ନୂଆଦିଲ୍ଲୀ ୦୭/୦୬: ମୃତ୍ୟୁ ପର୍ଯ୍ୟନ୍ତ ବଲିଉଡ୍ର ‘ହି ମ୍ୟାନ୍’ ଭାବେ ପରିଚିତ ଥିଲେ ଧର୍ମେନ୍ଦ୍ର । ବଲିଉଡ୍ର ପ୍ରାଥମିକ ସମୟ ବେଶ୍ କଷ୍ଟରେ କାଟିବାକୁ ହୋଇଥିଲା ଏହି ନାୟକଙ୍କୁ । ତେବେ ଶୁଣିବାକୁ ମିଳେ ବଲିଉଡ୍ରେ କାଳେ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ଗୋଟିଏ ପୋଷାକ । ଦୁଇବର୍ଷ ଧରି ଗୋଟିଏ ହଳଦିଆ ସାର୍ଟ ପିନ୍ଧୁଥିଲେ ଧର୍ମେନ୍ଦ୍ର । କୁହାଯାଏ ସେହି ସାର୍ଟ କାଳେ ଧର୍ମେନ୍ଦ୍ରଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ଥିଲା । ସେହି ପୋଷାକ ହିଁ ତାଙ୍କୁ ବଲିଉଡ୍ର ତାରକା ଭାବେ ପରିଚିତ କରିଥିଲା । ୧୯୬୦ରେ ‘ଦିଲ୍ ଭି ତେରା ହମ ଭି ତେରେ’ ସିନେମାରେ ଅଭିନୟ କରି କ୍ୟାରିଅର୍ ଆରମ୍ଭ କରିଥିଲେ ଧର୍ମେନ୍ଦ୍ର । କିନ୍ତୁ ତାଙ୍କ କ୍ୟାରିଅର୍ର ପ୍ରଥମ ଫିଲ୍ମ ଭଲ ବ୍ୟବସାୟ କରିପାରିନଥିଲା ।
କ୍ୟାରିଅର୍ର ପ୍ରଥମ ପାଞ୍ଚ ବର୍ଷ ଧର୍ମେନ୍ଦ୍ରଙ୍କ ଉପରେ ବୋଧହୁଏ ଭାଗ୍ୟଦେବୀଙ୍କ କୃପା ନଥିଲା । ୧୯୬୫ ମସିହା ପର୍ଯ୍ୟନ୍ତ ୨୦ଟିରୁ ଅଧିକ ସିନେମାରେ ଅଭିନୟ କରିଥିଲେ ସେ । କିନ୍ତୁ କୌଣସି ଫିଲ୍ମ ବକ୍ସ ଅଫିସରେ ବିଶେଷ ସଫଳତା ହାସଲ କରିପାରିନଥିଲା । ତଥାପି ନିଜ ଉପରୁ ବିଶ୍ୱାସ ହରାଇ ନଥିଲେ ଧର୍ମେନ୍ଦ୍ର । ୧୯୬୬ ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା ଫିଲ୍ମ ‘ଫୁଲ ଔର ପଥର’ । ଧର୍ମେନ୍ଦ୍ରଙ୍କ ସହିତ ଏହି ଫିଲ୍ମରେ ଅଭିନୟ କରିଥିଲେ ମୀନା କୁମାରୀ । ଦୀର୍ଘ ପ୍ରତୀକ୍ଷା ପରେ ଧର୍ମେନ୍ଦ୍ରଙ୍କ ଏହି ସିନେମା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଥିଲା । ତାହା ପରଠାରୁ ତାଙ୍କ କ୍ୟାରିଅର ଗ୍ରାଫ୍ ଉଦ୍ଧ୍ୱର୍ମୁଖୀ ହେବା ଆରମ୍ଭ କରିଥିଲା ।
‘ଫୁଲ ଔର ପଥର’ ମୁକ୍ତି ପାଇବା ପରେ ଗୋଟିଏ ପରେ ଗୋଟିଏ ‘ସତ୍ୟକାମ’, ‘ଶୋଲେ’, ‘ଆଁଖେ’, ‘କର୍ତ୍ତବ୍ୟ’ ଭଳି ଏକାଧିକ ହିନ୍ଦୀ ସିନେମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ ଧର୍ମେନ୍ଦ୍ର । ସେହି ସମୟରେ ହିଁ ବଲିଉଡ୍ର ‘ହି ମ୍ୟାନ୍’ ଟାଇଟଲ୍ ହାସଲ କରିଥିଲେ ସେ । ସତୁରିରୁ ଅଶି ଦଶକ ମଧ୍ୟରେ ବଲିଉଡ୍ର ସର୍ବୋଚ୍ଚ ଉପାର୍ଜନକାରୀ ଅଭିନେତାମାନଙ୍କ ତାଲିକାରେ ଧର୍ମେନ୍ଦ୍ରଙ୍କ ନାଁ ମଧ୍ୟ ସାମିଲ ହୋଇପାରିଥିଲା । ସେତେବେଳେ ଚର୍ଚ୍ଚା ହୋଇଥିଲା, ଧର୍ମେନ୍ଦ୍ରଙ୍କ ପାଖରେ ଗୋଟିଏ ପୋଷାକ ଅଛି ଯାହା ତାଙ୍କ କ୍ୟାରିଅର୍ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ।
