ଫିରିଙ୍ଗିଆ,୨୧/୧୧ : କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦେଶ ଓ ଜିଲ୍ଲା ପୁଲିସ ମୁଖିଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଥିବାବେଳେ ଅନୁରୂପ ଭାବେ ଜିଲ୍ଲାର ଗଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଗୋଛାପଡ଼ା ପୁଲିସ ପକ୍ଷରୁ ମଧ୍ୟ ଶୁକ୍ରବାର ଆରମ୍ଭ ହୋଇଛି ଏହି ଅପରେସନ ନୀଳ ଜହର I ତେବେ ଶୁକ୍ରବାର ଗୋଛାପଡ଼ା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଥାନା ଅଧୀନରେ ଥିବା କଟ୍ରିଙ୍ଗିଆ ପଞ୍ଚାୟତର ପାଲଚି ଓ ତାଡାରି ଓ କୁଡାଲି ଲୋଆହାମରାହାକା ନିକଟବର୍ତ୍ତୀ ଜଙ୍ଗଲ ଜମିମାନଙ୍କରେ ଚାଷ ହୋଇଥିବା ପ୍ରାୟ ୧୪୫ହଜାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I
ଦିତୀୟ ଦିନରେ ବନବିଭାଗ, ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିବାବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡ଼ିକ କଟାଯାଇଥିଲା I ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବାବେଳେ ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡ଼ା ଥାନାରେ କେଶ ନଂ ୨୨୯/୨୫ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I