କଟକ, ୧୮।୫ ସେୟାର ମାର୍କେଟରେ ନିବେଶ ନାଁରେ ଠକେଇ। କଟକର ଜଣେ ବ୍ୟକ୍ତି ୭ ଲକ୍ଷ ୭୮ ହଜାର ଟଙ୍କା ହରାଇଛନ୍ତି। ଏହି ଘଟଣାରେ କଟକ ସାଇବର ଥାନା ପୋଲିସ ଭଦ୍ରକରୁ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ଚାନ୍ଦବାଲିର ଅମୂଲ୍ୟ କୁମାର ସାହୁ।
ଡିସିପି ଖିଲାରି ରିସିକେଷଙ୍କ ସୂଚନା ଅନୁଯାୟୀ ଅମୂଲ୍ୟ ନିଜ ଆକାଉଣ୍ଟ ଠକେଇରେ ବ୍ୟବହାର କରୁଥିଲା। ଏପରିକି ନିକଟ ଅଂଚଳର ଅନ୍ୟ କିଛି ବ୍ୟାଙ୍କ ଖାତା ବି ସେ ଯୋଗାଡ଼ କରି ସେଥିରେ ଠକେଇ ଟଙ୍କାକୁ ଟ୍ରାନ୍ସଫର କରି ଏଟିଏମ ରେ ଉଠାଇ ନେଉଥିଲା। ତା’ଠାରୁ ୩ଟି ଫୋନ, ବ୍ୟାଙ୍କ ଚେକ ବହି, ଏଟିଏମ କାର୍ଡ ଓ ସିମ ଜବତ ହୋଇଛି।