ନୂଆଦିଲ୍ଲୀ ୦୭/୦୬: ଫିଲ୍ମ ‘ପେଡ୍ଡି’କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଏକ ବ୍ୟକ୍ତିଗତ ଚାଟ୍ ସୋସିଆଲ ମିଡିଆରେ ଲିକ୍ ହୋଇଛି । ତାଙ୍କ ଫ୍ୟାନ୍ କ୍ଲବ୍ ତରଫରୁ ଶେୟାର ହୋଇଥିବା ଏହି ସ୍କ୍ରିନସଟ୍‌ରେ ଦାବି ହେଉଛି, ଜାହ୍ନବୀ ଫିଲ୍ମର ସୁଟିଂ ସମୟରେ କିଛି ଆପତ୍ତିଜନକ କ୍ୟାମେରା ଆଙ୍ଗଲ୍ ଉପରେ ଚିନ୍ତା ପ୍ରକଟ କରିଥିଲେ । ବିବାଦ ପରେ ଫିଲ୍ମର ନିର୍ଦ୍ଦେଶକ ବୁଚ୍ଚି ବାବୁ ସନା କ୍ଷମା ପ୍ରାର୍ଥନା କରିବା ପରେ ଏହି ଚାଟ୍ ସାମ୍ନାକୁ ଆସିଛି । ଚାଟ୍ ଅନୁସାରେ, ରାମ ଚରଣ ମଧ୍ୟ ଏ ମାମଲାରେ ଜାହ୍ନବୀଙ୍କୁ ସମର୍ଥନ କରିଥିଲେ ଏବଂ ନିର୍ଦ୍ଦେଶକଙ୍କୁ ଗାଳି କରିଥିଲେ । ତେବେ ଜାହ୍ନବୀ କିମ୍ବା ତାଙ୍କ ଟିମ୍ ଅଦ୍ୟାବଧି ଏହି ମେସେଜ୍ ଉପରେ ପ୍ରତିକ୍ରିୟା ଦେଇନାହାନ୍ତି ।

ଫିଲ୍ମ ‘ପେଡ୍ଡି’ରେ ଜାହ୍ନବୀ କପୁରଙ୍କ ଚରିତ୍ର ଅଚିୟମ୍ମାକୁ ପରଦାରେ ଦର୍ଶାଇବା ତରିକାକୁ ଦର୍ଶକ ସମାଲୋଚନା କରିବା ପରେ ବିବାଦ ବଢ଼ିଛି । ଲୋକଙ୍କ କହିବା ଅନୁସାରେ, ଫିଲ୍ମରେ ଜାହ୍ନବୀଙ୍କ ଚରିତ୍ରର ଶାରୀରିକ ଗଠନ ଉପରେ ଅଧିକ ଫୋକସ୍ କରାଯାଇଛି । ତାଙ୍କ ଚରିତ୍ରକୁ କାହାଣୀର ଆବଶ୍ୟକତା ବଦଳରେ ଦର୍ଶକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଅଧିକ ବୋଲ୍ଡ ଭାବେ ପ୍ରଦର୍ଶନ କରାଯାଇଛି । ଫ୍ୟାନ୍ ପେଜ୍‌ରେ ଭାଇରାଲ ହେଉଥିବା ସ୍କ୍ରିନ୍‌ସଟ୍ ଅନୁସାରେ, ଜାହ୍ନବୀ ନିଜ ଚରିତ୍ରର ସୁଟିଂରେ କ୍ୟାମେରା ଆଙ୍ଗଲ୍‌କୁ ବାରମ୍ବାର ବିରୋଧ କରିଥିଲେ ।

ନିର୍ଦ୍ଦେଶକ ବୁଚ୍ଚି ବାବୁ ଶନିବାର ଏ ମାମଲାରେ ବୟାନ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ । ସେ ଲେଖିଥିଲେ, ଜଣେ ଫିଲ୍ମ ନିର୍ଦ୍ଦେଶକ ଭାବେ ମୋର ବିଶ୍ୱାସ ଯେ ସିନେମା ଲୋକଙ୍କ ମନୋରଞ୍ଜନ କରିବା ଉଚିତ୍, ପ୍ରେରିତ କରିବା ଉଚିତ୍ ଏବଂ ଦର୍ଶକଙ୍କ ସହ ଯୋଡ଼ିହେବା ଉଚିତ୍ । କାହାକୁ ଅପମାନ କରିବା ଏହାର ଲକ୍ଷ୍ୟ କଦାପି ହେବା ଉଚିତ୍ ନୁହେଁ । ଫିଲ୍ମର କିଛି ଦୃଶ୍ୟ ଉପରେ ଆସିଥିବା ପ୍ରତିକ୍ରିୟାକୁ ଆମେ ଗମ୍ଭୀରତାର ସହ ଗ୍ରହଣ କରିଛୁ । ମୁଁ ସର୍ବଦା ମହିଳାଙ୍କୁ ସମ୍ମାନ କରେ, ତାହା ପରଦାରେ ହେଉ ବା ବାସ୍ତବ ଜୀବନରେ । ଯଦି ଫିଲ୍ମର କୌଣସି ଦୃଶ୍ୟ ଲୋକଙ୍କ ଭାବନାକୁ ଆହତ କରିଛି, ତେବେ ଏଥିପାଇଁ ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି । ପ୍ରତିକ୍ରିୟାଗୁଡ଼ିକର ସମୀକ୍ଷା ପରେ ଫିଲ୍ମର ସେହି ସିନ୍‌ଗୁଡ଼ିକରେ ପରିବର୍ତ୍ତନ ପାଇଁ ଆମେ ନିଷ୍ପତ୍ତି ନେଇଛୁ ।

ଆହୁରି ପଢ଼ନ୍ତୁ...Peddi Controversy: ବଦଳିବ ଜାହ୍ନବୀ କପୁରଙ୍କ ବିବାଦୀୟ ଦୃଶ୍ୟ, କ୍ଷମା ମାଗିଲେ ନିର୍ଦ୍ଦେଶକ