ଆମର ଦାବି ହେଲା ସବୁକିଛି  ସରକାର ଆମ ପାଇଁ  କରିଦିଅନ୍ତୁ, କିନ୍ତୁ ଆମେ ଆମର  ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ସଚେତନ ହେବାନାହିଁ । ବାୟୁ ପ୍ରଦୂଷଣଦୂଷିତ ଜଳ, ଜୈବବିବିଧତା ନଷ୍ଟ, ପରିବେଶର ଦ୍ରୁତ ପରିବର୍ତ୍ତନ ଆଦିରେ କ'ଣ  ଆମର କିଛି ଭୂମିକା ନାହିଁ! ଆମେ ସବୁ ଜାଣିଛୁ ହେଲେ ବିଲେଇ ଆଖିବୁଜି କ୍ଷୀର ପିଇଲା ପରି ସବୁ ଜାଣି ଅଜଣା  ରହିବାର ଅଭିନୟ କରୁଛୁ ।  ହେଲେ, ଏବେ ମଧ୍ୟ ସମୟ  ଅଛି ଏସବୁ ଘଟଣା ଦୁର୍ଘଟଣାରୁ ଶିକ୍ଷାଲାଭ କରି ଆମେ ଆମର  କର୍ତ୍ତବ୍ୟ ଏବଂ ଦାୟିତ୍ୱ ପ୍ରତି ସଚେତନ ହେବା ।

ର୍ଷେ ତଳର କଥା । ଖବରକାଗଜରେ ଏକ ଖବର  ଲଗାତାର ଦୁଇଦିନ ଧରି ପ୍ରକାଶ ପାଇଥିଲା ।  ପ୍ରଥମ ଦିନର ଶୀର୍ଷକ ଥିଲା "ପାଗଳା ଷଣ୍ଢ  ଆକ୍ରମଣରେ ମହିଳା ସମେତ ୪ ଆହତଏବଂ  ଦ୍ୱିତୀୟ ଦିନର ଶୀର୍ଷକ ଥିଲା "ପାଗଳା ଷଣ୍ଢର  ପ୍ରାଣ ଗଲା। ଏବେ ଘଟଣାଟିକୁ ଟିକେ ବିସ୍ତୃତ  ଭାବରେ ଆଲୋଚନା କରିବା । ଉକ୍ତ ଘଟଣାଟି ଥିଲା  ରାଜଧାନୀ ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନ  ନିକଟସ୍ଥ ପଦ୍ମକେଶରପୁର ବଜାର ଅଞ୍ଚଳର ।  ଯଦିଓ ଷଣ୍ଢ ଆକ୍ରମଣ ଘଟଣାଟି ସେମିତି ବିରଳ  ନୁହେଁ ଯେ, ଏଠାରେ ମାନବିକ ମୂଲ୍ୟବୋଧ  ଏବଂ ଦାୟିତ୍ୱହୀନତା ଆଦି ସମ୍ପର୍କରେ ଆଲୋଚନା  କରାଯିବ । ହେଲେ ଏକଥା ଉଠିବାର କାରଣ ହେଲା  ଦ୍ୱିତୀୟ ଦିନରେ ପ୍ରକାଶିତ ଖବର ପାଗଳା ଷଣ୍ଢର  ପ୍ରାଣ ଗଲା ।' ପାଠକେ, ଯେଉଁମାନେ ଏହି ଦ୍ୱିତୀୟ  ଦିନର ଖବରଟିକୁ ସଂପୂର୍ଣ୍ଣ ପଢ଼ିଥିବେ, ସେମାନେ  ନିଶ୍ଚିତ ଭାବରେ ଷଣ୍ଢଟିର ଏ ଅବସ୍ଥା ପାଇଁ ଦୁଃଖିତ  ହୋଇଥିବେ ଏବଂ ମାନବର ଏତାଦୃଶ ଅମାନବୀୟ  କାର୍ଯ୍ୟ ପାଇଁ ହୃଦୟରୁ କଷ୍ଟ ପାଇଥିବେ ।

