ଓଡ଼ିଆ ସିନେମା, ଧାରାବାହିକ, ଓଟିଟି, ଯାତ୍ରା ଦୁନିଆରେ ଅନେକ ଘଟଣା ଇତିହାସ ଲେଖିଥିଲା ବେଳେ କିଛି କଥା ଚିରକାଳ ପାଇଁ ସ୍ମୃତିରେ ରହିଯାଇଛି । ଅନେକ ଆମକୁ ଛାଡ଼ି ଚାଲି ଯାଇଛନ୍ତି, ଆଉ କିଛି ବିବାଦ ଓ ଅଯଥା ଚର୍ଚ୍ଚାରେ ରହିଛନ୍ତି । ସେଭିତରେ ପୁଣି ହଲ୍ ଅଭାବ, ସେନ୍ସର୍ ବିବାଦ, ବିଭିନ୍ନ ସଂଘ ଏବଂ କଳାକାରଙ୍କ ଲଢ଼େଇ, କଳିଙ୍ଗ ଷ୍ଟୁଡିଓ ପୁନରୁଦ୍ଧାର ପ୍ରସଙ୍ଗ ମୁଣ୍ଡ ଟେକିଛି । ପୁରସ୍କାର, ପ୍ରଶଂସା ସହ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ହୋଇଛି । ବର୍ଷ ତମାମ ଏମିତି ଛୋଟମୋଟ ଚର୍ଚ୍ଚା, ଆଲୋଚନାରେ ସମୟ ବିତିଛି। ଯାହାକୁ ‘୨୫ର ପ୍ରତିଧ୍ୱନି’ରେ ଯୋଡ଼ିବାର ପ୍ରୟାସ କରିଛୁ । (ମନୋରଞ୍ଜନ ମହାନ୍ତି)

୨୦୨୫ରେ ହଲ୍‌ରେ ମୁକ୍ତିଲାଭ କରିଛି ୩୯ଟି ଓଡ଼ିଆ ସିନେମା । କିଏ ବ୍ୟବସାୟରେ ରେକର୍ଡ ଛୁଇଁଥିଲା ତ କିଏ ନିଜ ରେକର୍ଡକୁ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲା । ପୁଣି ରିଲିଜ୍‌କୁ ନେଇ ଦ୍ୱନ୍ଦ୍ୱ ସହ ସୋସିଆଲ୍ ମିଡିଆକୁ ଅକ୍ତିଆର କରିଥିଲା ବିବୃତି । ସବୁ ପରେ ବାବୁସାନଙ୍କ ‘ବୋଉ ବୁଟୁ ଭୂତ’ ଉଚ୍ଚକୋଟୀର ତଥା ସର୍ବାଦୃତ ହୋଇଥିଲା । ସବ୍ୟସାଚୀଙ୍କ ‘ଅନନ୍ତା’ ପ୍ରଥମେ ବିବାଦରେ ଥିଲା, କିନ୍ତୁ ରିଲିଜ୍ ପରେ ପୂରା ଛକା ମାରିଥିଲା । ମହାପ୍ରଭୁଙ୍କ କାହାଣୀକୁ ନେଇ ମଲ୍ଟିଷ୍ଟାର୍ର ସିନେମା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଦର୍ଶକଙ୍କୁ ଭାବରେ ବାନ୍ଧି ରଖିଥିଲା । ଦେଶ ବିଦେଶରେ ପ୍ରଶଂସିତ ହୋଇଥିଲା ।

