ପାଟଣାଗଡ,୫।୬ : ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତି ଆଦିବାସୀ ଭବନ ଠାରେ ସାଲେପାଲି ଗ୍ରାଫାଇଟ ମାଇନିଙ୍ଗ ବ୍ଳକ ଖଣି ଖନନକୁ ବିରୋଧ କରି ସୋମବାର ଜନମ ମାଏଟ ବଞ୍ଚାଓ ସଂଘର୍ଷ ସମିତିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗିରିରାଜ ଭୋଇଙ୍କ ନେତୃତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ଦ୍ଵାରା ଖଣି ଖନନ ପ୍ରକିୟାକୁ ବାତିଲ କରାନଗଲେ ଆଗାମୀ ଦିନରେ ତ୍ରୀବ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଜନସାଧାରଣ ସହମତି, ଜନଶୁଣାଣୀ କିମ୍ବା ଗାଁ ଗାଁରେ ପଲ୍ଲୀସଭା ନ କରି କମ୍ପାନୀକୁ ଖଣି ଟେକି ଦେବାକୁ ନେଇ ବିରୋଧ କରାଯାଇଛି। ଏହି ଖଣି ଖନନ ହେଲେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ ଏବଂ ଦୁର୍ଦ୍ଦଶା ଭୋଗିବେ, ଏପରି କି ପରିବେଶ ଦୂଷିତ ହେବା ସହ ଜଳସ୍ତର ହ୍ରାସ ପାଇବ, ଜଙ୍ଗଲ ଧ୍ବଂସ ହେବ, ସମାୟନୁକ୍ରମେ ଲୋକେ ବିଭିନ୍ନ ରୋଗ ଯନ୍ତ୍ରଣା ଭୋଗିବେ , ଲୋକଙ୍କ ବିନା ସହମତି ଏହି ନିଲାମ ପ୍ରକିୟା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ଭୋଇ କହିଥିଲେ ।
ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଏହି ଖଣି ଖନନ ପ୍ରକିୟା ବାତିଲ କରାଯାଉ ନଚେତ ଆଗାମୀ ଦିନରେ ଯେଉଁ ସବୁ ପରିସ୍ଥିତି ଉପୁଜିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗିରିରାଜ ଭୋଇଙ୍କ ସମେତ ଦିଶାରାଣି ସାହୁ, ପ୍ରକାଶ ସାହୁ, ଟଙ୍କଧର ରାଓ, ଗନ୍ଧର୍ବ ସୁନା, ବେଣୁଧର ହୋତା,ମଦନ ମାଝୀ, ଗଜାନନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।