ଘଟଣାଟିକୁ ଯଦି ଆଉ ଟିକେ ବିସ୍ତୃତ ଭାବରେ  ଆଲୋଚନା କରାଯିବ, ତେବେ ଏକ ପାଗଳା ଷଣ୍ଢର  ଆକ୍ରମଣରେ ପାଖାପାଖି ୬ଜଣ ଆହତ ହୋଇଥିଲେ  ଏବଂ ତନ୍ମଧ୍ୟରୁ ଜଣେ ଆହତ ମୃତ୍ୟୁବରଣ ମଧ୍ୟ  କରିଥିଲେ । ଏଇ ଘଟଣାଟିରେ ପାଗଳା ଷଣ୍ଢଟିକୁ ଧରି  କାଞ୍ଜିଆହୁଦାରେ ରଖାଯାଇଥିଲା ଏବଂ ତହିଁ ଆରଦିନ  ଷଣ୍ଢଟି ମଧ୍ୟ ଅଜଣା ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ  ହରାଇଥିଲା । ହେଲେ ଏବେ ଆସିବା ଅସଲ କଥାଟିକୁ  ଯେ, ଷଣ୍ଢ ପାଗଳ ହୋଇ ଲୋକଙ୍କୁ ଆକ୍ରମଣ କରିବା  ଏବଂ ମୃତ୍ୟୁବରଣ କରିବା ପଛରେ କାରଣ କ'ଣ!  ଅସଲରେ ଷଣ୍ଢଟି ଯେଉଁ ଅଳିଆ ଆବର୍ଜନା ଗଦାରୁ  ଖାଦ୍ୟ ଖାଉଥିଲା ସେହି ଅଳିଆ ଗଦାରେ କେହି ଜଣେ ବ୍ୟକ୍ତି (ଅମଣିଷ) ପୁରୁଣା ବିଷାକ୍ତ ହୋଇଯାଇଥିବା  କିଛି ଔଷଧ ପକାଇ ଦେଇଥିଲେ । ବିଚରା ଷଣ୍ଢଟି  ଖାଦ୍ୟ ସହ ସେହି ଔଷଧ ଖାଇବା ପରେ ପାଗଳ  ପ୍ରାୟ ହୋଇଯାଇଥିଲା ତଥା ନିଜ ଉପରୁ ନିୟନ୍ତ୍ରଣ  ହରାଇ ଯନ୍ତ୍ରଣାରେ ଏପଟ ସେପଟ ଦୌଡ଼ିବାରେ  ଲାଗିଲା ଏବଂ ନିଜ ଉପରୁ ନିୟନ୍ତ୍ରଣ ହରାଇ ଯାହାକୁ  ପାଖରେ ଦେଖିଲା ମାରିବାକୁ  ଗୋଡ଼ାଇଲା । ଶେଷରେ ଔଷଧର  ବିଷକ୍ରିୟାରେ ମୃତ୍ୟୁବରଣ କଲା ।  ତେବେ ପାଠକେ, ଏବେ ବିଚାର  କରନ୍ତୁ ଏଠି ଷଣ୍ଢର ଭୁଲ୍‌ କେଉଁଠି  ଥିଲା! ଏପରି ଏକ ଅତ୍ୟନ୍ତ  ସମ୍ବେଦନଶୀଳ ଘଟଣାରେ ଦୁଇ  ଦୁଇଟି ନିରୀହ ଜୀବନ (ଜଣେ  ମଣିଷ ଓ ଜଣେ ପଶୁ) ଯିବା ସଙ୍ଗେ ସଙ୍ଗେ କିଛି  ଲୋକ ଗୁରୁତର ଆହତ ମଧ୍ୟ ହେଲେ । କେବଳ  ଜଣେ ବ୍ୟକ୍ତିର ଦାୟିତ୍ୱହୀନତା ଯୋଗୁଁ ଏତେ ବଡ଼  ମୂଲ୍ୟ ଦେବାକୁ ପଡ଼ିଲା । 

ଆମେ ପଶୁଠାରୁ ଏଥିପାଇଁ ଭିନ୍ନ ଯେ, ଆମ  ପାଖରେ ଏକ ଉନ୍ନତ ମସ୍ତିଷ୍କ ଅଛି ଯାହା ଆମକୁ  ଭଲ-ମନ୍ଦ, ଭୁଲ୍‌-ଠିକ୍‌ ଆଦି ଜାଣିପାରିବାର ଶକ୍ତି  ପ୍ରଦାନ କରିଥାଏ । ହେଲେ ଆମେ ଯଦି ଆମ ଦାୟିତ୍ୱ  ପ୍ରତି ଏତେ ଅସଚେତନ ହେବା, ତେବେ ଏହା  ନିଶ୍ଚିତ ଭାବରେ ସମାଜ ପାଇଁ କ୍ଷତିକାରକ । ଭୁଲ୍‌ ଠିକ୍‌ ବିଚାର କରିବାର ଦାୟିତ୍ୱ ଆମର ଏବଂ ଆମେ  ଏହାକୁ ଆଖି ବୁଜିଲେ କେମିତି ହେବ!

