ଆଠମଲ୍ଲିକ, ୦୯/୧୨: ଗାଁକୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍‌ । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ମୃତକ ଆଠମଲ୍ଲିକ ଥାନା ବଲୁଆଘରା ଗ୍ରାମର ଅରବିନ୍ଦ ବିଶ୍ୱାଳ ଓ ଗୁରୁତର ହେଇଥିବା ଯୁବକ ଜଣକ ପଞ୍ଚାନନ ପ୍ରଧାନ ବୋଲି ଜଣା ପଡ଼ିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବୌଦ୍ଧ ପୂର୍ତ୍ତ ରାସ୍ତାର ଲାଉପାଳ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଯୁବକ ଦ୍ୱୟ ଏକ ବାଇକ ଯୋଗେ ଗାଁକୁ ରାତି ୧୧ଟା ସମୟରେ ଫେରୁଥିଲେ । ଆଠମଲ୍ଲିକ ବୌଦ୍ଧ ପୂର୍ତ୍ତ ରାସ୍ତାର ଲାଉପାଳ ନିକଟରେ ଏକ ଟ୍ରକ ଦୁହିଁଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଉଭୟ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତ ପଞ୍ଚାନନ ପ୍ରଧାନଙ୍କୁ ୧୦୮ ଆମ୍ୱୁଲାନ୍ସ ଯୋଗେ ଅନୁଗୁଳ ପଠାଇଥିଲେ । ଆଉ ୧୦୮ ଗାଡି ନଥିବାରୁ ଅରବିନ୍ଦ ବିଶ୍ୱାଳକୁ ଅଗ୍ନିଶମ ବାହିନୀ ଗାଡି ଯୋଗେ ଆଠମଲ୍ଲିକ ମେଡିକାଲକୁ ଅଣା ଯାଇଥିଲା । ମାତ୍ର ଆଠମଲ୍ଲିକ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅରବିନ୍ଦଙ୍କ ମୃତ୍ୟୁ ହୋଇ ଯାଇଥିଲା । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଲୋକେ । ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ଘଟଣାର ତଦନ୍ତ ଚଲାଇଛି ।