​​​​​​​

ସେହିପରି ପ୍ରଥମ ଥର ବଲିଉଡ୍ ଷ୍ଟାର୍ ପୁନୀତ ଇସାରଙ୍କୁ ନେଇ ଅର୍ଦ୍ଧେନ୍ଦୁଙ୍କ ‘ଚ୍ୟାଲେଞ୍ଜ’କୁ ମୁକାବିଲା କରିବା ଏକ ପ୍ରକାରର ଚ୍ୟାଲେଞ୍ଜ ଥିଲା । ଆଉ ପରିଣତ ବୟସରେ ବାପା, ମା’ଙ୍କୁ ‘ଚାରିଧାମ’ ବୁଲାଇ ଅନୁଭବ ରେକର୍ଡ କଲେ । ଏହାବାଦ୍ ‘ବଇଦ’, ‘ପାଦେ ଆକାଶ’, ‘ଇନ୍ଦ୍ରଧନୁ’, ‘ଡଷ୍ଟବିନ୍’, ‘ଲହରୀ’, ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ମନକୁ ଛୁଇଁଥିଲା । ‘ଘମାଘୋଟ’ ବି ଭାରି ଜୋର୍ରେ ଘୋଘା କରିଥିଲା । ଅନେକ ନୂଆ ଯୋଡ଼ି ଓ ନବାଗତ, ନବାଗତାଙ୍କ ଏଣ୍ଟ୍ରି ହୋଇଥିଲା । ଓଟିଟି ପ୍ଲାଟ୍ଫର୍ମରେ ୱେବ୍ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ-୨’ ବି ଲୋକପ୍ରିୟତା ବଜାୟ ରଖିଥିଲା । କିନ୍ତୁ ଗତବର୍ଷ ତୁଳନାରେ ଏ ବର୍ଷ ସିନେମା ସଂଖ୍ୟା କମିଲା । ୨୦୨୪ରେ ୫୦ ସିନେମା ହଲ୍କୁ ଆସିଥିଲା । ଆସନ୍ତା ଡିସେମ୍ବର ୩୧ରେ ‘ଲଢ଼େଇ’ ମୁକ୍ତିଲାଭ ପରେ ଏ ବର୍ଷ ସଂଖ୍ୟା ୪୦ ଛୁଇଁବ । ଅଥଚ ଗତଥରକୁ ଟପିବନି । ତଥାପି ଅନେକ କାରଣରୁ ଏ ବର୍ଷ ଚର୍ଚ୍ଚାରେ ରହିଲା ।

ଶ୍ରେଷ୍ଠ ଚଳଚ୍ଚିତ୍ର ‘ପୁଷ୍କରା’

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ରେ ପୁରସ୍କୃତ ହୋଇଥିଲା ‘ପୁଷ୍କରା’ । ଶ୍ରେଷ୍ଠ ସିନେମାଟୋଗ୍ରାଫି- ‘ଦ କେରଳ ଷ୍ଟୋରୀ’ ପାଇଁ ଓଡ଼ିଆ ପୁଅ ପ୍ରଶାନ୍ତନୁ ମହାପାତ୍ର ସମ୍ମାନିତ ହୋଇଥିଲେ । ପୁଣି ସୁବାସ ସାହୁଙ୍କ ‘ମୋ ବୋଉ ମୋ ଗାଁ’, ହିମାଂଶୁ ଖଟୁଆଙ୍କ ‘ଦ ସି ଆଣ୍ଡ୍ ସେଭେନ୍ ଭିଲେଜେସ୍’, ଜିତେନ୍ଦ୍ର ମିଶ୍ରଙ୍କ ‘ଦ ସାଇଲେଣ୍ଟ ଏପିଡେମିକ୍’ ମଧ୍ୟ ପୁରସ୍କୃତ ହୋଇଥିଲା । ଅଭିନେତ୍ରୀ ପ୍ରକୃତି ମିଶ୍ର ଫିଚର୍ ଫିଲ୍ମ ଜୁରି ଏବଂ ବେଷ୍ଟ ରାଇଟିଂ ଅନ୍ ସିନେମା ଜୁରିରେ ଥିଲେ ବରିଷ୍ଠ ସିନେ ସାମ୍ବାଦିକ ଅଶୋକ ପାଲିତ ।

କୋରାପୁଟରେ ରାଜାମୌଲୀ, ମହେଶ ବାବୁ, ପ୍ରିୟଙ୍କା

କୋରାପୁଟରେ ସୁଟିଂ ହୋଇଥିଲା ସିନେମା ଏସ୍ଏସ୍ଏମ୍ବି-୨୯ । ଚର୍ଚ୍ଚିତ ଫିଲ୍ମ ନିର୍ମାତା ଏସ୍ଏସ୍ ରାଜାମୌଲୀ, ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତେଲୁଗୁ ସୁପର୍ଷ୍ଟାର୍ ମହେଶବାବୁଙ୍କ ସହ ୫୦୦ରୁ ଅଧିକ ସଦସ୍ୟ ଦେଓମାଳି କଟେଜ୍ରେ ରହି ୧୦ ଦିନ ସୁଟିଂ କରିଥିଲେ । ତଳମାଳି ଅଞ୍ଚଳରେ ଫିଲ୍ମର ସୁଟିଂ ଚାଲିଥିଲା । ଏହା ବ୍ୟତୀତ ଅନେକ ଦକ୍ଷିଣୀ ସିନେମା କୋରାପୁଟ, ଦେଓମାଳି ଭଳି ସ୍ଥାନକୁ ଆସି ସୁଟିଂ କରିଛନ୍ତି ।

