ଆନନ୍ଦପୁର,୦୨/୦୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର  ଉପଖଣ୍ଡର ଏକ ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।  ଏହି ଭାଇରାଲ ଭିଡିଓ ସାଧାରଣ ପ୍ରଶାସନ ଠାରୁ ଆରମ୍ଭ  କରି ପୁଲିସ ପ୍ରଶାସନ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।  ଏହି ଦୃଶ୍ୟ ଅନ୍ୟ କିଛି ନୁହେଁ ବାଲି ଗାଡରୁ ଚାନ୍ଦା ଆଦାୟ  କରିବାର ଦୃଶ୍ୟ । ଖାଲି ଗାଡି ହେଉ ଅବା ବାଲି ବୋଝେଇ ଗାଡି ଛକ ଛକରେ ଠିଆ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଗାଡିର ଚାଳକଙ୍କୁ ଚାନ୍ଦା ଦେବାକୁ ପଡୁଛି । ଗ୍ରାମ୍ୟ ରାସ୍ତାର ଠାଏ  ଠାଏ ଠିଆ ହୋଇଥିବା ବ୍ୟକ୍ତି ବିଶେଷ ଖୋଲାଖୋଲି ଭାବେ  ବାଲି ବୋଝେଇ ପାଇଁ ଆସୁଥିବା ଗାଡି ଓ ବାଲି ବୋଝେଇ  କରି ଆଣୁଥିବା ଗାଡି ଠାରୁ ଚାନ୍ଦା ଆଦାୟ କରିବାର ଦୃଶ୍ୟ  ସମସ୍ତଙ୍କୁ ଚକିତ କରିଛି ।   

ଚାନ୍ଦା ପୁଣି ଆଖି ଖୋସିଲା ଭଳି ଚାନ୍ଦା । ବାଲି ଘାଟକୁ  ଆସିବା ପାଇଁ ଓ ବାଲି ଘାଟରୁ ବାହାରିବା ପାଇଁ ଗାଡି ପିଛା ୩  ହଜାର ଟଙ୍କା ଚାନ୍ଦା ଦେବାକୁ ପଡିଥାଏ ବୋଲି ଜନୈକ ଗାଡି  ମାଲିକ ଘଟଣାକୁ ସ୍ପଷ୍ଟ କରିଛନ୍ତି । ବିଶେଷ କରି ଆନନ୍ଦପୁର  ଉପଖଣ୍ଡର ରଣା ଛକ ଠାରୁ ଅମୃତପୁର ବାଲି ସୈରାତ  ପର୍ଯ୍ୟନ୍ତ ଏହି ଚାନ୍ଦା ଦେବାକୁ ପଡିଥାଏ ବୋଲି ଗାଡି ମାଲିକ  ସ୍ୱୀକାର କରିଛନ୍ତି । ଏପରିକି ଭାଇରାଲ ଭିଡିଓରେ ଜନୈକ  ଗାଡି ମାଲିକ ଓ ଚାନ୍ଦା ଆଦାୟକାରୀ ବ୍ୟକ୍ତି ବିଶେଷଙ୍କ  ସହିତ ଯୁକ୍ତି ତର୍କ ହେବା ଭଳି ଘଟଣା ଦେଖିବାକୁ ମିଳୁଛି ।  ଆମ୍ଭେ ତ ବାଲି ଅର୍ଥ ଦେଇ ଆଣୁଛୁ, ରୋଡ୍‌ ଟାକ୍ସ ବି କାଟୁଛୁ  ପୁଣି ରାସ୍ତାରେ ଆପଣମାନଙ୍କୁ କାହିଁକି ଚନ୍ଦା ଦେବୁ ବୋଲି  ଗାଡି ମାଲିକ ଯୁକ୍ତି ବାଢୁଥିବାବେଳେ ଚନ୍ଦା ଆଦାୟକାରୀ  ବ୍ୟକ୍ତିମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ଚନ୍ଦା ଦେବ  ମାନେ ଦେବ, ନଦେଲେ ଗାଡି ଗଡିବନି ବୋଲି ରୋକଠୋକ୍‌  ଶୁଣାଇ ଦେଉଛନ୍ତି । ଏଭଳି ଏକ ବିଚିତ୍ର ଦୃଶ୍ୟ ଖୋଦ୍‌  କେନ୍ଦୁଝର ଜିଲ୍ଲା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।