କଟକ,୦୭/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ତଦନ୍ତ କ୍ରମରେ ବୋର୍ଡର ପୂର୍ବତନ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତିଙ୍କଠାରୁ ଜବତ ମୋବାଇଲ୍‌ ଫୋନ୍‌ ଓ  ଲାପ୍‌ଟପ୍‌ରୁ ତଥ୍ୟ ସଂଗ୍ରହ ପାଇଁ ତଦନ୍ତକାରୀ  କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ସେସବୁକୁ ଷ୍ଟେଟ୍‌ ଫରେନସି୍‌କ ଲାବ୍‌କୁ ପଠାଇଛି । ମୋବାଇଲ୍‌ର କଲ୍‌ ଡିଟେଲ୍‌ସ୍‌  ରିପୋର୍ଟ (ସିଡିଆର୍‌)ରୁ ଜିତନ ଓ ନିହାରଙ୍କ  ସଂପର୍କ, ଦୁଇ ମାସ ଭିତରେ ଉଭୟଙ୍କ ଭିତରେ ହୋଇଥିବା ଶତାଧିକ ଥର କଥୋପକଥନ  ଧରାପଡ଼ିଥିଲା । ଯେଉଁଥିରୁ ଦୁହିଙ୍କ ଭିତରେ  କିଛି ଗୁପ୍ତ ବୁଝାମଣା ଥିବା ଓ ପ୍ରଶ୍ନ ବିକ୍ରି  ସିଣ୍ଡିକେଟ୍‌ ଚାଲିଥିବା ସନ୍ଦେହ ଆସିଥିଲା । ଜୁନ୍‌  ଓ ଜୁଲାଇ ମାସର ସିଡିଆର୍‌ରୁ ନିହାରଙ୍କ ସହ  ଜିତନର ଲିଙ୍କ୍‌କୁ କ୍ରାଇମ୍‌ବ୍ରାଞ୍ଚ୍‌ ଖୋଜି ପାଇଥିବା  ବେଳେ ଏବେ ଆହୁରି ମାସକ ତଳର ତଥା  ମେ’ ମାସର କଲ୍‌ ଡିଟେଲ୍‌ସ୍‌ ରେକର୍ଡ ସଂଗ୍ରହ  କରିଛି । ସେସବୁର ଯାଞ୍ଚ୍‌ରୁ ନିହାରଙ୍କ ବାବଦରେ  ଆଉ କିଛି ପୁରୁଣା ତଥ୍ୟ ପ୍ରମାଣ, ସିଣ୍ଡିକେଟ୍‌ ବାବଦରେ ଅଧିକ ସୁରାକ୍‌ ମିଳିବ ବୋଲି  କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ ଅଧିକାରୀ କହିଛନ୍ତି ।  

ଓଟିଇଟି ପ୍ରଶ୍ନ ପ୍ରସ୍ତୁତି ପର୍ବଠାରୁ ଆରମ୍ଭ କରି  ଭୋପାଳରେ ଛପା ହୋଇ ବୋର୍ଡ କାର୍ଯ୍ୟାଳୟ ଓ  ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ଯାଏ ନିହାରଙ୍କ ସହ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ  ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ପରେ  ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଡାକି ପଚରାଉଚରା  ଚଳାଇଛି । ଗତ ୩ ମାସ ମଧ୍ୟରେ ନିହାରଙ୍କ ସହ  ନିୟମିତ ଯୋଗାଯୋଗରେ ଥିବା ନମ୍ବରଗୁଡ଼ିକୁ  କ୍ରାଇମ୍‌ବ୍ରାଞ୍ଚ୍‌ର ସାଇବର୍‌ ଅଧିକାରୀମାନେ  ଟିକିନିଖି ଅନୁଧ୍ୟାନ କରୁଛନ୍ତି । ଏଥିରୁ ଯେଉଁ  ନମ୍ବରକୁ ନେଇ ତଦନ୍ତକାରୀ ଟିମ୍‌ ମନରେ  ସନ୍ଦେହ ଉପୁଜୁଛି ସେମାନଙ୍କୁ ତଦନ୍ତକାରୀ  ଅଫିସର କ୍ରାଇମ୍‌ବ୍ରାଞ୍ଚ୍‌କୁ ଡକାଇ ପଚରାଉଚରା କରୁଛନ୍ତି । ସିଡିଆର୍‌ ଯାଞ୍ଚ୍‌ ପରେ ବୋର୍ଡର କିଛି  କର୍ମଚାରୀ, କିଛି ପୂର୍ବତନ କର୍ମଚାରୀ, କିଛି  ଶିକ୍ଷକଙ୍କୁ ତଦନ୍ତ ପରିସରକୁ ଆଣି କ୍ରାଇମବ୍ରାଞ୍ଚ୍‌  କାର୍ଯ୍ୟାଳୟରେ ଝାଳବୁହା ଜେରା କରାଯାଉଛି ।  ବୁଧବାର ଜଣେ ଅବସରପ୍ରାପ୍ତ କର୍ମଚାରୀ  ଓ ଦୁଇ ଜଣ ଶିକ୍ଷକଙ୍କୁ ଜେରା କରାଯାଇଛି ।  ସେହିପରି ପ୍ରଶ୍ନ କିଣିଥିବା ଶିକ୍ଷକଙ୍କ ମଧ୍ୟରୁ  ୪/୫ ଜଣ ଶିକ୍ଷକଙ୍କୁ ଡକାଯାଇଥିବା ଖବର  ମିଳିଛି । ସମ୍ପୃକ୍ତ ଶିକ୍ଷକମାନେ ଖୁବ୍‌ଶୀଘ୍ର  କ୍ରାଇମ୍‌ବ୍ରାଞ୍ଚ୍‌ରେ ପହଞ୍ଚି ବୟାନ ରଖିବେ । 