ଆମେ  କଣ ଏତିକି ଜାଣିନାହୁଁ ଯେ ଅଳିଆ ଆବର୍ଜନା  ଗଦାରୁ ବୁଲା ଗୋରୁଗାଈ, ଷଣ୍ଢ ବା ବିଲେଇ, କୁକୁର  ଆଦି ଖାଦ୍ୟ ଖାଇଥାନ୍ତି! ତେବେ ବିଷାକ୍ତ ଦ୍ରବ୍ୟମାରାତ୍ମକ ଔଷଧ, ଭଙ୍ଗା କାଚ, ଧାତବୀୟ ପଦାର୍ଥ  ବା ପ୍ଲାଷ୍ଟିକ ଆଦି ଅଳିଆ ଗଦାରେ ପକାଇବା ଆଗରୁ  ଆମେ କଣ ଥରୁଟେ ଭାବିପାରିବା ନାହିଁ ଯେ ଏହାର  ପରିଣାମ କଣ ହେଇପାରେ!

ଅଳିଆ ଆବର୍ଜନା ଗାଡ଼ି ଆସି ଘରୁ ଅଳିଆ  ତ ନେଇଯିବ, ହେଲେ ତାଭିତରେ ଆପଣ ଯଦି  ଏସବୁ ମରଣାନ୍ତକ ଜିନିଷ ମଧ୍ୟ ପକେଇଥିବେତାହା ତ ଆଉ ସେଇ ଅଳିଆ ଗୋଟାଉଥିବା ଲୋକଟି  ଅଲଗା କରିବନାହିଁ ନା! ଘରେ ଖାଦ୍ୟ ରାନ୍ଧିବା  ସମୟରେ ଯଦି ଆମେ ଏତେ ସାବଧାନ ହେଇ କାମ  କରୁ, ଯେପରି ଖାଦ୍ୟରେ କିଛି ଏପଟ ସେପଟ କିଛି  ମିଶିନଯାଏ ବା ପଡ଼ିନଯାଏ, ତେବେ ପଶୁପକ୍ଷୀଙ୍କ  ପାଇଁ ଆମେ ଏତେ ଅସମ୍ବେଦନଶୀଳ କାହିଁକି?

ଅନେକଙ୍କ ଧାରଣା ଅଛି ଯେ, ପଶୁପକ୍ଷୀମାନେ  ଯେକୌଣସି ଖାଦ୍ୟକୁ ଖାଇ ସହଜରେ ହଜମ  କରିଦେବେ । ହେଲେ ବିଷ ବା କାଚ ଏବଂ ଧାତବ  ଖଣ୍ଡ ଭଳି ଅଖାଦ୍ୟକୁ କେମିତି ହଜମ କରିପାରିବେ!  ଖାଲି ସେତକ ନୁହେଁ, ବୁଲାକୁକୁର, ବିଲେଇମାନଙ୍କ  ଉପରେ ଗରମ ପାଣି ପକାଇ ଘଉଡ଼ାଇବା କ'ଣ  ଆମର ଅମାନବିକତା ନୁହେଁ କି!

