍କ  ପ୍ରତିମୂର୍ତ୍ତି ପୂଜା ପାଇବେ । କଟକର ମୂର୍ତ୍ତିକାର ରାଜେନ୍ଦ୍ର  ମୁଦୁଲି ଓ କଳାନିର୍ଦ୍ଦେଶକ ସୁବାଶ ବେହେରା ଏଥିପାଇଁ  ଦାୟିତ୍ୱ ନେଇଛନ୍ତି । ଅଷ୍ଟମୀରେ ସାମୁହିକ ପ୍ରସାଦ  ସେବନ ଓ ଦଶମୀରେ ମା’ଙ୍କ ପାଖରେ ଦହି ପଖାଳ  ଲାଗିହେବ ବୋଲି କମିଟି ସୂଚନା ଦେଇଛି