ନୂଆଦିଲ୍ଲୀ,୨୭/୦୬: ଭାରତୀୟ ନୌସେନା ପାଖରେ ପାକିସ୍ତାନ ଭିତରେ ଥିବା ଟାର୍ଗେଟସ୍ଥଳର ଏକ ପୂର୍ଣ୍ଣ ତାଲିକା ଥିଲା। ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ଭିତରେ ଥିବା ଲକ୍ଷ୍ୟସ୍ଥଳରେ ଏକାଧିକ ଥର କ୍ଷେପଣାସ୍ତ୍ର ନିକ୍ଷେପ କରିବା ପାଇଁ ସେମାନଙ୍କୁ ହଟ୍-ଷ୍ଟାଣ୍ଡବାଏରେ ରଖାଯାଇଥିଲା। ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି ଯେ, ନୌସେନା ମିଶାଇଲ ଆକ୍ରମଣ କରିବା ପାଇଁ ଚୂଡ଼ାନ୍ତ ନିର୍ଦ୍ଦେଶ ପାଇ ନଥିଲା। ସୂତ୍ର ଅନୁଯାୟୀ, "ନୌସେନା ଚିହ୍ନଟ ହୋଇଥିବା ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିନଥିଲା। ଏଥିରେ ବନ୍ଦରରେ ଥିବା ପାକିସ୍ତାନ ନୌସେନା ଜାହାଜ, ବୁଡ଼ାଜାହାଜ ଏବଂ କିଛି ସ୍ଥାନ ଟାର୍ଗେଟ ଲିଷ୍ଟରେ ଥିଲା। ଯଦି ନୌସେନା ସମ୍ପୂର୍ଣ୍ଣ ଆକ୍ରମଣ କରିଥାନ୍ତା, ତେବେ ଅପରେସନ୍ ସିନ୍ଦୂର ସମୟରେ ଦୁଇ ଦେଶ ମଧ୍ୟରେ ସାମରିକ ଶତ୍ରୁତାର ଏକ ବ୍ୟାପକ ପ୍ରଭାବ ଦେଖାଦେଇଥାଆନ୍ତା।
ନୌସେନା ପ୍ରସ୍ତୁତ ଥିଲା। ନିର୍ଦ୍ଦେଶ ଦିଆଯିବା ପରେ, ପାକିସ୍ତାନ ଭିତରେ ଥିବା ଲକ୍ଷ୍ୟସ୍ଥଳଗୁଡ଼ିକ ଭିତରେ କରାଚୀ ବନ୍ଦରରେ ଲାଗି ରହିଥିବା ପାକ୍ ନୌସେନା ଜାହାଜ, ଆଦିକୁ ବ୍ରହ୍ମୋସ୍ ମିଶାଇଲ ଏବଂ ବୁଡ଼ାଜାହାଜ ଆଦିରୁ ଟାର୍ଗେଟ କରାଯାଇଥାନ୍ତା। ଏହି ବୁଡ଼ାଜାହାଜରୁ ନିକ୍ଷେପିତ କ୍ରୁଜ୍ ମିଶାଇଲଗୁଡ଼ିକ କ୍ଲବ୍ ସିରିଜର ବୋଲି କୁହାଯାଉଛି। ଏଗୁଡ଼ିକ ଭାରତର ରୁଷିଆ ନିର୍ମିତ କ୍ଳବ ଶ୍ରେଣୀର ବୁଡ଼ାଜାହାଜରେ ଫିଟ୍ ହୋଇଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମୟରେ, ପାକିସ୍ତାନୀ ନୌସେନାର ଫ୍ରଣ୍ଟଲାଇନ୍ ଯୁଦ୍ଧଜାହାଜ, ଯେଉଁଥିରେ ଫ୍ରିଗେଟ୍ ଏବଂ କର୍ଭେଟ୍ ଅନ୍ତର୍ଭୁକ୍ତ, ତାହା ବନ୍ଦର ଭିତରେ ରହିଥିଲା ଏବଂ ବାହାରକୁ ବାହାରି ନଥିଲା। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ଯଦି ଭାରତୀୟ ନୌସେନା ଆକ୍ରମଣ କରିବାକୁ ନିର୍ଦ୍ଦେଶ ପାଇଥାନ୍ତା, ତେବେ ଏହି ପାକିସ୍ତାନୀ ଯୁଦ୍ଧଜାହାଜଗୁଡ଼ିକ ମଧ୍ୟରୁ ଅନେକ ବନ୍ଦର ଭିତରେ ହିଁ ବୁଡ଼ି ଯାଇଥାନ୍ତେ।
ଶକ୍ତି ଏବଂ କ୍ଷମତା ଦୃଷ୍ଟିରୁ, ଭାରତୀୟ ନୌସେନାର ଯୁଦ୍ଧଜାହାଜ ପାକିସ୍ତାନୀ ନୌସେନା ଅପେକ୍ଷା ବହୁତ ଉନ୍ନତ, କିନ୍ତୁ ଏହା ଆକ୍ରମଣ କରିନାହିଁ। ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୀ, ଭାରତୀୟ ନୌସେନାର ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସ୍ଥଳଭାଗରୁ ପାକିସ୍ତାନ ଭିତରେ ଆତଙ୍କବାଦୀ ଘାଟି ଏବଂ ଅନ୍ୟାନ୍ୟ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପାଇଁ ନିୟୋଜିତ କରାଯାଇଥିଲା। ଏଥିରେ କେଉଁ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବ୍ୟବହୃତ ହୋଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ କୁହାଯାଇ ନାହିଁ।