ଆଇଏଫ୍ଏଫ୍ଆଇରେ ଓଡ଼ିଆ

୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ), ଗୋଆରେ ପ୍ରାୟ ୬ଟି ସିନେମା ସହ ଓଡ଼ିଆ ନିର୍ମାତାଙ୍କ ଚମକ ଦେଖିବାକୁ ମିଳିଥିଲା । ଇଣ୍ଡିଆନ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ଓଡ଼ିଆ ସିନେମା ‘ମାଳିପୁଟ ମେଲୋଡିଜ୍’, ଜିତେନ୍ଦ୍ର ମିଶ୍ରଙ୍କ ରାଜସ୍ଥାନୀ ସିନେମା ‘ହ୍ୱିସ୍ପର୍ସ ଅଫ୍ ଦ ମାଉଣ୍ଟେନ୍ସ’ ଏବଂ ଇଣ୍ଡିଆନ ପାନୋରାମା ଅଣ ଫିଚର୍ ଫିଲ୍ମ ବର୍ଗରେ ‘ମହିମା ଅଲେଖ’ ପ୍ରଦର୍ଶିତ ହୋଇଥିଲା । ଗାଲା ପ୍ରିମିୟର୍ ଏବଂ ରେଡ୍ କାର୍ପେଟ୍ ବର୍ଗରେ ନୀଳ ମାଧବ ପଣ୍ଡାଙ୍କ ପ୍ରଯୋଜିତ ଇଂରାଜୀ ଓ ସିଂହଳୀ ଭାଷାରେ ନିର୍ମିତ ‘ସ୍ପାଇଂ ଷ୍ଟାର୍ସ’, ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଇଂରାଜୀ ଓ ଅନ୍ୟ ଭାଷାରେ ନିର୍ମିତ ‘ପାପା ବୁକା’ ଏବଂ ଓଡ଼ିଆ ଫିଲ୍ମ ‘ବିନ୍ଦୁସାଗର’ ନାଁ କମାଇଥିଲା । ଉଦ୍ଘାଟନୀ କାର୍ଣ୍ଣିଭାଲ୍ରେ ‘ବିନ୍ଦୁସାଗର’ର ସ୍ୱତନ୍ତ୍ର ଗାଡ଼ି ଗଡ଼ିଥିଲା । ଆଲୋଚନାଚକ୍ରରେ ନୀଳ ମାଧବ ପଣ୍ଡାଙ୍କ ଅଂଶଗ୍ରହଣ ସାଙ୍ଗକୁ ମାଷ୍ଟର୍ କ୍ଲାସ୍‌ରେ ଅଭିନେତ୍ରୀ ସୁପ୍ରିୟା ନାୟକ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଓ ପ୍ରଯୋଜିକା ଡ. ଇତି ସାମନ୍ତଙ୍କ ଅଂଶଗ୍ରହଣ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିଲା । ଏହି ଅବସରରେ ଅମିର୍ ଖାନ୍‌ଙ୍କ  ସହ ଓଡ଼ିଆ ସିନେମାକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ବାର୍ତ୍ତାଳାପ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ବିଭିନ୍ନ ଦୃଷ୍ଟିକୋଣରୁ ଆଇଏଫ୍ଏଫ୍ଆଇ-୨୦୨୫ ବେଶ୍ ସ୍ମରଣୀୟ ଥିଲା ।

