ପୁରୀ,୨୮/୧୦: ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଦର୍ଶନ ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବ୍ୟବସ୍ଥା ନିମନ୍ତେ ସଅଳ ନୀତି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍ ପ୍ରସ୍ତୁତି କରିଛି । ଭିଡ଼ ନିୟନ୍ତ୍ରଣ ପାଇଁ ପଞ୍ଚୁକ ସମୟରେ କେବଳ ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ନିମନ୍ତେ ପ୍ରଶାସନ ଚିନ୍ତା କରୁଛି । ସୋମବାର ଏନେଇ ବରିଷ୍ଠ ସେବାୟତଙ୍କ ସହ ଜିଲ୍ଲାପାଳ ଓ ଏସ୍ପି ଆଲୋଚନା କରିଛନ୍ତି ।
ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ସୁବିଧା, ଆବଶ୍ୟକ ପରିମାଣର ମହାପ୍ରସାଦ ବ୍ୟବସ୍ଥା, ବାହାରେ ସୂଚନା କେନ୍ଦ୍ର, ସହରରେ ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା କେନ୍ଦ୍ର ପ୍ରଭୃତି ବ୍ୟବସ୍ଥା ହେବ । ଭିଡ଼କୁ ନିୟନ୍ତ୍ରଣ ନିମନ୍ତେ ଏବେଠାରୁ ଶ୍ରୀମନ୍ଦିର ବାହାରେ ମରିଚିକୋଟ ଛକ ପର୍ଯ୍ୟନ୍ତ ଲୁହା ବ୍ୟାରିକେଡ୍ ନିର୍ମାଣ ଆରମ୍ଭ ହୋଇଛି । ସେପଟେ ୫ ଦିନ ପରିବର୍ତ୍ତେ ଚଳିତ ଥର ୪ ଦିନ ରହିଛି ପଞ୍ଚୁକ ବ୍ରତ । ତେଣୁ ୪ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ । ୨ ନଭେମ୍ବରରେ ହରି ଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ, ୩ ନଭେମ୍ବରରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ନଭେମ୍ବର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଠାକୁର ଦର୍ଶନ ଦେବେ । ଚଳିତଥର ତିଥି କ୍ଷୟ ଯୋଗୁଁ ଅର୍ଥାତ୍ ପଞ୍ଚୁକ ୫ଦିନ ପଡ଼ୁନଥିବାରୁ ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବେ ।
ବରିଷ୍ଠ ସେବକ ତଥା ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା କହିଛନ୍ତି, ପ୍ରସ୍ତୁତି ବୈଠକରେ ମହାପ୍ରଭୁଙ୍କ ନୀତି ସଅଳ କରିବା, ଭକ୍ତଙ୍କୁ ଅଧିକ ସମୟ ଠାକୁର ଦର୍ଶନର ସୁବିଧା ଦେବା, ସଅଳ ମହାପ୍ରସାଦ ବ୍ୟବସ୍ଥା ପ୍ରଭୃତି କରିବା ନେଇ ଆଲୋଚନା ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦିବା ପହୁଡ଼ ହେବ କି ନାହିଁ ସ୍ଥିର ହେବ । କାର୍ତ୍ତିକ ମାସ ସମେତ ପଞ୍ଚୁକରେ ନୀତି ବହୁଳ ରହୁଥିବାରୁ ଖୁବ୍ କମ୍ ସମୟ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ନିମନ୍ତେ ମିଳିଥାଏ । ତେଣୁ ଭିଡ଼ ରୋକି ହୋଇ ରହିଥାଏ । ଯାହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଯୋଜନା କରିଛି । ପ୍ରତ୍ୟେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ପାଖକୁ ଯାଇ ଦର୍ଶନ କରିବାକୁ ଆତୁର । ତେଣୁ ଏହାର ସୁବନ୍ଦୋବସ୍ତ ନିମନ୍ତେ ପଞ୍ଚୁକ ସମୟରେ ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ନିମନ୍ତେ ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି । ପଞ୍ଚୁକ ବେଳେ ହବିଷ୍ୟାଳି, ମହିଳା, ଶିଶୁ, ବରିଷ୍ଠ ନାଗରିକଙ୍କ ସୁରକ୍ଷା ନିମନ୍ତେ କି ପ୍ରକାର ଦର୍ଶନ ଶୃଙ୍ଖଳା ବ୍ୟବସ୍ଥା ହେବ ତାହା ପ୍ରାଶାସନିକ ଅଧିକାରୀମାନେ ସ୍ପଷ୍ଟ କରିନାହାନ୍ତି।