ଭୁବନେଶ୍ୱର,୦୮/୦୭: ମୁମ୍ବାଇସ୍ଥିତ କୋକିଲାବେନ୍‌  ଧୀରୁବାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୁମ୍ବାଇରେ ଅଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ କିଛି  ଦିନ ସେ ମୁମ୍ବାଇରେ ରହିବେ। ସେଠାରେ ତାଙ୍କର ନିୟମିତ  ଫିଜଓଥେରାପି ଚାଲିବ । ସମ୍ଭବତଃ ଆସନ୍ତା ସପ୍ତାହରେ ନବୀନ  ଭୁବନେଶ୍ୱର ଫେରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।  


ସର୍ଭାଇକାଲ ଆର୍ଥାଇଟିସ୍‌ ଚିକିତ୍ସା ପାଇଁ ଗତ ୨୦ ତାରିଖରେ  ନବୀନ ଭୁବନେଶ୍ୱରରୁ ମୁମ୍ବାଇ ଗସ୍ତ କରିଥିଲେ । ବିଶିଷ୍ଟ ଡାକ୍ତର  ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ କୋକିଲାବେନ୍‌ ଧୀରୁବାଇ  ଅମ୍ବାନୀ ହସ୍ପିଟାଲରେ ଗତ ୨୨ ତାରିଖରେ ତାଙ୍କର ଅସ୍ତ୍ରୋପଚାର  ହୋଇଥିଲା । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ନବୀନ ସମସ୍ତ  ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ନେଇ ଏକ୍ସ ପୋଷ୍ଟ କରି  ସେ ସୂଚନା ଦେଇଛନ୍ତି । ତାଙ୍କ ଆରୋଗ୍ୟ କାମନା ପାଇଁ ଓଡ଼ିଶାର  ଅଗଣିତ ଶୁଭେଚ୍ଛୁମାନଙ୍କୁ ବି କୃତଜ୍ଞତା ଜଣାଇଛନ୍ତି ନବୀନ ।