ପଡ଼ିଲା ହାତଗଣ୍ଠ

ଚଳିତ ବର୍ଷର ଚର୍ଚ୍ଚିତ ବାହାଘର ଥିଲା ଅନୁଭବ-ଜାଗୃତିଙ୍କର । ଏଥିସହିତ ଖଳନାୟିକା ପ୍ରିୟା ମହାପାତ୍ର ଯୁବ ବ୍ୟବସାୟୀ ବିଭୁ ପ୍ରସାଦ ରଥଙ୍କୁ ବିବାହ କରିଥିଲେ । ପ୍ରତିଭାବାନ ଅଭିନେତା ଜ୍ୟୋତି ରଞ୍ଜନ ନାୟକ ଧରିଥିଲେ ସିମ୍ରନ୍‌ ହାତ । ବର୍ଷ ଶେଷ ବେଳକୁ ଟେଲି ଷ୍ଟାର୍ ସୁମନ ଓ ସାପଲିନ୍‌ଙ୍କ ହାତଗଣ୍ଠି ପଡ଼ିଥିଲା । ସେହିପରି ଯାତ୍ରା ଖଳନାୟକ କ୍ଷିତୀଶ ଧରିଥିଲେ ରଶ୍ମିଙ୍କ ହାତ ।

ପରଲୋକରେ...

ଚଳଚ୍ଚିତ୍ର ପ୍ରଯୋଜକ ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ସୁପର୍ଷ୍ଟାର୍ ଉତ୍ତମ ମହାନ୍ତି, ପ୍ରଯୋଜିକା ସଲିଳା ପରିଡ଼ା, ଗୀତିକାର ସଂଗ୍ରାମ ମହାନ୍ତି, ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, ଗୀତିକାର ମନୋରଞ୍ଜନ ହୋତା, ବରିଷ୍ଠ ପ୍ରଯୋଜକ ରବୀନ୍ଦ୍ର ସାହୁ, ଅଭିନେତା ଭିକାରୀ ସ୍ୱାଇଁ, ଯାତ୍ରାର ବରିଷ୍ଠ ଅଭିନେତା ଦେବୀ ରଥ, ଯୁବ ପ୍ରତିଭାବାନ ହାସ୍ୟାଭିନେତା ଗୁରୁ ପୃଷ୍ଟି, ଅଭିନେତା ଅଜିତ୍ କୁମାର ଦଳେଇ, ଶରତ ଚନ୍ଦ୍ର ମହାନ୍ତି, ତ୍ରିଲୋଚନ ସାହୁ, ମହେଶ୍ୱର ମହାନ୍ତି, ଅଭିନେତ୍ରୀ ପାୟଲ ପଣ୍ଡା, କଣ୍ଠଶିଳ୍ପୀ ମାନସୀ ପରମାଣିକ ପ୍ରମୁଖ ପରଲୋକ ଗମନ କରିଛନ୍ତି ।

ଅଭିଲେଖାଗାର ନିଅଁ

ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍(ଏଫ୍ଏଚ୍ଏଫ୍) ମଧ୍ୟରେ ଏମ୍ଓୟୁ ହୋଇଛି । ଏହାଦ୍ୱାରା ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ଓଡ଼ିଆ ସିନେମା ପୁଣି ଜୀବନ୍ତ ହୋଇ ଉଠିବ । ନଭେମ୍ବର ୧୯ରେ ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିଠାରେ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା ।

ଯାତ୍ରାରେ ଯାତେରା...

