ଅନୁଗୁଳ,୧୧/୦୩: ଦୁର୍ଘଟଣାରେ ସିନା ଜୀବନ ନେଇଗଲା, କିନ୍ତୁ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ତାଙ୍କୁ ଅମର କରିଦେଲା । ନିଜର ଲିଭର, କିଡ୍‌ନୀ ଦାନ କରି ତିନି ଜଣଙ୍କୁ ସେ ଦେଲେ ନୂଆ ଜୀବନ । ସେ ହେଲେ ଅନୁଗୁଳର ରିତେଶ ପ୍ରଧାନ(୩୨) । ସେପଟେ ଭେଣ୍ଡିଆ ପୁଅକୁ ହରାଇବାର ଦୁଃଖ ଭିତରେ ଅଙ୍ଗଦାନ ଭଳି ନିଷ୍ପତ୍ତି ନେଇ ରିତେଶଙ୍କ ବାପା-ମା’ ଓ ପତ୍ନୀ କେବଳ ସମାଜ ପାଇଁ ଉଦାହରଣ ସୃଷ୍ଟି କରିନାହାନ୍ତି, ବରଂ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ସମାଜକୁ ବାର୍ତ୍ତା ଦେଇଛନ୍ତି ।

​​​​​​​

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ସେରେଣ୍ଡା ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ରିତେଶ । ତାଙ୍କ ପତ୍ନୀ କଲ୍ୟାଣୀ ନାୟକ ଅନୁଗୁଳ ପୁଲିସ୍‌ରେ ହାବିଲ୍‌ଦାର । ସେ ପରିବାର ସହିତ ଅନୁଗୁଳ ସହରର ଅମଲାପଡ଼ା ପୁଲିସ୍‌ କଲୋନୀରେ ରହୁଥିଲେ । ଗତ ୪ ତାରିଖ ହୋଲି ଦିନ ସନ୍ଧ୍ୟାରେ ଅନୁଗୁଳ ସହର ଉପକଣ୍ଠ ଶରଧାପୁରରେ ବାଇକ୍‌-ବାଇକ୍‌ ଧକ୍କା ହେବା ଫଳରେ ରିତେଶ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ଓ ଭୁବନେଶ୍ୱରରେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୋମବାର ଡାକ୍ତର ତାଙ୍କୁ ବ୍ରେନ୍‌ଡେଡ୍‌ ଘୋଷଣା କରିଥିଲେ । ରିତେଶଙ୍କ ପୂର୍ବ ଇଚ୍ଛାକୁ ସମ୍ମାନ ଜଣାଇ ପତ୍ନୀ କଲ୍ୟାଣୀ ଓ ପରିବାର ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଦୁଇଟି କିଡ୍‌ନୀକୁ ଭୁବନେଶ୍ୱର ଏମ୍‌ସ ଓ ଲିଭରକୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ରିତେଶଙ୍କ ବାପା କହିଛନ୍ତି, ପୁଅ ତ ଆଉ ଫେରି ଆସିବନି, କିନ୍ତୁ ଅଙ୍ଗଦାନ କରି ସେ ଅମର ହୋଇଯାଇଛି । ପୁଅକୁ ହରାଇବାର କଷ୍ଟ ହେଉଥିଲେ ମଧ୍ୟ ତା’ର ଅଙ୍ଗରେ ୩ ଜଣଙ୍କ ଜୀବନ ବଞ୍ଚାଇ ପାରିଥିବାରୁ ଧନ୍ୟ ମନେ କରୁଛି ବୋଲି ସେ ପ୍ରକାଶ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ରିତେଶଙ୍କ ମରଶରୀର ଅନୁଗୁଳରେ ପହଞ୍ଚିଥିଲା । ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ କରଡ଼ାଗାଡ଼ିଆସ୍ଥିତ ଶ୍ମଶାନରେ ଗାର୍ଡ୍‌ ଅଫ୍‌ ଅନର୍‌ ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଅଧିକ ପଢ଼ନ୍ତୁ-ଭିଜିଲାନ୍ସ ପଞ୍ଝାରେ କଣ୍ଟାପଡ଼ା ତହସିଲଦାର, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