ନୂଆଦିଲ୍ଲୀ ୧୩/୦୭: କଳ୍ପନା କରନ୍ତୁ, ଏକ ଉଷ୍ଣ ପୃଷ୍ଠ ଉପରେ ପ୍ଲାଷ୍ଟିକ୍‌ର ଏକ ସମତଳ ଖଣ୍ଡକୁ ରଖିବା ପରେ ତାହା ଆପଣାଛାଏଁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରୋବୋଟ୍‌ରେ ରୂପାନ୍ତରିତ ହୋଇଯାଉଛି । ଏଥିରେ ମାନବ ହସ୍ତକ୍ଷେପ, ମୋଟର କିମ୍ବା କୌଣସି ଜଟିଳ ସଂଯୋଗ ଆବଶ୍ୟକ ନାହିଁ । ଏହା କାଳ୍ପନିକ ମନେ ହେଉଥାଇପାରେ କିନ୍ତୁ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି)ର ଗବେଷକମାନେ ଏକ କ୍ଷୁଦ୍ର ଅରିଗାମି-ପ୍ରେରିତ ରୋବୋ ଜରିଆରେ ଏହା କରିଛନ୍ତି । ଏହା ଆପଣାଛାଏଁ ରୋବୋରେ ରୂପାନ୍ତରିତ ହୋଇ ଆବଶ୍ୟକ କାମ କରିବ । ସରଳ ଉପକରଣ, ଚତୁର ଇଞ୍ଜିନିୟରିଙ୍ଗ ଓ ପ୍ରାଚୀନ ଅରିଗାମି କଳାର ସମଷ୍ଟିରେ କ୍ଷୁଦ୍ର ରୋବୋର ଏକ ନୂଆ ପିଢ଼ି କିଭଳି ସୃଷ୍ଟି ହୋଇପାରିବ, ୨୦୧୫ରେ ଉନ୍ମୋଚିତ ଏହି ସେଣ୍ଟିମିଟର ଲମ୍ବା ମେସିନ ତାହା ଦର୍ଶାଇଛି ।

ଯଦିଓ ଏହା ଏକ ପରୀକ୍ଷାମୂଳକ ପ୍ରୋଟୋଟାଇପ୍, ଏହି ପ୍ରକଳ୍ପ ଭବିଷ୍ୟତର ଝଲକ୍ ପ୍ରଦାନ କରିଛି ଯେଉଁଠି ନିଜେ ନିଜେ ପ୍ରସ୍ତୁତ ହେଉଥିବା ରୋବୋ ଚିକିତ୍ସା, ବିପର୍ଯ୍ୟୟ ଏବଂ ପାରମ୍ପରିକ ମେସିନ ପାଇଁ ବିପଦପୂର୍ଣ୍ଣ ଅନ୍ୟ ପରିସ୍ଥିତିରେ ସହାୟକ ହୋଇପାରେ । ଏମ୍‌ଆଇଟିର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାବୋରେଟୋରୀରେ ପ୍ରସ୍ତୁତ ଏହି ରୋବୋ ଏକ ସମତଳ ସଂରଚନା ରୂପେ ଆରମ୍ଭ ହୁଏ, ଯାହାର ୩ ପରସ୍ତ ଉପକରଣ ରହିଛି । ମଝି ପରସ୍ତ ପଲିଭିନାଇଲ କ୍ଲୋରାଇଡ୍‌ରେ ପ୍ରସ୍ତୁତ, ଯାହା ଏକ ପ୍ଲାଷ୍ଟିକ୍ ଉତ୍ତାପ ସଂସ୍ପର୍ଶରେ ପ୍ରତିକ୍ରିୟା କରେ ।

ଆହୁରି ପଢ଼ନ୍ତୁ...Parliament Monsoon Session: ସଂସଦର ମୌସୁମୀ ଅଧିବେଶନ, ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

ଅନ୍ୟପକ୍ଷେ, ଉପର ଓ ତଳ ପରସ୍ତ ଲେଜର୍-କଟ୍ ଖଣ୍ଡରେ ପ୍ରସ୍ତୁତ ହୋଇଛି, ଯାହା ଭାଙ୍ଗିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ । ପ୍ରାୟ ୬୫ ଡିଗ୍ରୀ ସେଲ୍‌ସିୟସ୍‌ରେ ଗରମ କରିବା ଦ୍ୱାରା ଏହି ସଂରଚନାର ପିଭିସି ପରସ୍ତ ସଂକୁଚିତ ହୋଇ ଆପଣାଛାଏଁ ମୋଡ଼ିହୁଏ ଏବଂ ପ୍ରାୟ ୧ ମିନିଟ୍‌ରେ ଏକ ୩-ଡି ରୋବୋଟ୍‌ରେ ରୂପାନ୍ତରିତ ହୁଏ । ଏହା ଏକ କ୍ଷୁଦ୍ର ରୋବୋ, ଯାହାର ଲମ୍ବ ୧.୭ ସେମି ଓ ଓଜନ ମାତ୍ର ୦.୩୧ ଗ୍ରାମ୍ । ଏତେ କ୍ଷୁଦ୍ର ଆକାର ସତ୍ତେ୍ୱ ରୋବୋଟ୍ ଚାଲିପାରେ, ଉପରକୁ ଚଢ଼ିପାରେ, ପାଣିରେ ପହଁରିପାରେ ଏବଂ ନିଜ ଓଜନଠୁ ଦୁଇ ଗୁଣ ଓଜନ ବହନ କରିପାରେ । ଏହାର ଭବିଷ୍ୟତ ସଂସ୍କରଣ ଚିକିତ୍ସା କ୍ଷେତ୍ରରେ ମଣିଷ ଶରୀର ଭିତରେ ଜଟିଳ କାର୍ଯ୍ୟ ସମ୍ପାଦନ କରିବ ବୋଲି ଗବେଷକମାନେ ଆଶାବାଦୀ ।