କାମାକ୍ଷାନଗର, ୨୯/୦୯: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ନିକଟରେ ଛାତିଥରା ସଡ଼କ ଦୁର୍ଘଟଣା। ଗାଈ ପଲକୁ ଧକ୍କା ଦେଲା ବାଇକ୍ । ଦୁର୍ଘଟଣାରେ ବାଇକ୍ ଆରୋହୀ ଏବଂ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମର ବିକାଶ ସାହୁ।

ସୂଚନା ମୁତାବକ, ରବିବାର ସନ୍ଧ୍ୟା ସମୟରେ ବିକାଶ ନିଜ ସାଥିଙ୍କ ସହିତ କାମାକ୍ଷାନଗରରୁ ଢେଙ୍କାନାଳ ଆଡେ ଯାଉଥିଲେ । ଅଁଳାବେରେଣୀ ଛକ ନିକଟରେ ରାସ୍ତାଉପରେ ଠିଆ ହୋଇଥିବା ୩ଟି ଗୋରୁଙ୍କ ସହ ବାଇକ୍‌ଟି ଧକ୍କା ହୋଇଥିଲା। ଫଳର ଘଟଣାସ୍ଥଳରେ ଉଭୟ ବାଇକ୍‌ ଆରୋହୀ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଗୋଟିଏ ଗାଈ ମଧ୍ୟ ମରିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାଇକ୍‌ ଆରୋହୀଙ୍କୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ବିକାଶଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବିକାଶଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।