ଆମେମାନେ ନିଜର ନ୍ୟାଯ୍ୟ ଅଧିକାର ପାଇଁ  ରାସ୍ତାଘାଟ କମ୍ପାଇ ଦେଉଛେ, ହେଲେ ନିଜର  କର୍ତ୍ତବ୍ୟକୁ ଖୁବ୍‌ ସହଜରେ ପାସୋରି ଦେଉଛେ ।  ସମ୍ବିଧାନ ଆମକୁ ଅନେକ ଅଧିକାର ଦେଇଛି, ହେଲେ  ତାସାଙ୍ଗରେ କିଛି କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ  କୁହେ । ଯଦିଓ କର୍ତ୍ତବ୍ୟଗୁଡ଼ିକ ବାଧ୍ୟତାମୂଳକ ନୁହେଁତଥାପି ଏକ ଉତ୍ତମ ପ୍ରଗତିଶୀଳ ସମାଜ ପାଇଁ  କର୍ତ୍ତବ୍ୟ ପ୍ରତି ସଚେତନ ହେବା ନିତାନ୍ତ ଆବଶ୍ୟକ ।

ଆମ ଭାରତୀୟଙ୍କ ଗୋଟେ ବଡ଼ ଦୁର୍ଗୁଣ  ହେଲା ଯେଉଁଠି ଖାଇବେ ସେଇଠି ଫୋପାଡ଼ିବେରାସ୍ତାଘାଟରେ ଛେପ ପକାଇବେ, ଯେଉଁଠି ପାରିବେ  ସେଇଠି ପରିସ୍ରା କରିବେ, ଘରର ଆବର୍ଜନା  ଆଣି ରାସ୍ତାରେ ପକାଇବେ, କାନ୍ଥ ବାଡ଼ରେ  ପାନଛେପ ପକାଇବେ ଏବଂ ଆହୁରି ଅନେକ କିଛିସତେଯେମିତି ଏସବୁ ଜନ୍ମଗତ ଅଧିକାର । 

ଆରେ, ଆମେ ଯଦି ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ  ରଖି ପାରୁଛେ, ତେବେ ରାସ୍ତାଘାଟକୁ ଅପରିଷ୍କାର କରିବା  ଆଗରୁ ଥରେ ଚିନ୍ତା କରିପାରୁନୁ କାହିଁକି! ନଦୀ ପୋଖରୀ  ଆଦିରେ ମଧ୍ୟ କୁଢ଼ କୁଢ଼ ଆବର୍ଜନା । ସତେଯେମିତି  ଜଳରେ ରହୁଥିବା ପ୍ରାଣୀ ବା ଗଛଲତାଙ୍କ ପ୍ରତି ଆମର  କୌଣସି ଦାୟିତ୍ୱ ନାହିଁ । ବସଷ୍ଟାଣ୍ଡ, ରେଳ ଷ୍ଟେସନ  ଅଥବା ରେଳରେ ଥିବା ଅସଂରକ୍ଷିତ ବଗି, ସବୁଠି  ଆପଣ ଏହି ଦାୟିତ୍ୱହୀନତାର ଝଲକ ଦେଖିପାରିବେ ।  ଆମର ଦାବି ହେଲା ସବୁକିଛି ସରକାର ଆମ ପାଇଁ  କରିଦିଅନ୍ତୁ, କିନ୍ତୁ ଆମେ ଆମର ଦାୟିତ୍ୱ କର୍ତ୍ତବ୍ୟ ପ୍ରତି  ସଚେତନ ହେବାନାହିଁ । ବାୟୁ ପ୍ରଦୂଷଣ, ଦୂଷିତ ଜଳଜୈବବିବିଧତା ନଷ୍ଟ, ପରିବେଶର ଦ୍ରୁତ ପରିବର୍ତ୍ତନ  ଆଦିରେ କ'ଣ ଆମର କିଛି ଭୂମିକା ନାହିଁ! ଆମେ ସବୁ  ଜାଣିଛୁ³ ହେଲେ ବିଲେଇ ଆଖିବୁଜି କ୍ଷୀର ପିଇଲା ପରି  ସବୁ ଜାଣି ଅଜଣା ରହିବାର ଅଭିନୟ କରୁଛୁ । 

ହେଲେ, ଏବେ ମଧ୍ୟ ସମୟ ଅଛି ଏସବୁ ଘଟଣା  ଦୁର୍ଘଟଣାରୁ ଶିକ୍ଷାଲାଭ କରି ଆମେ ଆମର କର୍ତ୍ତବ୍ୟ  ଏବଂ ଦାୟିତ୍ୱ ପ୍ରତି ସଚେତନ ହେବା । ଆଉ ବେଶି  ଦିନ ଅଜଣା ଚାଉଳର ଭାତ ଖାଇଲେ ଦେହ ଖରାପ ହବା ସାର ହେବ ।