କେସିଙ୍ଗା,୫|୧୦ (ଆପ୍ର) : କଳାହାଣ୍ଡି ଜିଲ୍ଲା ଟକର୍ଲା ଗ୍ରାମ ପଞ୍ଚାୟତ ଅଧିନ ଆଲିମ ଗ୍ରାମ ନିକଟରେ ଏକ ବାଇକ୍ ଏବଂ ଏକ ପିକ୍ମ ଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୋଦଣ୍ଡ ନାଏକ।
କେସିଙ୍ଗା ଆଦର୍ଶ ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ରହେନପଡା ଗ୍ରାମର ଗୌରାଙ୍ଗ ନାଏକଙ୍କ ଏକମାତ୍ର ପୁଅ କୋଦଣ୍ଡ ନାଏକ ଓରଫ୍ କୁନା (୨୪) କୌଣସି କାମରେ ବାଇକ୍ ରେ ବନ୍ଧପଡା ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ପିକ୍ଅପ୍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ କୋଦଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେସିଙ୍ଗା ଆଦର୍ଶ ଥାନାକୁ ଅବଗତ କରାଇଥିଲେ। ପରେ କେସିଙ୍ଗା ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ମାଝୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗ ଓ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ସ୍ଥଳରୁ ପିକ ଅପ୍ ଡ଼୍ରାଇଭର ଫେରାର ହୋଇଥିବା ବେଳେ ପିକ୍ଅପ୍ ମାଲିକ ପହଞ୍ଚିବା ପରେ ପୁଲିସ୍ ଉପସ୍ଥିତିରେ କ୍ଷତିପୂରଣ ବାବଦରେ ବୁଝାମଣା ହୋଇଥିଲା। ଏକଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପରେ ଶବ ଉଠିଥିଲା। ବ୍ୟବଚ୍ଛେଦ ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।