ଭୁବନେଶ୍ୱର,୨୨/୦୮: ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଖରିଫ୍ ଭଳି ରବିରେ ଧାନ କିଣା ପାଇଁ ଇନପୁଟ୍ ସହାୟତା ଦିଆଯାଇନଥାଏ । ଫଳରେ ଆମ ରାଜ୍ୟକୁ ଅନ୍ୟ ରାଜ୍ୟରୁ ଧାନ ବିକ୍ରି ହେବାକୁ ଆସୁଛି । ତେବେ ଏସବୁ ସମସ୍ୟା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଓଡ଼ିଶା ଭଳି ଅନ୍ୟ ରାଜ୍ୟଗୁଡ଼ିକ ରବିରେ ଇନପୁଟ୍ ସହାୟତା ଦେଲେ ଆମ ରାଜ୍ୟକୁ ବାହାର ରାଜ୍ୟର ଧାନ ଆସିବ ନାହିଁ । ତେବେ ଆମ ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ୍ ସହାୟତା ବୃଦ୍ଧି କରିବା ଫଳରେ ଯେଉଁ ଚାଷୀ ଅନ୍ୟ ଫସଲ ଚାଷ କରୁଥିଲେ ସେମାନେ ଏବେ ଧାନ ଚାଷ କରୁଛନ୍ତି ।
ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହୋଇପାରେ । ତେଣୁ ଅନ୍ୟ ଫସଲକୁ କିପରି ପ୍ରୋତ୍ସାହନ ମିଳିବ ସେଥିପାଇଁ ସରକାର ଯୋଜନା କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଅପରପକ୍ଷେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ସରକାର ନିଜ ଗୋଡ଼କୁ ନିଜେ ମାରିଛନ୍ତି । ୮ ଶହ ଟଙ୍କା ଇନପୁଟ୍ ସହାୟତା ରାଶି ଦେବା ପରେ ଆଉ କେତେ ବଜେଟ୍ ରହିବ ଯେ ଅନ୍ୟ ଚାଷକୁ ପ୍ରୋତ୍ସାହନ ଯୋଗାଇଦେବେ । ଏହାଦ୍ୱାରା ଅଧିକ ଧାନ ଫସଲ କରିବେ ଚାଷୀ । କିନ୍ତୁ ଡାଲି ଜାତୀୟ ହେଉ ବା ଚିନାବାଦାମ ଚାଷ କେମିତି ପ୍ରୋତ୍ସାହିତ ହେବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।