ନୂଆଦିଲ୍ଲୀ,୨୨/୦୪; ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀର ପହଲଗାମରେ ଜଘନ୍ୟ, ବର୍ବର ଏବଂ ଘୃଣ୍ୟ ନରସଂହାର ଘଟିଥିଲା । ବୈସରନ ଘାଟିରେ ମାନବିକତା ଉପରେ ଯେଉଁ ଆକ୍ରମଣ ହୋଇଥିଲା ତାହା ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା । କେହି କେବେ ଭାବି ନଥିଲେ କିଛି କ୍ଷଣ ଭିତରେ ସେମାନଙ୍କ ଆନନ୍ଦ ଆତଙ୍କରେ ପରିଣତ ହୋଇଯିବ । କେହି କିଛି ବୁଝିବା ଆଗକୁ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ବନ୍ଧୁକ ମୁନକୁ ନେଇ ଯାଇଥିଲେ । ଜମ୍ମୁକାଶ୍ମୀରର ପହଲଗାମ୍ରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି । ଏହାକୁ ନେଇ କାଶ୍ମୀରର ସମସ୍ତ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବୃଦ୍ଧି କରାଯାଇଛି । ୨୦୨୫ ଏପ୍ରିଲ ୨୨ରେ ଶ୍ରୀନଗରଠାରୁ ପ୍ରାୟ ୯୫ କିଲୋମିଟର ଦୂର ପହଲଗାମ୍ର ବୈସରନ ଘାଟିରେ ପାକିସ୍ତାନଭିତ୍ତିକ ଆତଙ୍କୀମାନେ ରକ୍ତର ହୋଲି ଖେଳିଥିଲେ । ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଯାଇଥିବା ୨୬ ପର୍ଯ୍ୟଟକଙ୍କୁ ସେମାନେ ପରିବାର ଲୋକଙ୍କ ସମ୍ମୁଖରେ ନିର୍ମମ ଭାବେ ମୁଣ୍ଡକୁ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣାରେ ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ପୁଲୱାମା ଭଳି ପହଲଗାମ୍ ଆତଙ୍କୀ ଘଟଣା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ ।
ଅପରୂପା ବୈସରନକୁ ଝୁରୁଛନ୍ତି ପର୍ଯ୍ୟଟକ- ‘ମିନି ସ୍ୱିଜରଲାଣ୍ଡ’ ବୈସରନ ଘାଟି ଗତବର୍ଷର ଆତଙ୍କୀ ଆକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ ଖୋଲିନାହିଁ । ଏବେ ବି ତାହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି । ଅପରୂପା ଶୋଭାରାଜିରେ ପରିପୂର୍ଣ୍ଣ ଏହି ଘାଟିରେ ଏକ ଧାର୍ଯ୍ୟ ସୀମା ଭିତରେ ପ୍ରବେଶ ଲାଗି ଅନୁମତି ଦିଆଯାଉ ନାହିଁ । କିନ୍ତୁ ପହଲଗାମ୍ର ଅନ୍ୟ ପର୍ଯ୍ୟଟନସ୍ଥଳୀ ଯଥା ବେତାବ ଭ୍ୟାଲି ଏବଂ ଚନ୍ଦନୱାଡ଼ି ପର୍ଯ୍ୟନ୍ତ ଯିବା ଲାଗି ବାରଣ ନାହିଁ । ଘାଟିକୁ ପର୍ଯ୍ୟଟକଙ୍କ ଆଗମନ ପୂର୍ବାପେକ୍ଷା ୩୦- ୪୦% ହ୍ରାସ ପାଇଛି । ବୈସରନ ଘାଟିକୁ ଖୋଲାଯାଉ ନ ଥିବାରୁ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହା ସେମାନଙ୍କୁ ଭଲ ରୋଜଗାର ଯୋଗାଉଥିଲା । କିନ୍ତୁ ତାହା ଏବେ ବନ୍ଦ ହୋଇଯାଇଛି ।
ଏହା ବି ପଢନ୍ତୁ...'ଭାରତ ଭୁଲେ ନାହିଁ, ନ୍ୟାୟ ମିଳିଲା'...ପହଲଗାମ ହମ୍ଲା ବର୍ଷେ ପୂର୍ବରୁ ପାକିସ୍ତାନକୁ ଭାରତୀୟ ସେନାର କଡ଼ା ମେସେଜ୍
ପହଲଗାମ୍ ଆକ୍ରମଣକୁ ବର୍ଷେ ପୂରୁଥିବାରୁ ଭାରତୀୟ ସେନା ମଙ୍ଗଳବାର ସୋସିଆଲ ମିଡିଆ ଜରିଆରେ ଆତଙ୍କୀମାନଙ୍କୁ ଚେତାବନୀ ଦେଇଛି । ସେନା କହିଛି, ‘କିଛି ସୀମାକୁ ଆଦୌ ଉଲ୍ଲଂଘନ କରିବା ଉଚିତ ନୁହେଁ । ମାନବିକତାର ସୀମା ଡେଇଁଲେ ମୁହଁତୋଡ଼ ଜବାବ ଦିଆଯିବ । ଆତଙ୍କୀ ହମଲାର ନ୍ୟାୟ ହୋଇସାରିଛି । ଭାରତ ଏକଜୁଟ ଅଛି ।’ ଏହି ପୋଷ୍ଟରେ ସେନା ଏକ ଫଟୋ ଜାରି କରିଛି, ଯେଉଁଥିରେ ସିନ୍ଦୂର ଏବଂ ଭାରତର ନକ୍ସା ଦେଖାଯାଇଛି । ଏହାର ଥିମ୍ ‘ଅପରେସନ ସିନ୍ଦୂର’ ସହ ଯୋଡ଼ି ହୋଇଛି । ପହଲଗାମ୍ ହମଲାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ମେ ୭ ରାତି ପ୍ରାୟ ୧.୦୫ରେ ପାକିସ୍ତାନ ଏବଂ ପିଓକେରେ ସାଙ୍ଘାତିକ ଏୟାରଷ୍ଟ୍ରାଇକ୍ କରିଥିଲା । ୨୫ ମିନିଟର ଅପରେସନରେ ୭ ସହରରେ ଥିବା ୯ ଆତଙ୍କୀ ଶିବିରକୁ ଧ୍ୱଂସ କରାଯାଇଥିଲା । ଏହାକୁ 'ଅପରେସନ ସିନ୍ଦୂର' ନାମ ଦିଆଯାଇଥିଲା । ଏଥିସହ ଅପରେସନ୍ 'ମହାଦେବ'ରେ ୩ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଜୁଲାଇ ୨୮ ତାରିଖରେ ନିପାତ କରିଥିଲା ଭାରତୀୟ ସେନା ।