ଉପସଭାପତିଙ୍କ ପ୍ରକୋଷ୍ଠରେ ଥିବା  ଲାପ୍‌ଟପ୍‌ରୁ ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ  ମହାରଣା ପେନ୍‌ ଡ୍ରାଇଭ୍‌ରେ ଓଟିଇଟି ପ୍ରଶ୍ନ ଥିବା ଫୋଲ୍‌ଡର୍‌କୁ କପି କରି ନେଇଥିବା ସ୍ୱୀକାର  କରିଥିଲେ ହେଁ ଅଦ୍ୟାବଧି ଉକ୍ତ ପେନ୍‌ ଡ୍ରାଇଭ୍‌  ତଦନ୍ତକାରୀ ଅଧିକାରୀଙ୍କ ହସ୍ତଗତ ହୋଇନାହିଁ।  ପେନ୍‌ଡ୍ରାଇଭ ଜବତ କରିବା ଲାଗି ଜିତନକୁ ଗିରଫ  କରିବା ଆଗରୁ ତା’ ଘର ସମେତ ଅନ୍ୟ ଜଣେ  ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌  ବହୁତ ଖୋଜାଖୋଜି କରିଥିଲେ । ମାତ୍ର ତାହା ମିଳି  ନ ଥିଲା । 

ଉପସଭାପତିଙ୍କ ଲାପ୍‌ଟପ୍‌ରୁ ଜିତନ  ପେନ୍‌ଡ୍ରାଇଭ୍‌ରେ ପ୍ରଶ୍ନ ନେଇ ତାହାକୁ ପରୀକ୍ଷା  କଣ୍ଟ୍ରୋଲର୍‌ଙ୍କ ପ୍ରକୋଷ୍ଠରେ ଥିବା କମ୍ପ୍ୟୁଟରରେ  ଟାଇପ୍‌ କରିଥିଲା । ପ୍ରଶ୍ନ ଲିକ୍‌ ମାମଲାରେ  ବୈଷୟିକ ପ୍ରମାଣ ପାଇଁ ଉଭୟ ଲାପ୍‌ଟପ୍‌ ଓ ପେନ୍‌ ଡ୍ରାଇଭ୍‌ର ଗୁରୁତ୍ୱ ଥିଲେ ପେନ୍‌ ଡ୍ରାଇଭ୍‌ କ୍ରାଇମ୍‌ବ୍ରାଞ୍ଚ୍‌ର ହସ୍ତଗତ ହୋଇନାହିଁ । ତାହାକୁ  ଜିତନ କାଠଯୋଡ଼ି ନଈରେ ଫିଙ୍ଗି ଦେଇଥିବା ତାର  ବୟାନ ରେକର୍ଡ ହୋଇଛି । ପେନ୍‌ଡ୍ରାଇଭ୍‌ ଜବତ  ନ ହେଲେ ମଧ୍ୟ ଅଭିଯୁକ୍ତ ଜିତନ ବିରୋଧରେ  ଯଥେଷ୍ଟ ବୈଷୟିକ ତଥ୍ୟ ପ୍ରମାଣ ରହିଛି  ବୋଲି ଡିଆଇଜି ବାତୁଲା ଗଙ୍ଗାଧର କହିଛନ୍ତି । 

ଏସବୁ ପଚରାଉଚରା ଓ ତଦନ୍ତ ମଧ୍ୟରେ  ପୂର୍ବଥରର ସ୍ପେସାଲ୍‌ ଓଟିଇଟି ଏବଂ ଓଏସ୍‌ଟିଇଟି ଭଳି କେତେକ ପରୀକ୍ଷାରେ ହୋଇଥିବା ବିଭ୍ରାଟର ଖୋଳତାଡ଼ ବି ଜାରି ରହିଛି । ପୂର୍ବ ପରୀକ୍ଷାର ଫାଇଲ୍‌ କ୍ରାଇମ୍‌ବ୍ରାଞ୍ଚ୍‌ ଅଣ୍ଡାଳୁଥିବାରୁ ବୋର୍ଡର କିଛି ପୂର୍ବତନ ଅଧିକାରୀ ଓ କର୍ମଚାରୀ ତଦନ୍ତ ପରିସରକୁ ଆସିପାରନ୍ତି ବୋଲି ସୂଚନା ମିଳିଛି । ପୂର୍ବ ପରୀକ୍ଷାଗୁଡ଼ିକରେ କିଏ ପ୍ରଶ୍ନ ପ୍ରସ୍ତୁତ କରିଥିଲେ, କେଉଁ ଫାର୍ମରେ ଛପା ଯାଇଥିଲା, କ’ଣ ବିଭ୍ରାଟ କେଉଁଠୁ ହୋଇଥିଲା ତାହାର ବି ଯାଞ୍ଚ୍‌  ଚାଲିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା  ଆଶା ରଖିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ବୋର୍ଡ ଦ୍ୱାରା  ପରିଚାଳିତ କିଛି ପୂର୍ବ ପରୀକ୍ଷା ପ୍ରଶ୍ନ ପ୍ରଘଟରେ  ସମ୍ପୃକ୍ତ ଅଭିଯୁକ୍ତମାନେ କାଳେ ଧରାପଡ଼ିଯିବେ  ସେଥିଲାଗି ପଚରାଉଚରା ଚଳାଇଛି ।