ନୂଆଦିଲ୍ଲୀ,୦୧/୦୫; ନେପାଳରୁ ଏକ ବଡ଼ ଦୁଃଖଦ ଖବର ଆସିଛି । ମର୍ମନ୍ତୁଦ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଜିପ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନେପାଳର ରୋଲପା ଜିଲ୍ଲାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଏହା ମଧ୍ୟ କୁହାଯାଉଛି ଯେ, ବର୍ଷା ଯୋଗୁଁ ରାସ୍ତାରେ ବହୁତ କାଦୁଅ ଥିଲା, ଯାହା ଫଳରେ ଜିପଟି ଖସିଯାଇ ଖାତରେ ପଡ଼ିଗଲା । ପ୍ରାୟ ୭୦୦ ମିଟର ଗଭୀର ଖାତରେ ପଡ଼ି ଜିପରେ ଥିବା ୨୦ ଜଣଙ୍କର ମୃତ୍ୟୁ ହୋଇଛି ।
ପୁଲିସ୍ ସୂଚନା ଅନୁସାରେ, ବୈଶାଖ ପୂର୍ଣ୍ଣିମା ମନାଇବାକୁ ରୁକୁମ ପୂର୍ବ ଅଞ୍ଚଳରେ ଏହି ତୀର୍ଥଯାତ୍ରୀମାନେ ଜିପରେ ଜଲଜଲା ଯାଉଥିଲେ । ତେବେ ପ୍ରବଳ ବର୍ଷା ଓ ପାହାଡିଆ ଘାଟି ରାସ୍ତା ଯୋଗୁଁ ଥାମ୍ବାଙ୍ଗ ନଗରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର-୧ ନିକଟ ରାସ୍ତାରେ ଜିପଟି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ସୂଚନା ମିଳିବା ପରେ ପୁଲିସ ଓ ଉଦ୍ଧାରକାରୀ ଟିମ ସେଠାରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଜିପରେ ପ୍ରକୃତରେ କେତେଜଣ ଯାତ୍ରୀ ଥିଲେ ତାହା ଜଣା ପଡିନାହିଁ । ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଆଉ କୌଣସି ଯାତ୍ରୀ ଜୀବିତ ଅଛନ୍ତି କି ନାହିଁ ତାହା ଜଣାପଡିନଥିବା କହିଛନ୍ତି ପୁଲିସ ଅଧିକାରୀ ସୁନିଲ ଥାପ୍ପା ।
ଏହା ବି ପଢନ୍ତୁ...୧୨୬ ଡଲାର ଛୁଇଁଲା ଅଶୋଧିତ ତୈଳ, ଇରାନ କହିଲା ୧୪୦ ଡଲାର ଖୁବ୍ଶୀଘ୍ର
କହି ରଖୁଛି କି, ନେପାଳରେ ସାମ୍ପ୍ରତିକ ଅନ୍ୟ ଏକ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଫେବୃଆରୀ ୧୦ ତାରିଖରେ ମଧ୍ୟ ନେପାଳରେ ଏହି ଦୁର୍ଘଟଣା ଘଟିଥିଲା । ଏକ ଯାତ୍ରୀବାହୀ ବସ୍ ନଦୀକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ବସ୍ରେ ଥିବା ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ ଡ୍ରାଇଭରଙ୍କୁ ହେପାଜତକୁ ନେଇଥିଲା । ବସ୍ଟି କାଠମାଣ୍ଡୁରୁ ଓଖଲଢୁଙ୍ଗା ଯାଉଥିଲା । ଏହି ସମୟରେ, ବାଗମତୀ ପ୍ରଦେଶର ରାମେଛାପ୍ ପୌରପାଳିକାରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇ ତାମାକୋଶି ନଦୀକୁ ଖସି ପଡ଼ିଥିଲା ।