ନୂଆଦିଲ୍ଲୀ, ୦୫/୦୧ : ଜାନୁଆରୀ ୩ରେ ଭେନେଜୁଏଲା ଉପରେ ସୈନ୍ୟ ଅପରେସନ କରିଥିଲା ଆମେରିକା। ରାଜଧାନୀ କାରାକାସ୍ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆଙ୍କୁ ଗିରଫ କରିଛି ୟୁଏସ୍। ତେବେ ଭେନେଜୁଏଲା ଉପରେ ଆକ୍ରମଣ କରିବା ପଛରେ ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ? କ୍ଷମତା ପରିବର୍ତ୍ତନ ନା ତୈଳ ଭଣ୍ଡାର ଲୋଭ ? ଏହି ଅପରେସନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ ଜଣେ ସାମ୍ବାଦିକ। ଜାଣନ୍ତୁ କ’ଣ ଉତ୍ତର ଦେଲେ ଟ୍ରମ୍ପ ?
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ, ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଏହି ଅପରେସନ ପଛର ଉଦ୍ଦେଶ୍ୟ । ୧୮୨୩ ଆମେରିକୀୟ ନୀତି ଅନୁଯାୟୀ, ପଶ୍ଚିମାଞ୍ଚଳ ଉପରେ ଆମେରିକାର ପ୍ରଭାବ ରହୁଛି । ଏହାକୁ ଡନ୍-ରୋ ଡକ୍ଟ୍ରିନ୍ କୁହାଯାଉଛି। ଏହି ଅଞ୍ଚଳରେ ଏବେ ଶାନ୍ତିର ଆବଶ୍ୟକତା ରହିଛି। ଅନ୍ୟ ରାଷ୍ଟ୍ରପତିମାନେ ଏହି ଡକ୍ଟ୍ରିନ୍ କୁ ଭୁଲି ଯାଇଥିଲେ। ହେଲେ ମୁଁ ଭୁଲି ନାହିଁ।ଭେନେଜୁଏଲା ଉପରେ ଏହି ଆଟାକ୍ କୁ କିଛି ସମାଲୋଚକ ତୈଳ ଉତ୍ତୋଳନ ସହ ଯୋଡ଼ିଛନ୍ତି । ହେଲେ ଟ୍ରମ୍ପ ସିଧାସଳଖ ଏହି ଯୁକ୍ତିକୁ ଟାଳିଛନ୍ତି । ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ଏବଂ ଆଞ୍ଚଳିକ ସୁରକ୍ଷାର ନାମ ଦେଇଛନ୍ତି । ମାଦୁରୋଙ୍କୁ ୟୁଏସ୍ ଗିରଫ କରିବା ପରେ ଟ୍ରମ୍ପ୍ ଭେନେଜୁଏଲାକୁ ମୃତ ଦେଶ ଭାବେ ଘୋଷଣା କରିଛନ୍ତି ଏବଂ ଯେପର୍ଯ୍ୟନ୍ତ ସବୁ କିଛି ଠିକ୍ ନହୋଇଛି, ସେପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ନେବେ ବୋଲି କହିଛନ୍ତି ।
US ଅପରେସନକୁ ନିନ୍ଦା
ଅପରେସନ ଆବସୋଲ୍ୟୁଟ୍ ରିଜଲଭ୍ ପାଇଁ ମାସ ମାସ ଧରି ଆମେରିକା ପ୍ରସ୍ତୁତି ଚଳାଇଥିଲା। ସିଆଇଏ ଟିମ୍ ମାଦୁରୋଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା ଏବଂ ଡେଲ୍ଟା ଫୋର୍ସ ସହ ସ୍ଵତନ୍ତ୍ର ବାହିନୀ ଆଟାକ୍ କରିଥିଲା। ୧୫୦ରୁ ଉର୍ଦ୍ଧ୍ଵ ଆମେରିକୀୟ ବିମାନ ଭେନେଜୁଏଲା ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରି ପକାଇଲା। ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ କାବୁ କରି ନ୍ୟୁୟର୍କ ଅଣାଗଲା। ଏବେ ତାଙ୍କ ବିରୋଧରେ ନାର୍କୋ-ଟେରୋରିଜିମ୍ ଏବଂ ଡ୍ରଗ୍ସ ତସ୍କରୀ ଅଭିଯୋଗରେ ମକୋଦ୍ଦମା ଚାଲିବ। ତେବେ ୱାସିଂଟନର ଏହି କାର୍ଯ୍ୟାନୁଷ୍ଠାନ ପରେ ବିଶ୍ଵ ଦୁଇ ଭାଗ ହୋଇଯାଇଛି । ବହୁ ଦେଶ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରୁଛନ୍ତି।