ଯାତ୍ରାରେ ଅଶ୍ଳୀଳତା ଓ ଆଇଟମ୍ ନାଚକୁ ବାରଣ ଲାଗି ମାର୍ଗଦର୍ଶିକା ଆଣିବାକୁ ସରକାର ସ୍ଥିର କଲେ । ଖଣ୍ଡଗିରି ଯାତ୍ରାରେ ଏହାକୁ ରୋକିବାକୁ ଏକାମ୍ର ବିଧାୟକ ବାବୁ ସିଂ ଗଢ଼ିଲେ ୧୦୦ ଜଣିଆ ଠେଙ୍ଗା ବାହିନୀ । ବର୍ଷ ଆରମ୍ଭରୁ କଳାକାର-ମାଲିକଙ୍କ ଭିତରେ ଲାଗିଲା କଳି । ଅଗ୍ରୀମ ନେଇ ବର୍ଷେ ପାଇଁ ବିଶ୍ରାମ ନେଲେ ଅଭିନେତା ପୀୟୂଷ । ତାଙ୍କୁ ନେବାକୁ ସିଂହବାହିନୀ ଓ ସୂର୍ଯ୍ୟମନ୍ଦିରର ମାଲିକଙ୍କ ଭିତରେ ଟଣାଓଟରା ଚାଲିଲା । ୬ ମାସ ପରେ ସିଂହବାହିନୀ ମଞ୍ଚକୁ ଫେରିଲେ ପୀୟୂଷ । ସେହିପରି ହାସ୍ୟାଭିନେତା ନରି ପଣ୍ଡାଙ୍କୁ ମାଲିକଙ୍କ ମାଡ଼ ଘଟଣାକୁ ବିରୋଧ ସହ ପ୍ରତିକ୍ରିୟା ରଖି ବାସନ୍ଦ ହେଲେ ପ୍ରତାପ ମହାନ୍ତି । ଅଭିନେତ୍ରୀ ନମିତାଙ୍କୁ ପଠାଗଲା କାରଣ ଦର୍ଶାଅ ନୋଟିସ୍ । ନାଟ୍ୟଗୁରୁଙ୍କୁ କଟାକ୍ଷ କରି କ୍ଷମା ମାଗିଲେ ଦୟା ଓ ସଞ୍ଜୟ ଭୋଳ । ଦିନ ଗଡ଼ିବା ସହ କଳି ଚରମ ସୀମାରେ ପହଞ୍ଚିଲା । ପରେ କଳାକାରଙ୍କ ନେତା ସାଜି ଆସିଥିବା ବାପି ପଣ୍ଡାଙ୍କୁ ନେଇ ମାଲିକ-କଳାକାର ମୁହାଁମୁହିଁ ହେଲେ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବାପି ଓ ନରି ପଣ୍ଡା । କିନ୍ତୁ ଶୀତଳ ଯୁଦ୍ଧ ବନ୍ଦ ହେଲା ନାହିଁ । ଯାତ୍ରା ମାଲିକ ନାଣ୍ଡୁ ଓରଫ୍ ଅନନ୍ତ ନାରାୟଣ ଧଳଙ୍କ ପିଛା ଛାଡ଼ି ନଥିଲା ବିବାଦ । ନରି ପଣ୍ଡା, ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର, ଅଭିନେତ୍ରୀ ମାମୁନିଙ୍କ ପରେ ଅଭିନେତ୍ରୀ ପୂଜା ଆଣିଥିଲେ ନିର୍ଯାତନା ଅଭିଯୋଗ । ନୂଆ ଯାତ୍ରା ପାର୍ଟି ‘ନାଟ୍ୟ ମଣ୍ଡପ’ ଗଢ଼ିଲେ ରାଣୀ ପଣ୍ଡା ।

ରାଣୀ ପାର୍ଟିର ଉଦ୍‌ଘାଟନରେ ବଲିଉଡ୍ ଅଭିନେତା ରାହୁଲ ରାୟଙ୍କୁ ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଙ୍ଗୀତ ଆଣି ଚର୍ଚ୍ଚାରେ ରହିଥିଲେ । ଏହା ସହ ଅନେକ ନୂଆ ପାର୍ଟି ବି ମୈଦାନରେ ପାଦ ଥାପିଥିଲେ । ତୁଳସୀ ଗଣନାଟ୍ୟର ଅଭିନେତା ସାଇ ବେକରେ ଅଜଗର ସାପ ଗୁଡ଼ାଇ ମଞ୍ଚକୁ ଆସିବାରୁ ବିବାଦ ହୋଇଥିଲା ।ସେଭିତରେ ଅପେରା ଯାଜ୍ଞସେନୀ ଦର୍ଶକଙ୍କୁ ଆକର୍ଷିତ କରିବାକୁ ମଞ୍ଚକୁ ରୋବୋଟିକ୍ ଡଗ୍ ଆଣିଥିଲା । ମଞ୍ଚ ଉପରେ ଘୋଡ଼ା ଚଢା଼ଇଥିଲା ଧଉଳି ଗଣନାଟ୍ୟ । ମାତ୍ର ଅନେକ ଯାତ୍ରା ଦଳ ନାଟକ ଚୋରି ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଥିଲେ । ବର୍ଷ ଶେଷ ବେଳକୁ ଅପେରା ସୂର୍ଯ୍ୟ ମନ୍ଦିର କଳାକାରଙ୍କୁ ବେଙ୍ଗାଲୁରୁ ସୋ’ରେ ମାଡ଼ ଖାଇବା ଘଟଣା ବେଶ୍ ଚର୍ଚ୍ଚାରେ ରହିଥିଲା ।