ଭୁବନେଶ୍ଵର, ୦୩/୦୧ : ଆମ ବସ୍ ନୁହେଁ ତ ଯମ ଦୂତ। ସହର ସାରା ବୁଲୁଛି, ଯେତେବେଳେ ଯାହା ଉପରେ ପାରୁଛି ଚଢି ଯାଉଛି। ୨୦୨୫ରେ ମୁଣ୍ଡ ପରେ ମୁଣ୍ଡ ନେଲା। ନୂଆବର୍ଷରେ ପୁଣି ଜୀବନ ନେଇ ବଦନାମ ମୁଣ୍ଡାଇଲା। ଜାତୀୟ ସଡ଼କ ସୁରକ୍ଷା ମାସରେ ଭୁବନେଶ୍ଵର ରୁପାଲି ଟ୍ରାଫିକ୍ ରେ ଛାତିଥରା ଦୁର୍ଘଟଣା। ଦ୍ରୁତ ଗତିରେ ଆସି ଅଟୋ ଉପରେ ଚଢିଗଲା ଆମ ବସ୍। ଘଟଣାସ୍ଥଳରେ ଅଟୋ ଡ୍ରାଇଭର୍ ଙ୍କ ମୃତ୍ୟୁ।
ସୂଚନାନୁଯାୟୀ, ଶନିବାର ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ ବସ୍ ଦ୍ରୁତ ଗତିରେ ଆସି ଏକ ଅଟୋକୁ ପଛରୁ ଧକ୍କା ଦେଇଛି। ଫଳରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଥିବା ଏକ ବସ୍ ତଳେ ଚାପି ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି। ଆମ ବସ୍ ଧକ୍କାରେ ଅଟୋ ଡ୍ରାଇଭର୍ ଙ୍କ ମୃତ୍ୟୁ ଘଟିଛି। ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଡିସିପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଆମ ବସ୍ ଡ୍ରାଇଭର୍ ଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ଆମ ବସ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇବା ପରେ ଫେରାର୍ ହୋଇଯାଇଛନ୍ତି।
ସୂଚନା ଥାଉକି, ୨୦୨୫ରେ ଆମ ବସ୍ ବହୁ ଦୁର୍ଘଟଣା ଘଟାଇଛି। ଫେବୃଆରୀ ମାସରେ ତମାଣ୍ଡୋ ଥାନା ଅଞ୍ଚଳରେ ସ୍କୁଟି ସହ ଜଣେ ମହିଳାଙ୍କୁ ବସ୍ ଟି ୧୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେହିପରି ନନ୍ଦନକାନନ ଥାନା ରଘୁନାଥପୁରରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଉପରେ ଏକ ଆମ ବସ୍ ଚଢି ଯାଇଥିଲା। ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା।
ଏହି ଖବରଟିକୁ ପଢନ୍ତୁ- ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମ, ବିଲ୍ ପାସ୍ କରିବାକୁ କହି ଘେରିଗଲେ ଦୁର୍ବୃତ୍ତ