ବେତନଟୀ, ୨୫/୦୯: ୧୮ନଂ ଜାତୀୟ ରାଜପଥ ଅଜାଡିହ ଛକରେ ଗୁରୁବାର ସକାଳେ ଏକ ଟ୍ରକ୍‌ ପ୍ରାତଃଭ୍ରମଣରେ ଯାଉଥିବା ୨ ଜଣ ପଥଚାରୀଙ୍କୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି l ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଜାଡିହ ଗାଁର ସ୍ୱର୍ଗତ ଚୁରିଆ ସୋରେନଙ୍କ ୩୨ ବର୍ଷୀୟ ପୁଅ ଶିବୁ ସୋରେନ l

ସୂଚନା ମୁତାବକ, ଶିବୁ ସୋରେନ ଅଜାଡିହ ଗ୍ରାମର ରାଇତୋ ଟୁଡୁଙ୍କ ପୁଅ ଲିଟା ଟୁଡୁଙ୍କ ସହିତ ପ୍ରାତଃ ଭ୍ରମଣରେ ଯାଇଥିଲେ l ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଚାଲି ଚାଲି ଯାଉଥିବା ବେଳେ ଅଜାଡିହ ଠାରେ ଏକ ଟ୍ରକ୍ ରାସ୍ତା ତଳକୁ ଓହ୍ଲାଇ ଆସି ସେମାନଙ୍କୁ ଧକ୍କା ଦେଇଥିଲା l ଟ୍ରକ୍‌ ଧକ୍କାରେ ଲିଟା ଦୂରକୁ ଛିଟିକି ପଡି ଖଣ୍ଡିଆ ଖାବରା ହୋଇ ସାମାନ୍ୟ ଆହତ ହୋଇଥିଲେ । ହେଲେ ଶିବୁ ସୋରେନଙ୍କ ଉପରେ ଟ୍ରକ୍‌ଟି ମାଡି ଯାଇଥିଲା l ଦୁର୍ଘଟଣା ଘଟାଇ ସନ୍ଦିଗ୍ଧ ଟ୍ରକ୍‌ଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଆହତ ଲିଟା ଟୁଡୁ ଚିତ୍କାର କରି ଗାଁ ଲୋକଙ୍କୁ ଡାକ ପକାଇବାପରେ ଗ୍ରାମବାସୀ ଏବଂ ପରିବାରବର୍ଗ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଶିବୁ ସୋରେନଙ୍କୁ ମୃତ ଘୋଷଣା କରିବା ସହିତ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ l ଆହତ ଲିଟାଙ୍କ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବାରିପଦା ସ୍ଥାନାନ୍ତର ପାଇଁ କାର୍ଯ୍ୟରତ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି l ବୈଶିଙ୍ଗା ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍‌କୁ ଧରିବାକୁ ଉଦ୍ୟମ ଜାରି ରଖିଛି l