ନୂଆଦିଲ୍ଲୀ,୬/୦୭: ପୂର୍ବ ଯୋଜନା ତୁଳନାରେ  ଓପେକ୍‌ ପ୍ଲସ ଦେଶ ଗୁଡ଼ିକ ଅଗଷ୍ଟରେ ତେଲ ଉତ୍ପାଦନ  ବଢ଼ାଇବେ । ମେ, ଜୁନ ଏବଂ ଜୁଲାଇରେ ଏହି ଦେଶ  ଗୁଡ଼ିକ ଦୈନିକ ୪.୧୧ ଲକ୍ଷ ବ୍ୟାରେଲ ଅଶୋଧିତ  ତେଲ ଉତ୍ତୋଳନ କରିଥିଲେ । ଏହାକୁ ସେମାନେ  ୫.୪୮ ଲକ୍ଷ ବ୍ୟାରେଲକୁ ବଢ଼ାଇବା ନେଇ ବର୍ତ୍ତମାନ  ସହମତ ହୋଇଛନ୍ତି । ଉତ୍ପାଦନରେ ଏହି ଧାରା ଆଗକୁ  ମଧ୍ୟ ବୃଦ୍ଧି ହୋଇପାରେ । ଏହା ହେଲେ ଅନ୍ତର୍ଜାତୀୟ  ବଜାରରେ ଅଶୋଧିତ ତେଲ ଦର ଆହୁରି କମିବାର  ଢ଼େର ସମ୍ଭାବନା ଅଛି । ଏହା ଦ୍ୱାରା ଭାରତ ଲାଭବନା ହୋଇପାରିବ ବୋଲି କୁହାଯାଉଛି । 

ସାଉଦି ଆରବ ନେତୃତ୍ୱାଧୀନ ଓପେକ୍‌ ଦେଶ  ଗୁଡ଼ିକ ସେମାନଙ୍କ ପୂର୍ବ ଆଭିମୁଖ୍ୟ ବଦଳାଇଛନ୍ତି ।  ଦର ନିୟନ୍ତ୍ରଣ ପରିବର୍ତ୍ତେ ସେମାନେ ଏବେ ବଜାର  ଅଂଶ ହାସଲ କରିବାକୁ ପ୍ରାଥମିକତା ଦେଉଛନ୍ତି । ପୂର୍ବରୁ  ଏମାନେ ଅପେକ୍ଷାକୃତ କମ୍‌ ତେଲ ଉତ୍ପାଦନ କରୁଥିଲେ  କିମ୍ବା ଉତ୍ପାଦନକୁ ନିୟନ୍ତ୍ରିତ କରୁଥିଲେ । ମାତ୍ର ଏହି  ଦେଶ ଗୁଡ଼ିକ ଏବେ ଯୋଗାଣ ତ୍ୱରାନ୍ୱିତ କରୁଛନ୍ତି ।  ତେଲ ଉତ୍ପାଦନକାରୀ ଦେଶ ଗୁଡ଼ିକର ଆଭିମୁଖ୍ୟରେ  ଏହି ପରିବର୍ତ୍ତନ ଏବେ ଟ୍ରେଡରଭ୍‌କୁ ଆଶ୍ଚର୍ଯ୍ୟ କରିଛି ।

ଦୀର୍ଘ ମିଆଦି ଭିତ୍ତିରେ ଦେଶ ଗୁଡ଼ିକ ଏହି  ନୀତି ଆପଣାଇବେ କି ନାହିଁ ତାକୁ ମଧ୍ୟ ନେଇ ଏବେ  ଜୋରଦାର ଚର୍ଚ୍ଚା ହେଉଛି । ଚଳିତ ବର୍ଷ ଅଦ୍ୟାବଧି  ବ୍ରେଣ୍ଟ ଅଶୋଧିତ ତେଲ ଦର ୮.୫% ହ୍ରାସ ହେଲାଣି ।  ବଜାରରେ ଅତ୍ୟଧିକ ତେଲ ଉପଲବ୍ଧତା ଏବଂ ଟ୍ରମ୍ପଙ୍କ  ପାଲଟା ଟିକସ ଯୋଗୁ ଅର୍ଥନୀତିକୁ ଝଟ୍‌କା ଲାଗିବା ଆଶଙ୍କା ରହିଛି । ଏଭଳି ପ୍ରମୁଖ କାରଣ ଯୋଗୁ  ଅଶୋଧିତ ତେଲ ଦର ହ୍ରାସ ହେଉଛି । 