ବଲିଉଡ୍ର ଅଧିକାଂଶ ଦାବି କରନ୍ତି, ‘ଲକି’ ପୋଷାକ ପିନ୍ଧି ଲଗାତର ତିନୋଟି ସିନେମାରେ ଅଭିନୟ କରିଥିଲେ ଧର୍ମେନ୍ଦ୍ର । ତିନୋଟି ଯାକ ସିନେମା ସୁପରହିଟ୍ ହୋଇଥିଲା । ୧୯୬୮ ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା ‘ମେରେ ହମଦମ ମେରେ ଦୋସ୍ତ’ । ଏହି ସିନେମାରେ ଶର୍ମିଳା ଠାକୁରଙ୍କ ସହ ଯୋଡ଼ି ବାନ୍ଧିଥିଲେ ଧର୍ମେନ୍ଦ୍ର । ଏଥିରେ ‘ଚଲୋ ସଜନା ଜହାଁ ତକ ଘଟା ଚଲେ’ ଗୀତଟିରେ ଶର୍ମିଳାଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା ଧର୍ମେନ୍ଦ୍ରଙ୍କୁ । ପର ବର୍ଷ ୧୯୬୯ରେ ରିଲିଜ୍ ହୋଇଥିଲା ତାଙ୍କ ଅଭିନୀତ ଆଉ ଗୋଟିଏ ସିନେମା ‘ଆୟା ସାୱନ ଝୁମକେ’ ଯେଉଁଥିରେ ସେ ଆଶା ପାରେଖଙ୍କ ସହ ଅଭିନୟ କରିଥିଲେ । ଫିଲ୍ମଟିରେ ‘ସାଥିୟା ନହିଁ ଜାନା’ ନାମକ ରୋମାଣ୍ଟିକ ଗୀତର ଦୃଶ୍ୟରେ ଆଶାଙ୍କ ସହିତ ଧର୍ମେନ୍ଦ୍ରଙ୍କ କେମେଷ୍ଟ୍ରି ଥିଲା ପ୍ରଶଂସାଯୋଗ୍ୟ । ‘ଆୟା ସାୱନ ଝୁମକେ’ ରିଲିଜ୍ ହେବା ପରେ ୧୯୭୦ରେ ପ୍ରେକ୍ଷାଳୟକୁ ଆସିଥିଲା ‘ଜୀବନ ମୃତ୍ୟୁ’ । ଏହି ଫିଲ୍ମରେ ରାକ୍ଷୀଙ୍କ ସହ ଅଭିନୟ କରିଥିଲେ ଧର୍ମେନ୍ଦ୍ର । ‘ଜୀବନ ମୃତ୍ୟୁ’ ଫିଲ୍ମରେ ‘ଝିଲମିଲ ସିତାରୋଁ କା’ ଗୀତର ଦୃଶ୍ୟରେ ରାକ୍ଷୀଙ୍କ ସହ ରୋମାନ୍ସ କରିଥିଲେ ‘ହିମ୍ୟାନ୍’ । ତେବେ ଏହି ତିନୋଟି ଫିଲ୍ମର ରୋମାଣ୍ଟିକ ଗୀତରେ ଯୋଗସୂତ୍ର ତିଆରି କରିଥିଲେ ଧର୍ମେନ୍ଦ୍ର । ତିନୋଟି ଫିଲ୍ମର ରୋମାଣ୍ଟିକ ଗୀତରେ ଧର୍ମେନ୍ଦ୍ରଙ୍କୁ ସମାନ ପୋଷାକ ପିନ୍ଧିଥିବାର ଦେଖାଯାଇଥିଲା । ନାୟିକା ବଦଳିଥିଲେ ବି ପୋଷାକ ବଦଳି ନଥିଲା ।
ଆହୁରି ପଢ଼ନ୍ତୁ...Peddi Controversy : ‘ପେଡ୍ଡି’ ବିବାଦ ମଧ୍ୟରେ ଲିକ୍ ହେଲା ଜାହ୍ନବୀଙ୍କ ପର୍ସନାଲ୍ ଚାଟ୍
ବଲିଉଡ୍ର ଏକାଂଶ ଦାବି କରନ୍ତି, ୧୯୬୮ରୁ ୧୯୭୦ ମସିହା ପର୍ଯ୍ୟନ୍ତ ରିଲିଜ ହୋଇଥିବା ତିନୋଟି ଫିଲ୍ମର ଗୀତର ଦୃଶ୍ୟରେ ହଳଦିଆ ଷ୍ଟ୍ରାଇପ୍ ଥିବା ଗୋଟିଏ ସାର୍ଟ ପିନ୍ଧିଥିଲେ ଧର୍ମେନ୍ଦ୍ର । କୁହାଯାଏ ଏହି ପୋଷାକଟି ଧର୍ମେନ୍ଦ୍ରଙ୍କ ସୌଭାଗ୍ୟ ବହନକାରୀ । ସେହି ସାର୍ଟ ପିନ୍ଧିଥିବାରୁ ଧର୍ମେନ୍ଦ୍ରଙ୍କ ତିନୋଟି ଫିଲ୍ମ ଲଗାତର ବକ୍ସ ଅଫିସରେ ବ୍ୟାବସାୟିକ ସଫଳତା ହାସଲ କରିଥିଲା । ତାହା ପରଠାରୁ ଧର୍ମେନ୍ଦ୍ରଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନଥିଲା ।