ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍‌ସ ବିଧାୟକ ଓମାର ଅବଦୁଲ୍ଲା ଆଜି (ବୁଧବାର) କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଓମାର ହେଉଛନ୍ତି ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ । ସୂଚନାଥାଉକି ଯେ, ଜାମ୍ମୁ କାଶ୍ମୀରରେ ପ୍ରାୟ ୧୦ ବର୍ଷ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍‌ସ ଏବଂ କଂଗ୍ରେସର ମିଳିତ ମଞ୍ଚକୁ ବହୁମତ ମିଳିଛି । ତେବେ ଓମାର ଅବଦୁଲ୍ଲା ସିଏମ୍ ଭାବରେ ଶପଥ ଗ୍ରହଣ କରିବା ବେଳେ ତାଙ୍କ ପିତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ,ଏହା ଏକ 'କଣ୍ଟାର ମୁକୁଟ'।

ଜାମ୍ମୁ କାଶ୍ମୀରର ଶେର-ଇ-କାଶ୍ମୀରର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପରେ ଓମାରଙ୍କ ପିତା ତଥା ନ୍ୟାସନାଲ କନଫରେନ୍‌ସ ସଭାପତି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ରାଜ୍ୟ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଏବଂ ମୁଁ ଆଶା କରୁଛି ଯେ ନିର୍ବାଚନ ମନିଫେଷ୍ଟରେ ଏହି ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କରିବେ । ଏହା କଣ୍ଟା ମୁକୁଟ ଏବଂ ଆଲ୍ଲାହା ତାଙ୍କୁ (ଓମାର) ସଫଳତା ଦିଅନ୍ତୁ ଏବଂ ସେ ଲୋକଙ୍କ ଆଶା ପୂରଣ କରନ୍ତୁ। ଏହା ମୋର ବାର୍ତ୍ତା। 

ଅନ୍ୟପକ୍ଷରେ ଓମାର ଅବଦୁଲ୍ଲାଙ୍କ ପୁଅ ଜହିର ଅବଦୁଲ୍ଲା କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ନୂତନ ସରକାରଙ୍କ ପ୍ରଥମ ପ୍ରାଥମିକତା ହେଉଛି ଏକ କେନ୍ଦ୍ର ଅଞ୍ଚଳରୁ ରାଜ୍ୟ ସ୍ଥିତିକୁ ଫେରାଇ ଆଣିବା । ଜହିର ଅବଦୁଲ୍ଲା ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ହେବା ପରେ ଧାରା ୩୭୦ ର ପୁନରୁଦ୍ଧାର ପାଇଁ ଆମର ପ୍ରକୃତ ସଂଗ୍ରାମ ଆରମ୍ଭ ହେବ । ଧାରା ୩୭୦ ସର୍ବଦା ଆମର ପ୍ରାଥମିକତା ହେବ। 

ସେହିଭଳି ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ପାଇଁ ଏହା ଅତ୍ୟନ୍ତ ଶୁଭ ଦିନ। କାରଣ ବହୁ ବର୍ଷ ପରେ ଲୋକମାନେ ସେମାନଙ୍କର ସରକାର ପାଇଛନ୍ତି । ମେହବୁବା କହିଛନ୍ତି ଯେ ଲୋକମାନେ ଏକ ସ୍ଥିର ସରକାର ଚୟନ କରିଛନ୍ତି । ବିଶେଷକରି ୨୦୧୯ ପରେ ଜାମ୍ମୁ କାଶ୍ମୀରର ଲୋକମାନେ ବହୁ କଷ୍ଟ ଭୋଗୁଛନ୍ତି ଏବଂ ଆମେ ଆଶା କରୁଛୁ ଏହି ନୂତନ ସରକାର ଆମର କ୍ଷତକୁ ଭଲ କରିଦେବେ।