ତେବେ ସ୍ୱଳ୍ପ ମିଆଦି ଭିତ୍ତିରେ ତେଲ ଚାହିଦା ଦୃଢ଼ ରହିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଆମେରିକା ଭିତ୍ତିକ କମ୍ପାନି ଗୁଡ଼ିକର ବିଶୋଧନ କ୍ଷମତା  ୨୦୧୯ ପରଠୁ ରେକର୍ଡ ସ୍ତରରେ ରହିଛି । ଆମେରିକାର  ତେଲ ବଜାରରେ ଉନ୍ନତ ଅଂଶ ହାସଲ ଓପେକ୍‌ ଦେଶ  ଗୁଡ଼ିକୁ ହଜମ ହେଉନି । ବଜାର ଅଂଶ ପୁଣି ଥରେ ଦୃଢ଼  କରିବାକୁ ଚାହୁଁଛି ସାଉଦି ଆରବ । ଅଗଷ୍ଟର ଉତ୍ପାଦନ ଲକ୍ଷ୍ୟ ଅନୁସାରେ ଓପେକ୍‌ ପ୍ଲସ  ଦେଶ ଗୁଡ଼ିକ ପୁଣି ଥରେ ଦୈନିକ ୨.୨ ନିୟୁତ ବ୍ୟାରେଲ  ସ୍ତରକୁ ଫେରିବେ । ତେବେ ତେଲ ଉତ୍ପାଦନରେ ଏହି  ବୃଦ୍ଧି ସାମାନ୍ୟ ବୋଲି କୁହାଯାଉଛି । 

ଅଗଷ୍ଟରେ ଦୈନିକ  ୪.୧୧ ଲକ୍ଷ ବ୍ୟାରେଲ ଉତ୍ପାଦନ ରହିପାରେ ବୋଲି  ଟ୍ରେଡର ମାନେ ମତ ରଖିଥିବା ବ୍ଲୁମବର୍ଗ ସର୍ଭେରୁ  ଜଣାପଡ଼ିଛି । ଅତ୍ୟଧିକ ତେଲ ଉତ୍ପାଦନ ଆମେରିକାକୁ  ଆଶ୍ୱସ୍ତି ଦେଇପାରେ । ଫେଡେରାଲ ରିଜର୍ଭ ସୁଧହାର  କମାଇବାରେ ଏହା ସହାୟକ ହେବ । 

ମାତ୍ର ଉତ୍ପାଦନ ବଢ଼ିଲେ ମାତ୍ରାଧିକ ଯୋଗାଣ  ଯୋଗୁ ଦର ପ୍ରଭାବିତ ରହିବ । ତୈଳ କୂପ ଗୁଡ଼ିକରେ  ଅତିରିକ୍ତ ୧ ନିୟୁତ ବ୍ୟାରେଲ ତେଲ ଷ୍ଟକ ରହୁଛି ।  ଆମେରିକା, ଗୁଏନା, କାନାଡା ଏବଂ ବ୍ରାଜିଲରେ  ଉତ୍ପାଦନ ବଢ଼ିବାରୁ ଚୀନରେ ଚାହିଦା କମିଛି ।  ବଜାରରେ ଏବର୍ଷ ବଳକା ତେଲ ରହିବ ବୋଲି  ପ୍ୟାରିସ ଭିତ୍ତିକ ଅନ୍ତର୍ଜାତୀୟ ଏନର୍ଜି ଏଜେନ୍ସି କହିଛି ।  

୪ର୍ଥ ତ୍ରୈମାସ ବେଳକୁ ଅଶୋଧିତ ତେଲ  ବ୍ୟାରେଲ ପିଛା ୬୦ ଡଲାରକୁ ଖସିପାରେ ବୋଲି  ଜେପି ମୋର୍ଗାନ ଏବଂ ଗୋଲ୍ଡ ମ୍ୟାନ ସ୍ୟାଚ୍‌ ପକ୍ଷରୁ  ଆକଳନ କରାଯାଇଛି । ଗତ ମାସରେ ଇରାନ ଇସ୍ରାଏଲ  ଯୋଗୁ ତେଲ ଦର ଉପର ମୁହାଁ ହୋଇଥିଲା ।