ଖଲ୍ଲିକୋଟ ,୨।୨ : ଦିନେ ସେ ପୁଅ ଥିଲେ ଏବେ ହୋଇଯାଇଛନ୍ତି ଝିଅ । ସମୀର ନାୟକରୁ ଏବେ ତାଙ୍କ ପରିଚୟ ସମୀରା ମାଡାମ୍। ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ। ସେ ହେଉଛନ୍ତି ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ସମୀରା ନାୟକ।
ସମୀର ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ , କିନ୍ତୁ ପାଠ ପଢା ବୟସରେ ଆସିଥିଲା ମନ ଭିତରେ ଅନେକ ପରିବର୍ତ୍ତନ । ବୟସ ବଢିବା ସାଙ୍ଗକୁ ଚାଲିଚଳନ ଓ ଆବଭାବରେ କିଛି ଭିନ୍ନତା ପରିଲକ୍ଷିତ ହୋଇଥିଲା। ପୁଅ ସାଙ୍ଗଙ୍କ ଅପେକ୍ଷା ଝିଅମାନଙ୍କ ସହିତ ବେଶୀ ମିଳାମିଶା କରିବାକୁ ତାଙ୍କୁ ଭଲ ଲାଗୁଥିଲା । ନାରୀ ସୁଲଭ ଗୁଣ ତାଙ୍କ ଭିତରେ ଦେଖା ଦେଇଥିଲା। ଏହା ପରେ ବଦଳି ଯାଇଥିଲା ତାଙ୍କର ଜୀବନର ଦିଗ। ସେ ମୁମ୍ବାଇ ଯାଇ ବ୍ୟୟ ବହୁଳ ଅସ୍ତ୍ରୋପଚାର ମାଧ୍ୟମରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ସେ ପୁଅରୁ ଝିଅ ହୋଇଯାଇଛନ୍ତି । ସମୀରରୁ ପାଲଟିଯାଇଛନ୍ତି ସମୀରା।
ଖଲ୍ଲିକୋଟର ଗୋଟିଏ ଛୋଟିଆ ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ସମୀର ନାୟକ । ପୁଅ ଟିଏ ପାଇ ବାପା ଓ ମା’ ମଧ୍ୟ ବହୁତ ସ୍ଵପ୍ନ ଦେଖିଥିଲେ । କିନ୍ତୁ ବୟସ ବଢିବା ସାଙ୍ଗକୁ ସମୀରଙ୍କ ମନରେ ଆସିଥିଲା ପରିବର୍ତ୍ତନ । ଏଥିସହ ରହିଥିଲା ଚିତ୍ର କଳା ପ୍ରତି ଆଗ୍ରହ । କିନ୍ତୁ ଦେହ ଭିତରେ ଲୁଚି ରହିଥିଲା ଏକ ନାରୀର ମନୋଭାବ । ବୟସ ବଢିବା ସାଙ୍ଗକୁ ଆଉ ପୁଅ ସାଙ୍ଗଙ୍କ ସହ ମିଳାମିଶା ତାଙ୍କୁ ଭଲ ଲାଗି ନ ଥିଲା। ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ନାରୀ ହୋଇଯାଇଥିଲେ।
ସମୀରା ବର୍ତ୍ତମାନ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଇଣ୍ଡିଆନ୍ ପେଣ୍ଟିଂ ବିଭାଗରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟରତ । ଏକଦା ସେହି ମହାବିଦ୍ୟାଳୟରେ ଛାତ୍ର ଭାବେ ପାଠ ପଢୁଥିବା ପୁଅଟିଏ ଆଜି ସେହି କଲେଜରେ ଅତିଥି ଅଧ୍ୟାପିକା ଭାବେ ନିଯୁକ୍ତି ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ବେଶ୍ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି। ଅପର ପକ୍ଷରେ ବର୍ତ୍ତମାନ ସମୀରା ଓଡ଼ିଶାର ପ୍ରଥମ ଟ୍ରାନ୍ସ ଓମେନ୍ ଆର୍ଟିଷ୍ଟ ଭାବରେ ନିଜକୁ ଗର୍ବ ଅନୁଭବ କରନ୍ତି । ଆଗକୁ ଯାଇ ଚିତ୍ର କଳା କ୍ଷେତ୍ରରେ ଓଡିଶାର ଟେକ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ସମୀରା ।
ଆହୁରି ପଢନ୍ତୁ : ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ : ଏସ୍ଏଚ୍ଜି ମା’ମାନଙ୍କୁ ୧୯୭. ୬୬ କୋଟି ଟଙ୍କା ସୁଧ ଫେରସ୍ତ